ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ବନ୍ଦ,ଧୂଳି ଉଡିବା ବନ୍ଦ ପାଇଁ ପାଣି ସିଞ୍ଚନ କରାଯାଉନାହିଁ, କର୍ମଚାରୀଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେଇଛି ଶ୍ରୀଲକ୍ଷ୍ମୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ
ଶିକ୍ଷା,ସ୍ୱାସ୍ଥ୍ୟ, ପରିବେଶ ଓ ମିଶନଶକ୍ତିକୁ ପ୍ରୋତ୍ସାହନ କରିବାରେ ବହୁ ପଛରେ
ଗୁରୁଡିଝାଟିଆ – ଶିଳ୍ପ ହେଲେ ଆଞ୍ଚଳିକ ବିକାଶ ସାଧନ ହେବ । ଯୁବଗୋଷ୍ଠୀ ମୁହଁରେ ହସ ଫୁଟିବ । କ୍ରୀଡା,ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି,ଗମନାଗମନ,ପରିବେଶ ପୁରି ଉଠିବ । ଏପରିକି ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ଗାଁର ମହିଳାମାନେ ମଧ୍ୟ ବିଶେଷ ଭାବରେ ଉପକୃତ ହୋଇପାରିବେ । ନିୟମ ଅନୁଯାୟୀ କାରଖାନା କର୍ତ୍ତୃପକ୍ଷ ପାରିପାଶ୍ୱର୍ିକ ଉନ୍ନୟନକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକତା ରହିଥିବା ବେଳେ ଏହାକୁ ଏକ ପ୍ରକାର ହାଲକା ଭାବରେ ଗ୍ରହଣ କରିଥିବା କାରଖାନା କର୍ତ୍ତୃପକ୍ଷ ସିମେଣ୍ଟ ପ୍ୟାକିଂ ଓ ଗ୍ରାଇଣ୍ଡିଂ ଆଦି ଅତ୍ୟନ୍ତ ପ୍ରଦୂଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିôବା ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଆଖିବୁଜିଦେଇଛି । ସେମାନଙ୍କୁ ନା ଦିଆଯାଉଛି ପିନ୍ଧିବା ପାଇଁ ତୁଣ୍ଡି ଏବଂ ଖାଇବାକୁ ପ୍ରଦାନ କରାଯାଉଛି କଦଳୀ ଓ ଗୁଡ । ଏପରିକି କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କୁ ସୁରକ୍ଷା ସଂପର୍କିତ ସଚେତନତା କରିବା ପାଇଁ ନିକଟରେ ଗଢିଉଠିଥିବା କାରଖାନାମାନେ କରୁଥିଲେ ମଧ୍ୟ ଶ୍ରୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ କ’ଣ ପାଇଁ ଏଥିପ୍ରତି କରୁନାହିଁ ତାହା ବୁଝାପଡୁନାହିଁ । ପ୍ରକାଶଯୋଗ୍ୟ କାରଖାନା ନିର୍ମାଣ ୨୦୧୭ ରୁ ଆରମ୍ଭ ହୋଇଥିଲେ ମଧ୍ୟ ୨୦୨୧ ଆର୍ଥିକ ବର୍ଷ ପରେ ଉତ୍ପାଦନ ଆରମ୍ଭ କରିଛି ।
କାରଖାନାରେ କାର୍ଯ୍ୟରତ ସମସ୍ତ ସ୍ଥାନୀୟ କର୍ମଚାରୀମାନେ ଠିକାରେ ନିଯୁକ୍ତି ପାଇଛନ୍ତି । ସେମାନଙ୍କୁ ନିୟମିତ କରାନଯିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ । ସତେଅବା କାରଖାନାରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଯୋଗ୍ୟତା ନାହିଁ ? ସ୍ଥାନୀୟ ଅଞ୍ଚଳର ଜନସାଧାରଣ ରାତିଅଧରେ ଆପାତ କାଳୀନ ସ୍ୱରୂପ ଚିକିତ୍ସାଳୟକୁ ଯିବା ପାଇଁ କାରଖାନା କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗାଉଥିବା ବେଳେ ଏବେ କିଛି ମାସ ହେଲା କାହା ପ୍ରରୋଚନାରେ ତାହାକୁ ବନ୍ଦ କରିଦିଆଯାଇଛି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବୁଝିପାରୁନାହାନ୍ତି । ସେହିପରି ଯାନବାହନ ଚଳାଚଳ ପାଇଁ ଘଣ୍ଟିଖାଲ-ନିଧିପୁର ଅଞ୍ଚଳରେ ବ୍ୟାପକ ଧୁଳି ଉଡୁଛି । ଏଥିପାଇଁ କାରଖାନା କର୍ତ୍ତୃପକ୍ଷ ପାଣି ସିଞ୍ଚନ ବ୍ୟବସ୍ଥା କରୁଥିଲେ । ତାହା ମଧ୍ୟ ବନ୍ଦ କରିଦେଲେଣି । ସ୍ଥାନୀୟ ଅଞ୍ଚଳରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,କ୍ରିଡା, ମହିଳାମାନଙ୍କୁ ସହାୟତା ,ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଆଦି ନିକଟରେ ଗଢିଉଠିଥିବା କାରଖାନାମାନ କରୁଥିଲେ ମଧ୍ୟ କ’ଣ ପାଇଁ ଶ୍ରୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ କରୁନାହାନ୍ତି ତାହା ଏବେ ବୁଦ୍ଧିଜୀବି ମହଲରେ ଆଲୋଚିତ ହେଉଛି । ପାରିପାଶ୍ୱର୍ିକ ଉନ୍ନୟନ ନାମରେ କାଁଭାଁ ସହାୟତା ପ୍ରଦାନ କରି କାରଖାନା କର୍ତ୍ତୃପକ୍ଷ ସବୁ କରୁଛି ବୋଲି ନାଗରା ପିଟୁଛି ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି । ଏ ସଂପର୍କରେ କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବେଶ୍ୱର ମହାନ୍ତିଙ୍କୁ ପଚାରିବାରୁ କହିଥିଲେ, ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି ଏବଂ କାରଖାନାର ସମସ୍ତ ତଥ୍ୟ ଯେଉଁ ବିଭାଗ ଜାଣିବା କଥା ସେମାନଙ୍କୁ ଜଣାଇଦେଇଛୁ ବୋଲି କହିଥିଲେ ।
ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ପାରିପାଶ୍ୱର୍ିକ ଉନ୍ନୟନ, ପ୍ରଦୂଷଣ ରୋକିବା ପାଇଁ ପାଣି ସିଞ୍ଚନ ଓ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ବନ୍ଦ ସଂପର୍କରେ ପଚାରିବାରୁ କହିଥିଲେ କାରଖାନା କର୍ତ୍ତୃପକ୍ଷଙ୍କୁ ଆମେ ସମସ୍ତ ତଥ୍ୟ ମାଗିଛୁ । ସପ୍ତାହକ ଭିତରେ ହସ୍ତଗତ ହେଲେ ଅବଗତ କରାଯିବ ।
Comments are closed.