ମହାଭିଯୋଗ ନୋଟିସ ଖାରଜ ହେଲେ ସୁପ୍ରିମକୋର୍ଟ ଯିବ କଂଗ୍ରେସ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକ ଦେଇଥିବା ମହାଭିଯୋଗ ନୋଟିସ ଉପରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଏପରିସ୍ଥିତିରେ କଂଗ୍ରେସ କହିଛି ଯେ ମହାଭିଯୋଗ ନୋଟିସକୁ ଯଦି ନାଇଡୁ ଅଗ୍ରାହ୍ୟ କରନ୍ତି ତେବେ ଏହା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ। ଦଳର ଜଣେ ନେତା କହିଛନ୍ତି ଯେ ନାଇଡୁ ଯଦି ନୋଟିସର ସତ୍ୟତାକୁ ଅନୁଭବ ନ କରନ୍ତି ଓ ଏହାକୁ ଅଗ୍ରାହ୍ୟ କରନ୍ତି ତେବେ ଏହାକୁ ନ୍ୟାୟିକ ସମୀକ୍ଷା ପାଇଁ ପଠାଯିବ। ନେତା ଜଣଙ୍କ କହିଛନ୍ତି ଯେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ନ୍ୟାୟିକ ଚାଲେଞ୍ଜ ପାଇଁ ପଠାଯିବାର ବ୍ୟବସ୍ଥା ରହିଛି।
ଅନ୍ୟପଟେ ମହାଭିଯୋଗ ନୋଟିସ ଉପରେ ରାଜ୍ୟସଭା ଅଧ୍ୟକ୍ଷ କେବେ ତାଙ୍କର ନିଷ୍ପତ୍ତି ଜଣାଇବେ ସେ ନେଇ କୌଣସି ନିୟମ ନାହିଁ। ଏପରିସ୍ଥିତିରେ କଂଗ୍ରେସ କହିଛି ଯେ ନୋଟିସ ଉପରେ ଅଧ୍ୟକ୍ଷ ତାଙ୍କର ନିଷ୍ପତ୍ତି ତୁରନ୍ତ ଜଣାଇବା ଦରକାର। କଂଗ୍ରେସର ଏହି ମହାଭିଯୋଗ ନୋଟିସ ଅଗ୍ରାହ୍ୟ ହେବାର ଅନେକ ସମ୍ଭାବନା ରହିଛି। ସଂସଦର ଜଣେ ଅଧକାରୀ କହିଛନ୍ତି ଯେ ନୋଟିସକୁ ଗ୍ରହଣ କରାଯିବା ପୂର୍ବରୁ ଏହାକୁ ସର୍ବସାଧାରଣରେ ପ୍ରକାଶ କରିବା ଦ୍ୱାରା ନିୟମର ଉଲ୍ଲଙ୍ଘନ ହୋଇଥାଏ। ଲୋକସଭାର ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ ନିମ୍ନ ସଦନରେ ମଧ୍ୟ ଅନୁରୂପ ନିୟମ ରହିଛି। ରୁଲ ୩୩୪ଏ ଏସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି।
ମହାଭିଯୋଗ ନୋଟିସ ପୂର୍ବକ କଂଗ୍ରେସ ପ୍ରଧାନ ବିଚାରପତିଙ୍କ ଉପରେ ମାନସିକ ଚାପ ପକାଇବାକୁ ଚେଷ୍ଟା କରିଛି। ଦଳ କହିଛି ଯେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ନୋଟିସ ଦିଆଯାଇଥିବାରୁ ସେ ନ୍ୟାୟିକ ଓ ପ୍ରଶାସନିକ କାର୍ଯ୍ୟରୁ ନିଜକୁ ଦୂରେଇ ରଖିବା ଦରକାର। ପୂର୍ବରୁ ଯେଉଁ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ନୋଟିସ ଆସିଥିଲା ସେମାନେ ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରହୁଥିଲେ। ତେଣୁ ପ୍ରଧାନ ବିଚାରପତି ଅନୁରୂପ ଭାବେ ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରହିବା ଦରକାର ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲ କହିଛନ୍ତି। ସେ କହିଛନ୍ତି ଯେ ମହାଭିଯୋଗ ନୋଟିସ ପରେ ସମ୍ପୃକ୍ତ ବିଚାରପତି ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରହିବା ଏକ ପ୍ରଚଳିତ ପ୍ରଥା। ତେବେ ଏଥିପାଇଁ କୌଣସି ସାମ୍ବିଧାନିକ ବା ନ୍ୟାୟିକ କଟକଣା ନାହିଁ। ସୂର୍ଯେୱାଲା କହିଛନ୍ତି ଯେ ପ୍ରଧାନ ବିଚାରପତି ନିଜକୁ ସନ୍ଦେହରୁ ଊର୍ଦ୍ଧ୍ବରେ ରଖିବା ଦରକାର। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି। ତେଣୁ ସେ ନିଜକୁ ନ୍ୟାୟିକ ଓ ପ୍ରଶାସନିକ କାର୍ଯ୍ୟରୁ ଦୂରେଇ ରଖିବା ଦରକାର। ମହାଭିଯୋଗ ନୋଟିସକୁ ନେଇ ଶାସକ ବିଜେପିର ମନ୍ତ୍ରୀ ଓ ନେତା ମୁହଁ ଖୋଲିବାକୁ ସୂର୍ଯେୱାଲା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନ ବିଚାରପତି କୌଣସି ଦଳର ନୁହନ୍ତି। ତେଣୁ ଶାସକ ଦଳ ତାଙ୍କ ସପକ୍ଷରେ ମନ୍ତବ୍ୟ ଦେବା ଠିକ୍‌ ନୁହେଁ। ସୂଚନାଯୋଗ୍ୟ କଂଗ୍ରେସ ସହିତ ୭ଟି ବିରୋଧୀ ଦଳ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବହିଷ୍କାର ଦାବି ପୂର୍ବକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମହାଭିଯୋଗ ନୋଟିସ ଦେଇଛନ୍ତି। ଶୁକ୍ରବାର ଦିଆଯାଇଥିବା ଏହି ମହାଭିଯୋଗ ନୋଟିସରେ ରାଜ୍ୟସଭାର ୬୪ଜଣ ସାଂସଦ ସ୍ୱାକ୍ଷର କରିଛନ୍ତି।

Leave A Reply