ବୃଶୃଙ୍ଖଳିତ ଲୋକେ ମିଳିମିଶି କାହାକୁ ମାରିଦେବା ଏକ ଅପରାଧ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : କୌଣସି ପରିସ୍ଥିତିରେ ଆଇନକୁ ହାତକୁ ନେବା ଏକ ଅପରାଧ। ତେଣୁ ଗୋଷ୍ଠୀଗତ ଭାବେ ଲୋକେ ମିଳିମିଶି କାହାକୁ ମାରିଦେବା ଏକ ଅପରାଧ। ଗୋରୁ ଚୋରି ହେଉ ଅବା ପିଲା ଚୋରି ଏହା ପଛରେ ଯାହା ବି ଉଦ୍ଦେଶ୍ୟ ଥାଉ ନା କାହିଁକୁ ଏହାକୁ ଅପରାଧ ବିବେଚନା ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଏହା ଏକ ଆଇନଶୃଙ୍ଖଳା ବିଷୟ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ରୋକିବା ଲାଗି ପଦକ୍ଷେପ ନେବା ଦରକାର। ସମ୍ବିଧାନର ଧାରା ୨୫୬ ଅନୁଯାୟୀ କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ଯୋଜନା ପ୍ରସ୍ତୁତ ପୂର୍ବକ ରାଜ୍ୟ ସରକାରଙ୍କୁ ମଧ୍ୟ ଆବଶ୍ୟକ ନିର୍ଦେଶ ଦେଇପାରିବେ।
ମିଳିମିଶି ଜଣଙ୍କୁ ପିଟିପିଟି ମାରିଦେବା ଭଳି ଘଟଣାକୁ ରୋକିବା ଲାଗି ସୁପ୍ରିମକୋର୍ଟ ପୂର୍ବରୁ ରାଜ୍ୟ ସରକାରଗୁଡିକୁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ତ୍ବେ ଏପରି ଅପରାଧ ଘଟି ଚାଲିଛି। ତେଣୁ ଏ ନେଇ ସାମାଜିକ କର୍ମୀ ତେହସିନ ପୂନାୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ମାମଲାର ଶୁଣାଣି କାଳରେ ସୁପ୍ରିମକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି କୌଣସି ପରିସ୍ଥିତିରେ କେହି ଜଣେ ଆଇନକୁ ନିଜ ହାତକୁ ନେଇପାରିବ ନାହିଁ।
ଗୋରୁ ଚୋରି ନାମରେ ଲୋକଙ୍କୁ ପିଟିପିଟି ମାରିଦେବା ଭଳି ଘଟଣା ପରେ ସୁପ୍ରିମକୋର୍ଟ ଏପରି ଅପରାଧ ରୋକିବା ଲାଗି ରାଜ୍ୟଗୁଡିକ ଲାଗି ଆବଶ୍ୟକ ଗାଇଡଲାଇନ ଦେଖାଇଥିଲେ। ଏହି ଘଟଣା ରୋକିବାକୁ ନୋଡାଲ ଅଫିସର ନିଯୁକ୍ତି ସହ ରାଜପଥରେ ପାଟ୍ରୋଲିଂ ଲାଗି ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ। ଏହାସତ୍ତ୍ବେ ନିୟମିତ ଭାବେ ଏହି ଘଟଣା ଘଟିଚାଲିଛି। ଏବେ ପିଲା ଚୋରି ନାମରେ ଲୋକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଉଛି। ନିକଟରେ ମହାରାଷ୍ଟ୍ରରେ ଅନୁରୂପ ଅଭିଯୋଗରେ ୬ଜଣଙ୍କୁ ହତ୍ୟା କରାଯାଇଥିଲା। ଦୁଇମାସ ମଧ୍ୟରେ ପିଲା ଚୋରି ଗୁଜବକୁ ନେଇ ୨୭ଜଣଙ୍କୁ ହତ୍ୟା କରାଗଲାଣି।