ସମସ୍ୟା ଘେରରେ କୁଟୁଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ; ୭୭ ପିଲାଙ୍କ ପାଇଁ ୨ଟି ଶ୍ରେଣୀ ଗୃହ
ଝୁମ୍ପୁରା : ସଂପ୍ରତି ସରକାର ଶିକ୍ଷା ବିଭାଗକୁ ୫-ଟିରେ ଅନ୍ତଭୁର୍କ୍ତ କରିବା ପରେ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଝୁମ୍ପୁରା ବ୍ଲକ ବନାଞ୍ଚଳରେ ରହିଥିବା ସରକାରୀ ସ୍କୁଲ ଗୁଡିକରେ ଶ୍ରେଣୀ ଗୃହ ଅଭାବ ରହିଥିବାରୁ ପିଲାଙ୍କ ଶିକ୍ଷାଦାନରେ ଘୋର ଅସୁବିଧା ହେଉଥିଲେ ମଧ୍ୟ ଉକ୍ତ ବିଦ୍ୟାଳୟ ଗୁଡିକୁ ଆବଶ୍ୟକ ଶ୍ରେଣୀ ଗୃହ ଯୋଗାଇ ଦେବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନଥିବା ଦେଖିବାକୁ ମିଳୁଛି । ଏହି ବ୍ଲକର କୁଟୁଗାଁ ଠାରେ ୧୯୮୮ ମସିହା ଠାରୁ ପ୍ରାଥମିକ ବିଦ୍ୟାଳୟ ରହିଛି । ଏହି ସ୍କୁଲରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀର ପିଲା ମାନଙ୍କୁ ଶିକ୍ଷାଦାର ବ୍ୟବସ୍ଥା ହୋଇଛି । କିନ୍ତୁ ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ରହିଥିବାରୁ ଶିକ୍ଷକ ମାନେ ୧ମ ଶ୍ରେଣୀର ପିଲାଙ୍କୁ ଠାରୁ ଆରମ୍ଭ କରି ତୃତୀୟ ଶ୍ରେଣୀର ପିଲା ମାନଙ୍କୁ ଗୋଟିଏ କୋଠରୀରେ ଶିକ୍ଷାଦାନ କରୁଥିବା ବେଳେ ଅନ୍ୟ ଏକ କୋଠରୀରରେ ୪ର୍ଥ ଓ ପଞ୍ଚମ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରିବାର ବ୍ୟବସ୍ଥା କରିଛନ୍ତି । ୨ଟି କୋଠରୀରେ ୭୭ ପିଲା ବସି ଶିକ୍ଷାଦାନ କରିବାରେ ଘୋର ଅସୁବିଧା ଦେଖା ଦେଉଛି । ପ୍ରଥମ ଶ୍ରେଣୀରେ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ତୃତୀୟ ଶ୍ରେଣୀର ପିଲାଙ୍କ ପାଠ ପଢାରେ ଅସୁବିଧା ସୃଷ୍ଟି ହେଉଛି । ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ରହିଥିବାରୁ ଏହି ବିଦ୍ୟାଳୟକୁ ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଇ ଦେବା ପାଇଁ ଏହି ପଞ୍ଚାୟତର ସମିତି ସଭ୍ୟା ମଧୁସ୍ମିତା ବେହେରା ପଞ୍ଚାୟତ ସମିତି ବୈଠକରେ ଅଭିଯୋଗ କରିବା ସହିତ ବ୍ଲକ ପ୍ରଶାସନକୁ ମଧ୍ୟ ଅବଗତ କରିଥିଲେ ମଧ୍ୟ ଏହି ବିଦ୍ୟାଳୟ ପାଇଁ ତୁରନ୍ତ ଶ୍ରେଣୀ ଗୃହ ଯୋଗାଇ ଦେବାକୁ ନିବେଦନ କରିଥିଲେ । ଅଭିଯୋଗର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଇ ଦେବାରେ ବ୍ଲକ ପ୍ରଶାସନ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଜିଲା ପ୍ରଶାସନ ଖଣି ପ୍ରଭାବିତ ଗ୍ରାମ ଗୁଡିକରେ ଥିବା ସ୍କୁଲ ଗୁଡିକ ଉନ୍ନତି କରଣ କରିବା ପାଇଁ ଜିଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପାଇଁ ବ୍ୟବସ୍ଥା ହୋଇଛି । କୁଟୁଗାଁ ପଞ୍ଚାୟତ ଖଣି ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ରହିଥିବା ବିଦ୍ୟାଳୟ ଗୁଡିକର ଉନ୍ନତି କରଣ କରିବା ଦିଗରେ କାହିଁକି ଜିଲା ଖଣିଜ ପାଣ୍ଠିର ଅର୍ଥ ଖର୍ଚ୍ଚ କରି ବିଦ୍ୟାଳୟ ଉିନ୍ନତି କରଣ କରାଯାଉ ନାହିଁ ବୋଲି ଏଠାରେ ପ୍ରଶ୍ନ ଉଠୁଛି । ଏହି ବିଦ୍ୟାଳୟ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ଯୋଗାଇ ଦେବା ଦିଗରେ ବ୍ଲକ ପ୍ରଶାସନ ସ୍ୱତନ୍ତ ଭାବରେ ଦୃଷ୍ଟି ଦେବାକୁ ସମିତି ସଭ୍ୟା ଦାବି କରିଛନ୍ତି।
Comments are closed.