ଦୁଇଜଣଙ୍କ କବ୍‍ଜାରେ ବିଜେପି: ଶତ୍ରୁଘ୍ନ

0

ନୂଆଦିଲ୍ଲୀ: ବିଜେପି ଏବେ ‘ଟୁ ମ୍ୟାନ୍‍ସ ଶୋ’ ପାଲଟିଛି। ସେମାନେ ଯେମିତି ଚାହୁଁଛନ୍ତି ସେମିତି ପରିଚାଳିତ କରୁଛନ୍ତି। ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ବିହାରୀ ବାବୁ ସାଂସଦ ତଥା ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା। ସତ କହିବା ଯଦି ବିଦ୍ରୋହ ବୋଲି ଅଭିହିତ କରାଯାଏ ତେବେ ସେ ନିଜକୁ ବିଦ୍ରୋହୀ ବୋଲି ସ୍ୱୀକାର କରିବାରେ କୌଣସି ଦ୍ୱିଧା ନାହିଁ ବୋଲି ଶ୍ରୀ ସିହ୍ନା କହିଛନ୍ତି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନାଙ୍କ ସହିତ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିହ୍ନା କହିଛନ୍ତି ଯେ ସେ ବିଜେପିରେ ଯୋଗ ଦେବା ବେଳେ ଦଳର ସ୍ଥିତି ଯାହା ଥିଲା ଏବେ ସେଥିରେ ବହୁ ପରିବର୍ତ୍ତନ ଘଟିଛି। ଏବେ ବିଜେପି କେବଳ ମୋଦି ସର୍ବସ୍ୱ ହୋଇଯାଇଛି ଏବଂ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି। ଏହି ପରିସ୍ଥିତିରେ ଦଳ ଛାଡ଼ିବା ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ସେଭଳି କୌଣସି ଯୋଜନା ନାହିଁ ବୋଲି ଶ୍ରୀ ସିହ୍ନା କହିଛନ୍ତି।
ଶତ୍ରୁଘ୍ନ ସିହ୍ନା ଆହୁରି କହିଛନ୍ତି ଯେ ବର୍ତ୍ତମାନ ସେ ରାଷ୍ଟ୍ରର ହିତ ପାଇଁ ଯଶବନ୍ତ ସିହ୍ନାଙ୍କ ‘ରାଷ୍ଟ୍ର ମଞ୍ଚ’ ସହିତ ମିଳିତ ଭାବେ କାମ କରୁଛନ୍ତି। ଏହାର ଅର୍ଥ ଦଳବିରୋଧୀ କାର୍ଯ୍ୟ ନୁହେଁ। ‘ରାଷ୍ଟ୍ର ମଞ୍ଚ’ ଦେଶର ପ୍ରତି କୋଣରେ ଲୋକଙ୍କ ମତାମତ ସଂଗ୍ରହ କରୁଛି। କେନ୍ଦ୍ର ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାର କାର୍ଯ୍ୟରୁ ଦୂରେଇ ଯାଇଥିବା ଲୋକମାନେ ମତ ଦେଇଛନ୍ତି। ଯୁବବର୍ଗ, କୃଷକ, ଅର୍ଥନୀତି, ବୈଦେଶିକ ନୀତିରେ ଅନେକ ସମସ୍ୟା ରହିଛି। ସେହି ସବୁ ସମସ୍ୟାର ସମାଧାନ ନ ହେଲେ ଦେଶ ପାଇଁ ଅହିତକର ପରିସ୍ଥିତି ସୃଷ୍ଟି ହେବ। ସମସ୍ୟା ସମାଧାନ ପାଇଁ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ସମଭାବାପନ୍ନ ବ୍ୟକ୍ତିବିଶେଷ, ସଂଗଠନ ଓ ଦଳ ଏକାଠି କାମ କରିବା ଆବଶ୍ୟକ ବୋଲି ଶ୍ରୀ ସିହ୍ନା କହିଛନ୍ତି। ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଜିତିବା ବିଜେପି ପାଇଁ ସହଜ ହେବ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

Leave A Reply