ଅଧିବେଶନକୁ ରାଜ୍ୟପାଳ ଭୁଲ୍ କହିବାର ସାମ୍ବିଧାନିକ ଆଧାର ନାହିଁ, ରାଜ୍ୟପାଳଙ୍କ ଭୂମିକା ସଂସଦୀୟ ଗଣତନ୍ତ୍ରର ସ୍ଥାୟିତ୍ବ କ୍ଷେତ୍ରରେ ବିପଦ
ନୂଆଦିଲ୍ଲୀ : ବିଧାନସଭାରେ ଗୃହୀତ ବିଧେୟକଗୁଡ଼ିକରେ ସ୍ବାକ୍ଷର ନକରି ଏଗୁଡ଼ିକୁ ମାସ ମାସ ଧରି ଅଟକାଇ ରଖିବା ମାମଲାରେ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଓ ତାମିଲନାଡ଼ୁ ରାଜ୍ୟପାଳ ଆର.ଏନ୍ ରବିଙ୍କ ପ୍ରତି ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ପୁନର୍ବାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ନିର୍ବାଚିତ ଲୋକପ୍ରତିନିଧିଙ୍କ ଦ୍ବାରା ବିଧାନସଭାରେ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଉପାୟରେ ଗୃହୀତ ବିଧେୟକଗୁଡ଼ିକୁ ଅନୁମୋଦନ ନଦେବା ଅତ୍ୟନ୍ତ ଅଗଣତାନ୍ତ୍ରିକ। ରାଜ୍ୟପାଳ ନିଆଁ ସହ ଖେଳୁଛନ୍ତି। ତୁରନ୍ତ ବିଧେୟକଗୁଡ଼ିକୁ ମଞ୍ଜୁରୀ ଦିଅନ୍ତୁ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବ ପୀଠ।
ମାମଲାରେ ପଞ୍ଜାବ ରାଜ୍ୟପାଳ ପୁରୋହିତଙ୍କ ଜବାବକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି। ଗତ ଜୁନ୍ ୧୯ ଓ ୨୦ରେ ଅନୁଷ୍ଠିତ ବିଧାନସଭା ଅଧିବେଶନ ସାମ୍ବିଧାନିକ ଦୃଷ୍ଟିରୁ ବୈଧ ନଥିଲା; ତେଣୁ ଏହି ଦୁଇ ଦିନରେ ଗୃହୀତ ବିଧେୟକକୁ ମଞ୍ଜୁରୀ ଦିଆଯାଇନାହିଁ ବୋଲି ରାଜ୍ୟପାଳଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ପ୍ରଧାନ ବିଚାରପତି କହିଛନ୍ତି ଯେ ନିର୍ବାଚିତ ବିଧାନସଭାର କୌଣସି ଅଧିବେଶନକୁ ରାଜ୍ୟପାଳ ସନ୍ଦେହ କରିପାରିବେ ନାହିଁ ବା ଭୁଲ୍ ବୋଲି କହିପାରିବେ ନାହିଁ। ରାଜ୍ୟପାଳଙ୍କର ଅଧିବେଶନକୁ ଭୁଲ୍ ଦର୍ଶାଇବାର ସାମ୍ବିଧାନିକ ଆଧାର ନାହିଁ। ଏପରି ସନ୍ଦେହ ଦ୍ବାରା ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ହେବ। ପଞ୍ଜାବରେ ଯାହା ଘଟୁଛି ସେଥିରୁ ସଂସଦୀୟ ଗଣତନ୍ତ୍ରର ସ୍ଥାୟିତ୍ବ ନେଇ ଚିନ୍ତା ଉଦ୍ରେକ ହେଉଛି। ବିଧାନସଭାରେ ଗୃହୀତ ହେବା ପରେ ତାଙ୍କ ନିକଟକୁ ଆସିଥିବା ବିଧେୟକଗୁଡ଼ିକ ସାମ୍ବିଧାନିକ ଦୃଷ୍ଟିରୁ ବୈଧ ହୋଇଥିବାରୁ ରାଜ୍ୟପାଳ ବିଳମ୍ବ ନକରି ଏଗୁଡ଼ିକୁ ଅନୁମୋଦନ ଦିଅନ୍ତୁ।
ପଞ୍ଜାବ, ତାମିଲନାଡ଼ୁ, କେରଳ ଆଦି ରାଜ୍ୟର ରାଜ୍ୟପାଳମାନେ ରାଜନୈତିକ ବିରୋଧୀ ଭଳି ଭୂମିକା ନିର୍ବାହ କରିବା ସହ ବିଧାନସଭାରେ ଗୃହୀତ ବିଧେୟକଗୁଡ଼ିକୁ ମଞ୍ଜୁରୀ ନଦେଇ ପକାଇ ରଖିଛନ୍ତି। ରାଜ୍ୟପାଳଙ୍କ ଅସାମ୍ବିଧାନିକ ଭୂମିକା ଯୋଗୁଁ ପ୍ରଶାସନିକ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ କରି ସମସ୍ତ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରଧାନ ବିଚାରପତିଙ୍କ ପୀଠରେ ବିଚାରପତି ଜେ.ବି ପାର୍ଡିୱାଲା ଓ ବିଚାରପତି ମନୋଜ ମିଶ୍ର ସଦସ୍ୟ ଅଛନ୍ତି। ଗତ ୬ ତାରିଖରେ ମାମଲାର ଶୁଣାଣିବେଳେ ପୀଠ ‘ରାଜ୍ୟପାଳ ନିର୍ବାଚିତ ପ୍ରତିନିଧି ନୁହନ୍ତି’ ବୋଲି ମତବ୍ୟକ୍ତ କରିବା ସହ ବାସ୍ତବ ସ୍ଥିତି ଉପରେ ସଲିସିଟର ଜେନେରାଲ ତୁଷାର ମେହତାଙ୍କ ମାଧ୍ୟମରେ ରିପୋର୍ଟ ତଲବ କରିଥିଲେ। ବିଧେୟକଗୁଡ଼ିକ ଉପରେ ରାଜ୍ୟପାଳମାନେ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କିତ ସ୍ଥିତି ଜଣାଇବାକୁ ନିର୍ଦେଶ ଦେଇଥିଲେ। ଶୁକ୍ରବାର ଏହାର ଶୁଣାଣିବେଳେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଭି କହିଥିଲେ ଯେ ପଞ୍ଜାବ ରାଜ୍ୟପାଳ ଗତ ଜୁଲାଇରୁ ୭ଟି ଗୁରୁତ୍ବପୂର୍ଣ୍ଣ ବିଧେୟକ ଅଟକାଇ ରଖିଛନ୍ତି। ତାମିଲନାଡୁ ସରକାର ଦର୍ଶାଇଥିଲେ ଯେ ରାଜ୍ୟପାଳ ଜନତାଙ୍କ ଇଚ୍ଛା ପ୍ରତି ଅବମାନନା କରୁଛନ୍ତି। ତାମିଲନାଡ଼ୁ ରାଜ୍ୟପାଳ ୧୪ ଓ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାଁ ୮ଟି ବିଧେୟକକୁ ମଞ୍ଜୁରୀ ନଦେଇ ଅଟକାଇ ରଖିଛନ୍ତି। ଗତ ଏପ୍ରିଲରେ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣିକରି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ସମ୍ବିଧାନର ଧାରା-୨୦୦ ଆଧାରରେ ରାଜ୍ୟପାଳମାନେ ଯଥା ସମ୍ଭବ ଶୀଘ୍ର ବିଧେୟକଗୁଡ଼ିକୁ ମଞ୍ଜୁର ଦେବା ଉଚିତ। ଏହାକୁ ମଧ୍ୟ ଉପରୋକ୍ତ ରାଜ୍ୟପାଳମାନେ ଅବଜ୍ଞା କରିଆସୁଛନ୍ତି।



