ସୁପ୍ରମିକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ନେଇ ବିବାଦ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ (ବିଚାରପତିଙ୍କ କମିଟି) କେଏମ୍ ଜୋସେଫଙ୍କ ନାମ ସୁପାରଶି କରିଥିଲାବେଳେ କେନ୍ଦ୍ର ସରକାର ମଞ୍ଜୁରୀ ଦେବାରେ ବିଳମ୍ବିତ କରିଛନ୍ତି । ଏହାକୁ ନେଇ କଂଗ୍ରେସ ଓ ବାମ ଦଳ ଗୁରୁବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ନେତା କପିଲ ସିବଲ ଉତ୍ତରାଖଣ୍ଡ ହାଇକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଜୋସେଫଙ୍କୁ ସୁପ୍ରିମକୋର୍ଟ ପଠାନଯିବା ଘଟଣାକୁ ନ୍ୟାୟପାଳିକା ଉପରେ ସରକାରଙ୍କ ହସ୍ତକ୍ଷେପ ବୋଲି ଅଭିହିତ କରିଛନ୍ତି । ଅପରପକ୍ଷରେ କେନ୍ଦ୍ର ସରକାର କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିବା ପୂର୍ବକ ସ୍ପଷ୍ଟ କରିଛନ୍ତି ଯେ କଲେଜିୟମ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ବରିଷ୍ଠତା କ୍ରମରେ ଜଷ୍ଟିସ୍ ଜୋସେଫ ଏବଂ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କ ନାମ ସୁପାରିଶ କରିଥିଲେ। କେନ୍ଦ୍ର ସରକାର ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କ ନାମକୁ ନିଯୁକ୍ତି ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଜୋସେଫଙ୍କ ନାମ ସୁପାରିଶକୁ ପୁନଃ ବିଚାର ପାଇଁ କଲେଜିୟମ ନିକଟକୁ ପଠାଇ ଦେଇଛନ୍ତି । ଏପଟେ ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ଦ୍ୱାରା ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଜଷ୍ଟିସ୍ଙ୍କ ନାମ ପୁନର୍ବିଚାର ପାଇଁ ପଠାଇବା କେନ୍ଦ୍ର ସରକାରଙ୍କ ଅଧିକାର ଅଟେ ଓ ଅଦାଲତ ଏହା ଉପରେ ବିଚାର କରିବ । ଜଷ୍ଟିସ୍ଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଅକଳ୍ପନୀୟ ଓ ଆଗରୁ ଏପରି କେବେ ହୋଇନଥିଲା ବୋଲି କହିଛନ୍ତି । ପ୍ରକାଶ ଯେ ସୁପ୍ରିମକୋର୍ଟରେ ଜଷ୍ଟିସ୍ ଜୋସେଫ ଏବଂ ଇନ୍ଦୁ ମାଲହୋତ୍ରାଙ୍କ ଏକକାଳୀନ ନିଯୁକ୍ତି ଦାବିରେ ସୁପ୍ରିମକୋର୍ଟର ୧୦୦ରୁ ଊର୍ଦ୍ଧ୍ବ ଓକିଲ ପିଟିସ୍ନ ଦାଏର କରିଥିଲେ । କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦେଶରେ ନ୍ୟାୟପାଳିକାର ସ୍ୱାଧୀନତା ବିପଦରେ ଅଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ ସରକାର ହାଇକୋର୍ଟରେ ନିଜ ଲୋକଙ୍କୁ ଅବସ୍ଥାପିତ କରିବାକୁ ଚାହୁଁଛନ୍ତି । ଜଷ୍ଟିସ୍ କେଏମ୍ ଜୋସେଫଙ୍କ ନିଯୁକ୍ତି ପାଇଁ କଲେଜିୟମର ସୁପାରିଶକୁ ଜାଣିଶୁଣି ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମ ଟ୍ୱିଟ୍ କରି ମୋଦି ସରକାର କ’ଣ ଆଇନରୁ ଊର୍ଦ୍ଧ୍ବରେ ବୋଲି ପ୍ରଶ୍ନ କରିଛନ୍ତି । ଆଇନ ଅନୁସାରେ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶକୁ ନିୁଯକ୍ତି କ୍ଷେତ୍ରରେ ଚୂଡାନ୍ତ ବୋଲି ଧରାଯାଇଥାଏ, ତେବେ କେ ଏମ୍ ଜୋସେଫଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ବରିଷ୍ଠତା ଭିତ୍ତିରେ ଜଷ୍ଟିସ୍ ଜୋସେଫଙ୍କ ଉପରେ ୪୧ ବିଚାରପତି ଅଛନ୍ତି । ତେଣୁ କେନ୍ଦ୍ର ସରକାର ଏହି ନାମକୁ ପୁନଃ ବିଚାର ପାଇଁ ପଠାଇଛନ୍ତି ।