bjd gruha runa

ବଢ଼ିବ ବିମାନ ଭଡା

BJD Bijuli 480×75 Mob

ନୂଆଦିଲ୍ଲୀ : ବିମାନରେ ବ୍ୟବହାର କରାଯାଉଥିବା ଇନ୍ଧନ (ଏଟିଏଫ୍‍) ମୂଲ୍ୟ ମାତ୍ରାଧିକ ବୃଦ୍ଧିପାଇଛି । ଏହାର କିଲୋଲିଟର ପିଛା ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି । ଏହାଫଳରେ ବିମାନ ଭଡା ବୃଦ୍ଧି ନିଶ୍ଚିତ ମନେହେଉଛି । ଏହା ଛଡା ଛୋଟ ଛୋଟ ବିମାନ ଚଳାଚଳ ସଂସ୍ଥାଗୁଡିକ ସକାଶେ ଏହା ଗୁରୁତର ପ୍ରତିକୂଳ ପ୍ରଭାବ ପକାଇବାକୁ ଯାଉଛି । ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବୁଧବାରଠାରୁ ଏଟିଏଫ୍‍ ମୂଲ୍ୟ ଥରକରେ ୧୮% ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ଷଷ୍ଠ ଥର ବୃଦ୍ଧି ପରେ ଜେଟ୍‍ ଇନ୍ଧନ ସମ୍ପ୍ରତି ଚଳିତ ବର୍ଷ ଜାନୁଆରୀ ତୁଳନାରେ ୫୦% ମହଙ୍ଗା ହୋଇଛି।

ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧି ସହିତ ଦେଶରେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ଚାରିମାସ ହେଲା ସଂଶୋଧନ କରାଯାଉନଥିବାରୁ ଏଟିଏଫ୍‍ ମୂଲ୍ୟରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି । ଦେଶର କେତେକ ରାଜ୍ୟ ଜେଟ୍‍ ଇନ୍ଧନ ଉପରୁ ଟିକସ ହ୍ରାସ କରୁନ ଥିବାବେଳେ କେନ୍ଦ୍ର ସରକାର ମଧ୍ୟ ଉତ୍ପାଦନ ଶୁଳ୍କ ହ୍ରାସ କରୁନାହାନ୍ତି। ଦର ବୃଦ୍ଧିପରେ ଦିଲ୍ଲୀରେ ଘରୋଇ ବିମାନଗୁଡିକ ନିମନ୍ତେ ଏଟିଏଫ୍‍ ମୂଲ୍ୟ ପ୍ରତି କିଲୋଲିଟର (ଏକ ହଜାର ଲିଟର) ପିଛା ୧,୧୦,୬୬୬ ଟଙ୍କା ୨୯ ପଇସା ହୋଇଛି। ଅର୍ଥାତ୍‍ କିଲୋଲିଟର ପିଛା ୧୭,୧୩୫ ଟଙକା ୬୩ ପଇସା ବୃଦ୍ଧି ଘଟିଛି। ସେହିଭଳି ମୁମ୍ବଇରେ ଏହା ୧,୦୯,୧୧୯ ଟଙ୍କା ୮୩ ପଇସାକୁ ବୃଦ୍ଧିପାଇଛି। ସୂଚନାଯୋଗ୍ୟ ଯେ ବିମାନ ଚଳାଚଳ ସଂସ୍ଥାଗୁଡିକର ମୋଟ ପରିଚାଳନା ଖର୍ଚ୍ଚ ମଧ୍ୟରେ ଏଟିଏଫ୍‍ କେବଳ ୪୫% ଅଂଶ ନେଇଥାଏ। ଏଟିଏଫ୍‍ ଦର ବୃଦ୍ଧି ପରେ ବିମାନ ଚଳାଚଳ ସଂସ୍ଥାଗୁଡିକର ଖର୍ଚ୍ଚ ବୃଦ୍ଧିପାଇବ ଏବଂ ତାହା ଭରଣା କରିବାକୁ ସେମାନେ ଭଡା ବୃଦ୍ଧି କରିବାକୁ ବାଧ୍ୟହେବେ ବୋଲି ଏହି ଶିଳ୍ପ ସହିତ ସମ୍ପୃକ୍ତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Comments are closed.