ଆରପାରିରେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ
ପୁରୀ: ଆରପାରିରେ ବରିଷ୍ଠ ସେବାୟତ ରଜତ ପ୍ରତିହାରୀ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ କୁମାର ପ୍ରତିହାରୀଙ୍କର ଦେହାନ୍ତ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ହୃଦଘାତ ଘଟିଛି। ତାଙ୍କର ପାର୍ଥିବ ଶରୀର ମୁମ୍ବାଇରୁ ପୁରୀର ବାଲିସାହି ବାସଭବନକୁ ଅଣାଯିବ। ପରିବାର ଲୋକ , ସେବାୟତମାନେ ଦର୍ଶନ କରିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ହେବ। ଶ୍ରୀଜଗନ୍ନାଥଙ୍କ ଗରାବଡୁ ଓ ହଡପନାୟକ ସେବା ଯୋଗାଉଥିଲେ ରଜତ । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ପଣ୍ଡା ଭାବରେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ବିଭିନ୍ନ ସମୟରେ ତେଲୁଗୁ ଭାଷାଭାଷୀ ଲୋକଙ୍କୁ ଆତିଥ୍ୟ ଦେବା ଏବଂ ତେଲୁଗୁ ଭାଷାରେ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କରେ ସେ ଭକ୍ତମାନଙ୍କୁ ବୁଝାଇ ପାରୁଥିଲେ। ବରିଷ୍ଠ ସେବାୟତଙ୍କୁ ସମ୍ମାନ , ସେବାୟତଙ୍କ ଆର୍ଥିକ ଓ ସାମାଜିକ ବିକାଶ, ସେବାୟତଙ୍କ କନ୍ୟା ମାନଙ୍କର ଉଚ୍ଚଶିକ୍ଷା, ପୁରୀ ସହରର ବିକାଶ ଓ ରଥଯାତ୍ରା ଶୃଙ୍ଖଳା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ଥିଲା।
Comments are closed.