ରକ୍ତ ଖୋଜୁଛି ରକ୍ତ ଭଣ୍ଡାର

ନବରଙ୍ଗପୁର: ମୃତ୍ୟୁ ମୁଖରେ ପଡିଥିବା ଲୋକଙ୍କୁ ନିଜର ରକ୍ତଦାନ କରି ତାକୁ ନୂଆ ଜୀବନ ଦେବଠାରୁ କିଛି ବଡ଼ ପୁଣ୍ୟ ନାହିଁ। ରକ୍ତ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ନବରଙ୍ଗପୁର ଜିଲ୍ଲାରେ ବସବାସ କରନ୍ତି ପ୍ରାୟ ୧୫ ଲକ୍ଷ ଲୋକ। କିନ୍ତୁ ଏଠି ରହିଛି ଗୋଟିଏ ମାତ୍ର ରକ୍ତ ଭଣ୍ଡାର। ୧୦ ଗୋଟି ବ୍ଲକକୁ ନେଇ ଗଠିତ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଲୋକଙ୍କ ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରହିଛି ଏକ ମାତ୍ର ରକ୍ତ ଭଣ୍ଡାର। ଗୋଟିଏ ମାସରେ ପ୍ରାୟ ୫୦୦ ୟୁନିଟ ରକ୍ତ ଆବଶ୍ୟକ ହେଉଥିବା ବେଳେ କିନ୍ତୁ ୧୦୦ ୟୁନିଟରୁ ମଧ୍ୟ କମ ରକ୍ତ ସଂଗ୍ରହ ହୋଇ ପାରୁଛି। କୋଭିଡ କଟକଣା ଯୋଗୁଁ ଅଧିକ ସଂଖ୍ୟକ ରକ୍ତ ଦାନ ଶିବିରର ଆୟୋଜନ ହେଇ ପାରି ନ ଥିଲା। ଏବେ କିନ୍ତୁ କୋଭିଡ ପରିସ୍ଥିତିରେ ସୁଧାର ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରକ୍ତ ସଂଗ୍ରହ କରିବା ପାଇଁ ଅଧିକରୁ ଅଧିକ ରକ୍ତ ଦାନ ଶିବିରର ଆୟୋଜନ କରାଯାଉଛି। ତଥାପି ଏହି ରକ୍ତ ମଧ୍ୟ ଯଥେଷ୍ଟ ହେଇ ପାରୁନାହିଁ। ଅନେକ ସମୟରେ ରକ୍ତ ଭଣ୍ଡାରରେ ଲଗାଯାଇଥିବା ବୋର୍ଡଟିରେ ବିଭିନ୍ନ ଗ୍ରୁପଗୁଡିକରେ ଷ୍ଟକ ଜାଗାରେ ଶୂନ ଲେଖାଯାଇଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ମୁଖ୍ୟ ଚିକିତ୍ସାଳୟରେ ବ୍ୟବହାର ହେଉଛି ପ୍ରାୟ ୩୦ ୟୁନିଟ ରକ୍ତ। ସେଥି ମଧ୍ୟରୁ ପ୍ରାୟ ୮ ରୁ ୧୦ ୟୁନିଟ କେବଳ ଗର୍ଭବତୀ ମାଆମାନଙ୍କର ପ୍ରସବ ପାଇଁ। ଆଉ ୫ ୟୁନିଟ ଶିଶୁଙ୍କ ପାଇଁ ବ୍ୟବହୃତ ହେଉଥିବା ବେଳେ ବଳକା ରକ୍ତ ଗୁରୁତର ରୋଗୀ ଏବଂ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଇଁ ବ୍ୟବହାର ହେଉଛି। ଆଉ ଏକ ଗୁରୁତର ସମସ୍ୟା ହେଲା ଜିଲ୍ଲାରେ ପ୍ରାୟ ୨୫୦ ଜଣ ସିକିଲସେଲ ରୋଗୀ ଥିବା ବେଳେ ପ୍ରାୟ ୨୫ ଜଣ, ଥାଲାସେମିୟା ରୋଗୀ ଅଛନ୍ତି। ଏହି ରୋଗୀମାନଙ୍କୁ ପ୍ରାୟ ପ୍ରତ୍ୟେକ ମାସରେ ରକ୍ତର ଆବଶ୍ୟକତା ପଡେ ଏଥିପାଇଁ ଉକ୍ତ ରୋଗୀଙ୍କ ପରିବାର ଲୋକଙ୍କୁ ରକ୍ତ ଯୋଗାଡ଼ କରିବାରେ ମଧ୍ୟ ବେଳେବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରକ୍ତ ଭଣ୍ଡାର ଦାୟିତ୍ୱରେ ଥିବା ଡାକ୍ତର ଦେଵବ୍ରତ ଡାକୁଆ ଏ ସମସ୍ୟାକୁ ଦୂର କରିବା ପାଇଁ ପ୍ରତ୍ୟେକ ବର୍ଷ ନିଜ ଜନ୍ମ ଦିନରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରୁଛନ୍ତି। ଗୋଟିଏ ପଟେ କହିବାକୁ ଗଲେ ରକ୍ତ ଖୋଜୁଛି ରକ୍ତ ଭଣ୍ଡାର। ଆଉ ଏ ଭଣ୍ଡାରକୁ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଇବା ଦାୟିତ୍ୱ ଆମର ବୋଲି ରକ୍ତଭଣ୍ଡାର ଦାୟିତ୍ୱରେ ଥିବା ଡାକ୍ତର ଦେବବ୍ରତ ଡାକୁଆ କହିଛନ୍ତି।

kalyan agarbati

Comments are closed.