ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ, ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨୨କୋଟି ଟଙ୍କା
- ୫ଟି ଉପକ୍ରମରେ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବ ବିକାଶ କାମ
- ଆବଶ୍ୟକତା ଭିତ୍ତିରେ ଲୋକଙ୍କୁ ଜମି ମଧ୍ୟ ଦିଆଯିବ
- ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ଲୋକଙ୍କ ପାଇଁ ଦେଶର ପ୍ରଥମ ଥଇଥାନ କଲୋନୀ
- ପଞ୍ଚୁ ବାରାହୀ ପୀଠ,କୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ କରାଯିବ
ଭୁବନେଶ୍ବର: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ୨୨ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଗତ ୨୭ ଓ ୨୮ତାରିଖ ଦୁଇ ଦିନ ଧରି ୫ଟି ସଚିବ ଶ୍ରୀ ପାଣ୍ଡିଆନ କେନ୍ଦ୍ରପଡା ଗସ୍ତ କରିଥିଲେ। ଗସ୍ତର ଦ୍ବିତୀୟ ଦିନରେ ୨୮ ତାରିଖ ଦିନ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ।
ଏହି ସମୟରେ ଶ୍ରୀ ପାଣ୍ଡିଆନ ବିସ୍ଥାପିତ ଲୋକମାନଙ୍କୁ ଭେଟିଥିଲେ ସେମାନଙ୍କ ସମସ୍ୟା ବୁଝିଥିଲେ ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମତାମତ ପଚାରି ବୁଝିଥିଲେ। ଏହାପରେ ଭୁବନେଶ୍ବର ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ .ଆଲୋଚ ନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ବାଇଶ କୋଟି ପଚାଶ ଲକ୍ଷ୍ ଏକସତରୀ ହାଜର ଟଙ୍କା ର ପ୍ୟାକେଜ ମଞ୍ଜୁର କରିଛନ୍ତି।
ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ, ଜୀବିକା କାର୍ଯ୍ୟକ୍ରମ ରାସ୍ତା, ପିଇବା ପାଣି, ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମି ର ବିକାଶ କରାଯିବ। ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇଦିଆଯିବ। ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମି ର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସହ ଲାଇଟ ଆଣ୍ଡ ସାଉଣ୍ଡର ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଏ ସମସ୍ତ କାମ ୫ଟି ଉପକ୍ରମ ରେ ତୁରନ୍ତ ହାତକୁ ନେଇ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ସୂଚନଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାତଭାୟା ଅଞ୍ଚଳ ସମୁଦ୍ର ରେ ଲୀନ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆ ରେ ଥଇଥାନ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଦ୍ବାର ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ।
Comments are closed.