ସ୍କୁଲରେ୯ମ ଶ୍ରେଣୀ ଛାତ୍ରକୁ ହତ୍ୟା

0

ଅହମଦାବାଦ (ପିଟିଆଇ): ଗୁଡ଼ଗାଓଁର ରିୟାନ ସ୍କୁଲରେ ଏକ କୋମଳମତି ଛାତ୍ରକୁ ହତ୍ୟା ଘଟଣାର ପୁନରାବୃତ୍ତି ଘଟିଛି ଗୁଜରାଟରେ। ବରୋଦା ସହରରେ ଜଣେ ୯ମ ଶ୍ରେଣୀ ଛାତ୍ରକୁ ସ୍କୁଲ ପରିସର ପାଇଖାନା ଭିତରେ ହତ୍ୟା କରାଯାଇଛି। ପୁଲିସ କହିବା ଅନୁଯାୟୀ ୧୦ ଶ୍ରେଣୀର କେତେକ ଛାତ୍ର ଧାରୁଆ ଅସ୍ତ୍ର ଯୋଗେ ୯ମ ଶ୍ରେଣୀ ପିଲାଟିକୁ ହତ୍ୟା କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ ପିଲାଟିର ମୃତଦେହକୁ ସ୍କୁଲର ପ୍ରଥମ ମହଲା ପାଇଖାନାରୁ ଜବତ କରାଯାଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ପୁଲିସ ଜବତ କରିଛି। ଏହା ସହିତ ଘଟଣାସ୍ଥଳରୁ ହତ୍ୟାକାରୀ ପିଲାଙ୍କ ସ୍କୁଲ ବ୍ୟାଗ ଓ ଲଙ୍କାଗୁଣ୍ଡ ଜବତ କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି ଯେ ପିଲାଟି ଶରୀରରେ ୧୦ଟି କ୍ଷତ ଚିହ୍ନ ରହିଛି। ଏହି ଘଟଣାରେ ପୁଲିସ ୪ଜଣ ପିଲାଙ୍କୁ ଅଟକ ରଖିଛି। ଜଣେ ୧୦ମ ଶ୍ରେଣୀ ଛାତ୍ର ଏହି ହତ୍ୟା କରିଥିବାବେଳେ ଅନ୍ୟ ତିନିଜଣ ତାକୁ ସହଯୋଗ କରିଥିଲେ ବୋଲି ବରୋଦା ପୁଲିସ କମିଶନର କହିଛନ୍ତି। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ହତ୍ୟାର ଶିକାର ୯ମ ଶ୍ରେଣୀ ପିଲାଟି ଚଳିତ ବର୍ଷ ନୂଆ କରି ସ୍କୁଲରେ ନାମ ଲେଖାଇଥିଲା। କିଛି ଦିନ ତଳେ ତାର ଅନ୍ୟ କେତେକ ପିଲାଙ୍କ ସହିତ ପାଟିତୁଣ୍ଡ ହୋଇଥିଲା।
ଶୁକ୍ରବାର ପ୍ରାୟ ୧୧ଟା ୫୦ରେ କେତେକ ପ୍ରାଥମିକ ଶ୍ରେଣୀ ଛାତ୍ର ପାଇଖାନା ମଧ୍ୟରେ ଜଣେ ଛାତ୍ର ରକ୍ତାକ୍ତ ଅବସ୍ଥାରେ ପଡିଥିବା ନେଇ ଶିକ୍ଷକଙ୍କୁ ସୂଚନା ଦେଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଡକାଇ ଛାତ୍ର ଜଣଙ୍କୁ ହସ୍ପିଟାଲ ନେଇଥିଲେ; ମାତ୍ର ସେତେବେଳକୁ ପିଲାଟିର ମୃତ୍ୟୁ ହୋଇସାରିଥିଲା। ପୁଲିସ ଓ ଫରେନସିକ୍‍ ଟିମ୍‍ ହତ୍ୟାକାଣ୍ଡ ସ୍ଥଳ ଓ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଚଳାଇଛି। ଗତବର୍ଷ ସେପ୍ଟେମ୍ବରରେ ଗୁଡଗାଓଁର ଏକ ଘରୋଇ ସ୍କୁଲରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ସ୍କୁଲ ପରିସରରେ ହତ୍ୟା କରାଯାଇଥିଲା। ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା।

Leave A Reply