ଯେଉଁମାନେ ଦୁଃଖକଷ୍ଟର ଦୁଃସହ ଜ୍ବଳନ ଭିତରେ ଜଳିଜଳି ମଣିଷ ହୋଇଥାନ୍ତି, ସମୟର କଷଟି ପଥରରେ ସେମାନେ ଉପଯୁକ୍ତ ଭାବରେ ପରୀକ୍ଷିତ ହୋଇଥାନ୍ତି। କୌଣସି ପ୍ରକାର ବାହ୍ୟ ପ୍ରଲୋଭନ ସେମାନଙ୍କୁ ପଥଚ୍ୟୁତ କରିନଥାଏ। ସ୍ବାମୀ ବିବେକାନନ୍ଦଙ୍କ ପିଲାଦିନ ଏହିପରି ଥିଲା। ଅଶେଷ ଦୁଃଖଯନ୍ତ୍ରଣା ମଧ୍ୟରେ ଗତି କରିଥିଲେ ମଧ୍ୟ ସତ୍ୟଭ୍ରଷ୍ଟ ହୋଇନଥିଲେ। ଏହା ହିଁ ଥିଲା ତାଙ୍କର ବୈଶିଷ୍ଟ୍ୟ। ପିଲାଦିନର ନାମ ଥିଲା ନରେନ୍ଦ୍ରନାଥ। ସୁନା ସଂସାରର ସୁନା ପିଲାଥିବା ନରେନ୍ଦ୍ରନାଥ ସମାନ ସମୟରେ ଦୁଇଟି ପ୍ରବଳ ଚକ୍ରବାତର ସମ୍ମୁଖୀନ ହୋଇଥିଲେ। ଗୋଟିଏ ପଟେ ଥିଲା ଆଧ୍ୟାତ୍ମିକ ଜଗତର ଅହେତୁକ ଆକର୍ଷଣ। ଦକ୍ଷିଣେଶ୍ବରରେ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ସହ ସାକ୍ଷାତ୍ ପରେ ଏହି ଭାବ ତାଙ୍କଠାରେ ଉଦ୍ରେକ ହୋଇଥିଲା। ଦ୍ବିତୀୟଟି ହେଲା ପିତା ବିଶ୍ବନାଥଙ୍କର ଆକସ୍ମିକ ମୃତ୍ୟୁ ଯାହା ତାଙ୍କ ପରିବାରରେ ଘୋର ବିପର୍ଯ୍ୟୟ ସୃଷ୍ଟି କରିଥିଲା। ସଂସାରର ବିପୁଳ ବ୍ୟୟ, କିନ୍ତୁ ଉପାର୍ଜନର ପନ୍ଥା ନଥିଲା।
ବିପଦ ଯେତେବେଳେ ଆସେ ସାଙ୍ଗସାଥୀ ନେଇ ଆସିଥାଏ ବୋଲି କୁହାଯାଇଥାଏ। ବେଡ଼ି ଉପରେ କୋରଡ଼ା ସଦୃଶ ମୁରବିଙ୍କ ଆକସ୍ମିକ ଦେହାନ୍ତରେ ପରିବାରର ସଦସ୍ୟମାନେ ଉପାୟଶୂନ୍ୟ ଅବସ୍ଥାରେ ଗତି କରୁଥିବାବେଳେ ଅାତ୍ମୀୟସ୍ବଜନ ଦୁଃସ୍ଥିତିର ଫାଇଦା ନେଇ ସମ୍ପତ୍ତିବାଡ଼ି ହାତେଇବା ଉଦ୍ଦେଶ୍ୟରେ ତାଙ୍କ ପରିବାର ବିରୋଧରେ ମୋକଦ୍ଦମା କରିଥିଲେ। ଏହି କାରଣରୁ ମା’ ଭୁବନେଶ୍ବରୀ ଅସହାୟ ଭାବରେ ସନ୍ତାନମାନଙ୍କୁ ଧରି ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପିତାଙ୍କ ମୃତ୍ୟୁ ପରେ କେହି ବି ତାଙ୍କ ପରିବାରକୁ କାଣିକଉଡ଼ିଟିଏ ସୁଦ୍ଧା ସାହାଯ୍ୟ ଦେଇ ନଥିଲେ। ପରିସ୍ଥିତିର ତାଡ଼ନା ଦୃଷ୍ଟିରୁ ଅନେକ ସମୟରେ ବାହାରେ ନିମନ୍ତ୍ରଣ ଅଛି କହି ଉପାସରେ ଘରୁ ବାହାରି ଯାଉଥିଲେ ନରେନ୍ଦ୍ର ନାଥ। ରାତିରାତି କ୍ଷୁଧାର ଜ୍ବାଳା ନିର୍ବିକାରରେ ସହି ଯାଉଥିଲେ। ଏକ ଘଟଣା ବର୍ଣ୍ଣନା କରି ବିବେକାନନ୍ଦଙ୍କ ବଡ଼ଭାଇ ଲେଖିଥିଲେ ପିତାଙ୍କ ଅେନ୍ତ୍ୟଷ୍ଟିକ୍ରିୟା ସରିବା ପୂର୍ବରୁ ରୋଜଗାର ପନ୍ଥା ଖୋଜିବାକୁ ପଡ଼ିଥିଲା। ଅଖିଆ ଅପିଆ, ଚିରାଫଟା ପୋଷାକ, ଖାଲି ପାଦରେ, ମଧ୍ୟାହ୍ନର ମୁଣ୍ଡଫଟା ଖରାରେ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିଥିଲା ଜୀବିକା ଅନ୍ବେଷଣରେ। ଏଭଳି ଏକ ଅନୁଭୂତି ତାଙ୍କର ଆସିଥିଲା- ‘ସ୍ବାର୍ଥଶୂନ୍ୟ ସହାନୁଭୂତି ଏଠି ବିରଳ, ଦୁର୍ବଳ ଓ ଦରିଦ୍ରର ଏଠି ସ୍ଥାନ ନାହିଁ।’ ଏହି ସମୟର ଦୁଃଖଦ ଘଟଣା ବର୍ଣ୍ଣନା କରି ନରେନ୍ଦ୍ରନାଥ ତାଙ୍କ ଗୁରୁ ମହେନ୍ଦ୍ରନାଥ ଗୁପ୍ତଙ୍କୁ ଲେଖିଥିଲେ- ‘ଦୁଃଖକଷ୍ଟ ନପାଇଲେ ‘ସମର୍ପଣ’ ଭାବ ଆସେ ନାହିଁ।’ ଈଶ୍ବରଙ୍କ ପ୍ରତି ତାଙ୍କର ଯେ ଏ ଧରଣର ସମର୍ପଣ ଭାବ ଆସିଥିଲା ବୋଧହୁଏ ତାହା କେବଳ ଉତ୍କଟ ଦାରିଦ୍ର୍ୟର କଷାଘାତ ହେତୁ। ବାସ୍ତବରେ ଏଇ ଦୁଃଖଯନ୍ତ୍ରଣା ଭିତରେ ଈଶ୍ବର ପରୀକ୍ଷା ନେଇଥାନ୍ତି, ଯିଏ ସଫଳ ହୁଅନ୍ତି ସେ ମାନବରୁ ମହାମାନବ ହୋଇଯାନ୍ତି।



