ମହାଭିଯୋଗ : ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବ କଂଗ୍ରେସ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆଗତ ମହାଭିଯୋଗ ନୋଟିସକୁ ଖାରଜ କରିବା ନେଇ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିଷ୍ପତ୍ତି ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟ ଯିବ ବୋଲି ଘୋଷଣା କରିଛି। କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲ କହିଛନ୍ତି ଯେ ନାଇଡୁ ନୋଟିସର ସତ୍ୟତାକୁ ଅନୁଭବ ନ କରି ଅଗ୍ରାହ୍ୟ କରିଛନ୍ତି ଓ ଏହା ଉପରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ନାହିଁ । ଅପରପକ୍ଷରେ ବିଜେପି ପକ୍ଷରୁ କୁହାଯାଇଛି ଯେ ମହାଭିଯୋଗ ନୋଟିସ ପୂର୍ବକ କଂଗ୍ରେସ ପ୍ରଧାନ ବିଚାରପତିଙ୍କ ଉପରେ ମାନସିକ ଚାପ ପକାଇବାକୁ ଚେଷ୍ଟା କରିଛି। ସେହିପରି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କେଉଁ ଆଧାରରେ ନାଇଡୁ ଏହି ନୋଟିସ୍‌କୁ ଖାରଜ କଲେ ବୋଲି ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ କଂଗ୍ରେସ ସହିତ ୭ଟି ବିରୋଧୀ ଦଳ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବହିଷ୍କାର ଦାବି ପୂର୍ବକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମହାଭିଯୋଗ ନୋଟିସ ଦେଇଛନ୍ତି। ଶୁକ୍ରବାର ଦିଆଯାଇଥିବା ଏହି ମହାଭିଯୋଗ ନୋଟିସରେ ରାଜ୍ୟସଭାର ୬୪ଜଣ ସାଂସଦ ସ୍ୱାକ୍ଷର କରିଛନ୍ତି।

Leave A Reply