ସମ୍ବଲପୁର ରେଳ ମଣ୍ଡଳରେ ଶତ ପ୍ରତିଶତ ବିଦ୍ୟୁତକରଣ : ସଞ୍ଚୟ ହେବ ୧୪୮ କୋଟି ଟଙ୍କା
ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ଶତ ପ୍ରତିଶତ ବିଦ୍ୟୁତକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ବିଶ୍ୱ ରେଳବାଇରେ ସବୁଠାରୁ ବଡ ସବୁଜ ରେଳବାଇ ହେବା ପାଇଁ ଭାରତୀୟ ରେଳବାଇ ମିଶନ ମୋଡରେ କାର୍ଯ୍ୟ କରୁଛି । ବର୍ଷ ୨୦୩୦ ପର୍ଯ୍ୟନ୍ତ ନେଟ୍ ଜିରୋ କାର୍ବନ ନିର୍ଗମନ ହେବାର ଲକ୍ଷ୍ୟ ଭାରତୀୟ ରେଳବାଇ ରଖିଛି । ନୂତନ ଭାରତର ଆବଶ୍ୟକତାକୁ ପୂରଣ ସକାଶେ ରେଳବାଇ ପରିବେଶ ଅନୁକୂଳ, ଦକ୍ଷ, କମ ବ୍ୟୟ, ସମାୟନୁବର୍ତ୍ତୀ ଓ ଯାତ୍ରୀ ମାନଙ୍କୁ ଆଧୁନିକ ପରିବହନକାରୀ ତଥା ମାଲ ପରିବହନ ଭଲି ସାମଗ୍ରିକ ଦୃଷ୍ଟିକୋଣକୁ ପୂରଣ ପାଇଁ ଉଦ୍ୟମ ଜାରି ରଖିଛି।
ସମ୍ବଲପୁର ମଣ୍ଡଳରେ ମୋଟ ୭୫୦.୧୧୫ କିମି ଆରକେଏମ ଓ ବିଦ୍ୟୁତକରଣ ଦୃଷ୍ଟିରୁ ମୁଖ୍ୟ ଲାଇନ ପାଇଁ ମୋଟ ୧୭୩୯. ୯୩୫ କିମି ଟିକେଏମ ଏବଂ ବେସରକାରୀ ସାଇଡିଂ ପାଇଁ ୧୪୦.୪୨୯ ଟିକେଏମ ରହିଛି । ୨୦୧୯-୨୦ ବର୍ଷରେ ଶତ ପ୍ରତିଶତ ଆରକେଏମ ବିଦ୍ୟୁତକରଣ କାର୍ଯ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସମ୍ବଲପୁର ମଣ୍ଡଳରେ ସମୁଦାୟ ସ୍ଥାପିତ ଟ୍ରାକ୍ସନ ବିଦ୍ୟୁତ ଯୋଗାଣ କ୍ଷମତା ହେଉଛି ୧୭୫ ଏମଭିଏ। ଏତଦ ବ୍ୟତିତ ମାନେଶ୍ୱର ଓ ଭବାନୀପାଟଣା ଠାରେ ୨ଟି ଟିଏସଏସ କାର୍ଯ୍ୟକ୍ଷମ ହେବ। ଦଶପଲ୍ଲା-ବଲାଙ୍ଗୀର ସେକ୍ସନ ମଧ୍ୟରେ ନିର୍ମାଣାଧିନ କାର୍ଯ୍ୟ ମଧ୍ୟରେ ବିଦ୍ୟୁତକରଣ ସହିତ ୨୫ ଆରକେଏମ କାର୍ଯ୍ୟ ଶେଷ ହୋଇ ସାରିଛି ।
ବିଗତ ଏକ ବର୍ଷ ମଧ୍ୟାରେ ଡିଜେଲରୁ ବିଦ୍ୟୁତ ଟ୍ରାକ୍ଟସନକୁ ରୂପାନ୍ତରିତ ପାଇଁ ବିଦ୍ୟୁତ ରେଳଗାଡି ଗୁଡିକର ସଂଖ୍ୟା ୧୩୫ ପ୍ରତିଶତ ବୃଦ୍ଧି ପାଇଛି। ଆହୁରି ମଧ୍ୟ ଶତ ପ୍ରତିଶତ ବିଦ୍ୟୁତକରଣ ପାଇଁ ୨୦୨୦-୨୧, ୨୦୨୧-୨୨ ଓ ୨୦୨୨-୨୩ ବାର୍ଷିକ ଇନ୍ଧନ ବିଲରେ ମଧ୍ୟ ବାର୍ଷିକ ହାରାହାରି ୧୪୮ କୋଟି ଟଙ୍କାର ଖର୍ଚ୍ଚ ହ୍ରାସ ପାଇଛି । ପରିବହନ ପରିବେଶ ଅନୁକୂଳ ଧାରାକୁ ବଜାୟ ରଖିବା ପାଇଁ ଅଙ୍ଗାରକାମ୍ଲ ନିର୍ଗମନକୁ ଯଥେଷ୍ଟ ହ୍ରାସ କରାଯାଇଛି । ଶତ ପ୍ରତିଶତ ବିଦ୍ୟୁତକରଣ ଦ୍ୱାରା ବୈଦ୍ୟୁତିକ ଇଞ୍ଜିନର ଯାତାୟତ ସୁବିଧା ହେବା ସହିତ ଅଶୋଧିତ ତୈଳ ଉପରେ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରାଯାଇଛି ଏବଂ ଏଥିପାଇଁ ବୈଦେଶିକ ମୁଦ୍ରା ସଞ୍ଚୟ ହେଉଛି। ଫଳରେ ରେଳବାଇର ପରିଚାଳନାଗତ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.