ଚଳଚ୍ଚିତ୍ର ଓ ରାଜନୀତିରେ ‘କାଷ୍ଟିଂ କାଉଚ’ ହୋଇଥାଏ: ଶତ୍ରୁଘ୍ନ ସିହ୍ନା

0

ନୂଆଦିଲ୍ଲୀ : ବଲିଉଡ୍‌ର ନୃତ୍ୟ ନିର୍ଦେଶିକା ସରୋଜ ଖାଁ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ‘କାଷ୍ଟିଂ କାଉଚ’ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବାବେଳେ ଏବେ ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା ମୁହଁ ଖୋଲିଛନ୍ତି। ଚଳଚ୍ଚିତ୍ର ଜଗତରୁ ରାଜନୀତିକୁ ଆସିଥିବା ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ଉଭୟ ମନୋରଞ୍ଜନ ଓ ରାଜନୀତି କ୍ଷେତ୍ରରେ କାଷ୍ଟିଂ କାଉଚ ହୋଇଥାଏ। ସେ କହିଛନ୍ତି ଯେ ସରୋଜ ଓ ରେଣୁକା କିଛି ଭୁଲ୍‌ କହି ନାହାନ୍ତି। ମନୋରଞ୍ଜନ ଓ ରାଜନୀତିରେ ଆଗକୁ ଯିବାକୁ ହେଲେ ଏହି ବାଟକୁ ଆପଣାଇବାକୁ ହୋଇଥାଏ। ସିହ୍ନାଙ୍କ କହିବା ହେଉଛି ‘ତୁମେ ମୋତେ ଖୁସି କର, ମୁଁ ତୁମକୁ ଖୁସି କରିବି।’ ସରୋଜ ଖାଁଙ୍କ ପ୍ରଶଂସା କରି ସିହ୍ନା କହିଛନ୍ତି ଯେ ବଲିଉଡ୍‌ର କୋରିଓଗ୍ରାଫି କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ଏହା ସହିତ ଶ୍ରୀଦେବୀ, ମାଧୁରୀ ଦିକ୍ଷୀତଙ୍କ ଭଳି ଅଭିନେତ୍ରୀଙ୍କ କ୍ୟାରିୟର ଗଠନରେ ତାଙ୍କର ଅନେକ ଭୂମିକା ରହିଛି। ସରୋଜ ଅନେକ ସମୟରେ ଖୋଲା ହୃଦୟରେ ସବୁକିଛି କହିଥାନ୍ତି। ତେଣୁ ତାଙ୍କ କଥାକୁ ନେଇ ରାଜନୀତି କରାଯିବ ଠିକ୍‌ ନୁହେଁ। ବଲିଉଡ୍‌ରେ କାଷ୍ଟିଂ କାଉଚ ହେଉଥିବା ନେଇ ସରୋଜ କହିଥିବା ବେଳେ ସଂସଦରେ ମଧ୍ୟ କାଷ୍ଟିଂ କାଉଚ ହେଉଥିବା ରେଣୁକା କହିଥିଲେ। ସରୋଜ କହିଥିଲେ ଯେ କାଷ୍ଟିଂ କାଉଚ ହେଉଛି ବଲିଉଡର ଏକ ପରମ୍ପରା। ମହିଳାଙ୍କୁ ସେମାନଙ୍କ ଅନୁମତି ଭିତ୍ତିରେ କାଷ୍ଟିଂ କାଉଚ କରାଯାଇଥାଏ। କାଷ୍ଟିଂ କାଉଚ ପରେ ସେମାନଙ୍କୁ ଅବହେଳିତ ଭାବେ ଛାଡି ଦିଆଯାଇ ନଥାଏ। ସେମାନଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇଥାଏ।

Leave A Reply