ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ଏଏସ୍ଆଇକୁ ରିପୋର୍ଟ ମାଗିଲେ
କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚନ୍ୟାୟାଳୟ ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ଭେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ରିପୋର୍ଟ ମାଗିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ଓ ଜଷ୍ଟିସ ରାଧା କୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଘଟଣା ସ୍ଥଳ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏଏସ୍ଆଇକୁ ନିର୍ଦେଶ ଦେଇଛନ୍ତି।
ଏଏସ୍ଆଇ ଚାହିଁଲେ ରାଜ୍ୟସରକାରଙ୍କ ସହ ମିଶି ଘଟଣାସ୍ଥଳ ଅନୁଧ୍ୟାନ କରିପାରିବ। ଏପରିକି ଅନୁଧ୍ୟାନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବାକୁ ହାଇକୋର୍ଟ କହିଛନ୍ତି। ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ୧୦୦ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟ ହେଉଛି କି ନାହିଁ, ଶ୍ରୀମନ୍ଦିର ପ୍ରତି ଏହା କି ପ୍ରକାର ବିପଦ ସୃଷ୍ଟି କରିଛି ସେ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରିବା ପାଇଁ ଏଏସ୍ଆଇକୁ ନିର୍ଦେଶ ରହିଛି। ତେବେ ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆଗାମୀ ଶୁଣାଣିର ତିନି ଦିନ ପୂର୍ବରୁ ପ୍ରତ୍ନତତ୍ତ୍ୱ ବିଭାଗ ରିପୋର୍ଟ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଏହି ରିପୋର୍ଟର ନକଲ ଆବେଦନକାରୀଙ୍କ ଓକିଲଙ୍କୁ ଦେବାକୁ କୁହାଯାଇଛି। ପୁରୀର ସମାଜସେବୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ରୁଜୁ ମାମଲାରେ ଶ୍ରୀମନ୍ଦିରର ନିଷିଦ୍ଧଞ୍ଚଳର ୧୦୦ ମିଟର ମଧ୍ୟରେ ନିର୍ମାଣ କାର୍ଯ୍ୟ ହେଉଥିବା ଓ ଏହା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିବା ସହ ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ଦର୍ଶାଇ ଉକ୍ତ କାର୍ଯ୍ୟ ବନ୍ଦ ପାଇଁ ପ୍ରାର୍ଥନା କରାଯାଇଛି। ଏହି କାର୍ଯ୍ୟ ମାତ୍ର ୪୦ମିଟର ଦୂରତ୍ବ ମଧ୍ୟରେ ହେଉଛି। ଫେବୃଆରୀ ୨୧ରେ ଏଏସ୍ଆଇ ଡିଜି ଘଟଣାସ୍ଥଳ ଅନୁଧ୍ୟାନ କରି ଅସନ୍ତୋଷ ପ୍ରକାଶ କରିବା ସହ କାମ ବନ୍ଦ ପାଇଁ ଚିଠି କରିଥିଲେ। ମାତ୍ର ନିର୍ମାଣ କାର୍ଯ୍ୟ ଚାଲୁଥିବା ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ ମହାପାତ୍ର, ଏଏସ୍ଆଇ ପକ୍ଷରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।
Comments are closed.