ପୁଣି ଚର୍ଚ୍ଚାରେ ବିଚାରପତି ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ରଠୁ ଜବାବ ଲୋଡିଲେ କଲେଜିୟମ

0

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ କଲେଜିୟମ ଓ କେନ୍ଦ୍ର ପୁନଃ ଚର୍ଚ୍ଚାକୁ ଆସିଛନ୍ତି। ଜାମ୍ମୁ-କାଶ୍ମୀର ହାଇକୋର୍ଟ ବିଚାରପତି ଭାବେ ବରିଷ୍ଠ ଅତିରିକ୍ତ ଆଡଭୋକେଟ ଜେନେରାଲ ୱାସୀମ ସାଦିକ ନରଗାଲଙ୍କ ପଦୋନ୍ନତି ପ୍ରସ୍ତାବ କେନ୍ଦ୍ର ସରକାର ଏକ ବର୍ଷ ପୂର୍ବେ ଫେରସ୍ତ କରିଥିବା ବେଳେ ଏ ନେଇ ଏଯାବତ କୌଣସି କାରଣ ଦର୍ଶାଇ ନାହାନ୍ତି। ଏଣୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ କଲେଜିୟମ ଏହାର କାରଣ ଦର୍ଶାବାକୁ ଆଇନ ମନ୍ତ୍ରାଳୟକୁ କହିଛନ୍ତି। ଜାନୁଆରୀ ୧୬ରେ ଅନୁଷ୍ଠିତ କଲେଜିୟମ ବୈଠକରେ ଏ ସମ୍ବନ୍ଧରେ ଆଲୋଚନା ହୋଇଛି।
ନାରଗାଲଙ୍କ ସହିତ ଆଇନଜୀବୀ ନାଜିର ଅହମ୍ମଦ ବେଗ, ସହକାରୀ ସଲିସିଟର ଜେନେରାଲ ସିନ୍ଧୁ ଶର୍ମା ଏବଂ ବିଚାର ବିଭାଗୀୟ ଅଧିକାରୀ ରଶିଦ ଅଲ୍ଲୀ ଦାରଙ୍କୁ ଜାମ୍ମୁ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ୨୦୧୮ ଏପ୍ରିଲ ୬ରେ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ତତ୍‌ସମୟରେ କଲେଜିୟମରେ ବର୍ତ୍ତମାନର ପ୍ରଧାନ ବିଚାରପତି ଗୋଗଇ ଏବଂ ଅବସରପ୍ରାପ୍ତ ବିଚାରପତି ଜେ. ଚେଲମେଶ୍ବର ସଦସ୍ୟ ଥିଲେ। କଲେଜିୟମର ୩ ବିଚାରପତି ସୁପାରିସଦାତାମାନଙ୍କ ସହିତ ପରାମର୍ଶ କରିବା ପରେ ଏହି ପ୍ରସ୍ତାବ ଚୂଡାନ୍ତ କରିଥିଲେ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଗଲେ ନାରଗାଲଙ୍କୁ ପ୍ରଥମେ ହାଇକୋର୍ଟରେ ନିଯୁକ୍ତି ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଆଇନ ମନ୍ତ୍ରାଳୟ ୨୦୧୮ ଅଗଷ୍ଟ ୩ରେ ନରଗାଲ ଓ ବେଗଙ୍କ ପଦୋନ୍ନତି ସ୍ଥଗିତ ରଖି କେନ୍ଦ୍ର ସରକାର ଶର୍ମା ଓ ଦାରଙ୍କୁ ପଦୋନ୍ନତି ଦେଇଥିଲେ। ଫଳରେ ଶର୍ମା ଜାମ୍ମୁ-କାଶ୍ମୀର ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ନାରଗାଲଙ୍କ ପଦୋନ୍ନତି ସମ୍ବନ୍ଧରେ ପୁର୍ନବିଚାର କରିବାକୁ କଲେଜିୟମକୁ ମନ୍ତ୍ରାଳୟ ପରାମର୍ଶ ଦେଇଥିଲା ମନ୍ତ୍ରାଳୟ। ଇତିମଧ୍ୟରେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ନାରଗାଲଙ୍କ ନିଯୁକ୍ତି ସମ୍ବନ୍ଧୀୟ ପ୍ରସ୍ତାବ ଫେରସ୍ତ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି କାରଣ ଦର୍ଶାଯାଇ ନାହିଁ। ଜାନୁଆରୀ ୧୬ କଲେଜିୟମ ବୈଠକରେ ଏହା ଉପରେ ଆଲୋଚନା ହୋଇଛି। ବେଗଙ୍କ ପଦୋନ୍ନତି ଉପରେ ପୁର୍ନବିଚାର ପାଇଁ ବୈଠକରେ ସହମତି ପ୍ରକାଶ ପାଇଛି। କିନ୍ତୁ ନାରଗାଲଙ୍କ ପଦୋନ୍ନତି ପ୍ରସ୍ତାବ ଫେରସ୍ତ ସମ୍ବନ୍ଧରେ ସ୍ବତନ୍ତ୍ର କାରଣ ଦର୍ଶାଇବାକୁ ମନ୍ତ୍ରାଳୟକୁ କଲେଜିୟମ ନିବେଦନ କରିଛି। ନାରଗାଲ ୨୦୧୮ ଜୁନରେ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏବେ ସେ କେବଳ ଜଣେ ଆଇନଜୀବୀ ଭାବେ ଜାମ୍ମୁରେ କାର୍ଯ୍ୟ କରୁଛନ୍ତି। ଜାମ୍ମୁ-କାଶ୍ମୀର ହାଇକୋର୍ଟରେ ୧୭ଟି ବିଚାରପତି ପଦ ଥିବା ବେଳେ ଏବେ ମାତ୍ର ୯ ଜଣ ବିଚାରପତି ଅଛନ୍ତି।

Leave A Reply