କାତାର ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି। ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଭାରତ ଇସ୍ରାଏଲର କୌଣସି କାର୍ଯ୍ୟକଳାପକୁ ଏତେ ସ୍ପଷ୍ଟ ଭାବରେ ବିରୋଧ କରିଛି। ମୋଦୀ ତାଙ୍କ ବୟାନରେ ଇସ୍ରାଏଲର ନାମ ନେଇନଥିଲେ ମଧ୍ୟ ଏହି ଘଟଣା ଭାରତର ବୈଦେଶିକ ନୀତିରେ ଏକ ଲକ୍ଷ୍ୟଣୀୟ ଘଟଣା। ପ୍ରଥମେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଘଟଣାକୁ ନେଇ କେବଳ “ଗଭୀର ଚିନ୍ତିତ” ବୋଲି କହିଥିଲା ଏବଂ କାତାରର ସାର୍ବଭୌମତ୍ୱ ଉଲ୍ଲଂଘନ ବିଷୟରେ କୌଣସି ଉଲ୍ଲେଖ କରିନଥିଲା। ମାତ୍ର ଏହାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ କାତାରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍-ଥାନିଙ୍କ ସହ ଟେଲିଫୋନରେ କଥା ହୋଇଥିଲେ। କାତାର ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ମୋଦୀ ଏହି କଲ୍ ଆରମ୍ଭ କରିଥିଲେ ଏବଂ ସେ କତାରର ସାର୍ବଭୌମତ୍ୱ ଉଲ୍ଲଂଘନକୁ ଦୃଢ଼ ନିନ୍ଦା କରିଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ‘ଆଞ୍ଚଳିକ ଶାନ୍ତି ଓ ସ୍ଥିରତାକୁ ଦୃଢ଼ ସମର୍ଥନ କରେ’ ଏବଂ ସମସ୍ୟାଗୁଡ଼ିକୁ ‘ଆଲୋଚନା ଓ କୂଟନୀତି’ ମାଧ୍ୟମରେ ସମାଧାନ କରାଯିବା ଉଚିତ। ଅବଶ୍ୟ ମୋଦୀ ତାଙ୍କ ଟୁଇଟର ‘ଏକ୍ସ’ରେ ଏ କଥାକୁ ଭିନ୍ନ ଭାବେ ଦର୍ଶାଇଛନ୍ତି।
ଗାଜା ଯୁଦ୍ଧକୁ ନେଇ ଭାରତର ସ୍ଥିତି ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଥର ବଦଳିଛି। ୨୦୨୩ ଅକ୍ଟୋବର ୭ରେ ହମାସ ଆକ୍ରମଣ ଆରମ୍ଭ କରିବା ପରେ ମୋଦୀ ଇସ୍ରାଏଲ ପ୍ରତି ସମର୍ଥନ ପ୍ରକାଶ କରିଥିବା ପ୍ରଥମ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ପରେ, ଇସ୍ରାଏଲ ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବା ପରେ ଭାରତ ମାନବୀୟ ଯୁଦ୍ଧବିରତି ପାଇଁ ଆହ୍ବାନ ଦେଇଥିବା ଜାତିସଂଘ ସାଧାରଣ ପରିଷଦର ଏକ ପ୍ରସ୍ତାବରୁ ଦୂରେଇ ରହିଥିଲା; କିନ୍ତୁ ୨୦୨୩ ଡିସେମ୍ବର ସୁଦ୍ଧା ଭାରତ ମାନବୀୟ ସହାୟତା ଏବଂ ୟୁଏନ୍ଆର୍ଡବ୍ଲ୍ୟୁଏ (ଜାତିସଂଘର ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି) ସମ୍ବନ୍ଧୀୟ ଅନେକ ସାଧାରଣ ପରିଷଦ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲା।
୨୦୨୪ ମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ବାରମ୍ବାର କହିଥିଲା ଯେ ଭାରତ ଆତଙ୍କବାଦକୁ ନିନ୍ଦା କରେ, ଦୁଇ-ରାଷ୍ଟ୍ର ସମାଧାନକୁ ସମର୍ଥନ କରେ ଏବଂ ସାଧାରଣ ନାଗରିକଙ୍କ କ୍ଷୟକ୍ଷତିକୁ ନେଇ ଚିନ୍ତିତ। ତେବେ, ୨୦୨୫ ଜୁନ୍ ମାସରେ, ଜାତିସଂଘ ସାଧାରଣ ପରିଷଦ ଯେତେବେଳେ ତୁରନ୍ତ ଏବଂ ସ୍ଥାୟୀ ଯୁଦ୍ଧବିରତି ଦାବି କରି ଏକ ପ୍ରସ୍ତାବକୁ ସର୍ବାଧିକ ସଂଖ୍ୟାରେ ଗୃହୀତ କରିଥିଲା, ଭାରତ ଏଥିରୁ ବିରତ ରହିଥିଲା, ଯାହାଲାଗି ସରକାର ଦେଶ ଭିତରେ ବିରୋଧୀ ଦଳମାନଙ୍କର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ତେବେ ଏକ ମାସ ପରେ ଜୁଲାଇରେ, ଜାତିସଂଘରେ ଭାରତର ଦୂତ ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ୱାନ କରିଥିଲେ ଏବଂ ଗାଜାରେ ଗୁରୁତର ଅଭାବ ବିଷୟରେ ଚେତାବନୀ ଦେଇଥିଲେ।
କୂଟନୈତିକ ସୂତ୍ରରୁ ଜଣାପଡ଼ିଛି ଯେ କତାର ଉପରେ ଏହି ଦୃଢ଼ ଭାଷାରେ ନିନ୍ଦା କରି ମୋଦୀ ସରକାର କାତାର ସହିତ ସମ୍ପର୍କକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଦର୍ଶାଉଛି। କାତାର ଭାରତର ଶୀର୍ଷ ଏଲଏନଜି (ପ୍ରାକୃତିକ ଗ୍ୟାସ) ଯୋଗାଣକାରୀ। ଭାରତର ମୋଟ ଗ୍ୟାସ୍ ଆମଦାନୀର ୪୦% କତାର ଯୋଗାଇଥାଏ। ଇସ୍ରାଏଲ ଦୋହା ଉପରେ ଏହି ଆକ୍ରମଣ କରିବା ବେଳେ ଏହା ଆମେରିକାର ଶାନ୍ତି ପ୍ରସ୍ତାବ ଉପରେ ହମାସ ନେତାମାନଙ୍କ ସହ କଥାବାର୍ତ୍ତା କରୁଥିବା କହିଥିଲା। ତେବେ ଏହି ଆକ୍ରମଣ ସାରା ବିଶ୍ୱରେ ନିନ୍ଦିତ ହୋଇଛି। ଭାରତର ଏହି ଦୃଢ଼ ନିନ୍ଦା କାତାର ସହିତ ଏହାର ଗଭୀର ସମ୍ପର୍କ ଏବଂ ପଶ୍ଚିମ ଏସିଆରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଏହାର ଅଙ୍ଗୀକାରକୁ ପ୍ରତିଫଳିତ କରେ। ଏହି ଘଟଣା ଆଗାମୀ ଦିନରେ ଭାରତର ବୈଦେଶିକ ନୀତିରେ ଅଧିକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ ଏବଂ ଆନ୍ତର୍ଜାତିକ ସମ୍ପର୍କରେ ଏକ ନୂତନ ଭାରସାମ୍ୟ ସୃଷ୍ଟି କରିପାରେ। ମନେ ରଖିବାକୁ ହେବ ଯେ କୂଟନୀତି ପରିବର୍ତ୍ତନଶୀଳ ଏବଂ ଏଥିରେ ରାଷ୍ଟ୍ରର ସ୍ବାର୍ଥ ସର୍ବାଗ୍ରେ।



