www.samajalive.in
Sunday, December 7, 2025
18.1 C
Bhubaneswar

ଶରଧାବାଲିରେ ୩ରଥ; ଭକ୍ତଙ୍କ ଡୋରିରେ ଭଗବାନ

ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ନବଦିନ ବ୍ୟାପୀ ଘୋଷଯାତ୍ରା ଆରମ୍ଭ କରିଛନ୍ତି ଦାରୁବ୍ରହ୍ମ। ଜନସମୁଦ୍ରରେ ପରିଣତ ହୋଇଛି ବଡ଼ଦାଣ୍ଡ। ଶରଧାବାଲିରେ ପହଞ୍ଚିଛି ତିନିରଥ। ପ୍ରାୟ ଆଠଲକ୍ଷ ଶ୍ରଦ୍ଧାଳୁ ଗୁରୁବାର ରଥଯାତ୍ରା ଦେଖିବାର ସୌଭାଗ୍ୟ ପାଇଛନ୍ତି। ନିର୍ଦ୍ଧାରିତ ସମୟର ୨ଘଣ୍ଟା ପୂର୍ବରୁ ପହଣ୍ଡି, ଛେରାପହଁରା ଏବଂ ରଥଟଣା ଅନୁଷ୍ଠିତ ହୋଇଛି। ଜୟ ଜଗନ୍ନାଥ ଏବଂ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଛି ପୁରୀ ସହର। ସାମୁଦ୍ରିକ ବାତ୍ୟା ‘ଫଣି’ର ୬୦ଦିନ ପରେ ଶୃଙ୍ଖଳିତ ଶ୍ରୀଗୁଣ୍ଡିଚା ଯାତ୍ରା ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତ କରିଛି। ଭକ୍ତଙ୍କ ପାଇଁ ରତ୍ନସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ବଡ଼ଠାକୁର। ଉତ୍ସବମୁଖର ହୋଇଉଠିଛି ପବିତ୍ର ଶରଧାବାଲି। ଜଳ, ସ୍ଥଳ ଓ ଆକାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ଗୁରୁବାର ସକାଳ ୫ଟା ୨୫ରେ ଦାରୁବ୍ରହ୍ମଙ୍କୁ ମଙ୍ଗଳଆଳତି କରାଯାଇଥିଲା। ସକାଳ ଧୂପରେ ଖେଚୁଡି ଭୋଗଖାଇ ରଥଯାତ୍ରାକୁ ବାହାରିଥିଲେ ମହାପ୍ରଭୁ। ସକାଳ ୮ଟା ୫ରେ ରଥ ପ୍ରତିଷ୍ଠା ଏବଂ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା।
ପୁଷ୍ପାଞ୍ଜଳି ପରେ ସକାଳ ୮ଟା ୨୦ରେ ଆରମ୍ଭ ହୋଇଥିଲା ପହଣ୍ଡି। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ସେବକଙ୍କ ମେଳରେ ଝୁଲି ଝୁଲି ରଥକୁ ବିଜେ କରିଥିଲେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ। ଦିନ ୧୧ଟା ୪୦ରେ ତିନିଠାକୁରଙ୍କ ପହଣ୍ଡିଯାତ୍ରା ଶେଷ ହୋଇଥିଲା। ପାଲିଙ୍କିରେ ବସି ରଥ ଉପରକୁ ବିଜେ କରିଥିଲେ ମଦନମୋହନ। ଶ୍ରୀଜୀଉଙ୍କୁ ବେଶ ଏବଂ ଚିତାଲାଗି କରାଯାଇଥିଲା। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଠାକୁର ରାଜା ଗଜପତି ଶ୍ରୀଦିବ୍ୟସିଂହ ଦେବ ସୁସଜ୍ଜିତ ମେହେନାରେ ଶ୍ରୀନଅରରୁ ଯାଇ ତିନିରଥରେ ଛେରାପହଁରା କରିଥିଲେ। ଏହାପରେ ରଥରୁ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲଗାଯାଇଥିଲା। ଦିନ ଠିକ୍‌ ୨ଟା ୧୫ରେ ଆରମ୍ଭ ହୋଇଥିଲା ରଥଟଣା। ରଥଉପରେ ବୀରକାହାଳି ବାଜିବା ମାତ୍ରେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଭକ୍ତମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଣିଥିଲେ। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଯାଇଥିଲା। ପଛରେ ଗହଳି ଲଗାଇ ଆଗକୁ ମାଡି ଚାଲିଥିଲା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥ। ଅନୁକୂଳ ପାଗଯୋଗୁଁ ଭକ୍ତମାନେ ଅତ୍ୟନ୍ତ ଆନନ୍ଦର ସହ ତିନିରଥ ଭିଡ଼ିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସତ୍ୟେନ୍ଦୁ ନାରାୟଣ ଜାଭେରି, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ ଡ. ଆଦିତ୍ୟ ପ୍ରସାଦ ପାଢୀ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀଜୀଉଙ୍କ ରଥଯାତ୍ରା ଦେଖିଥିଲେ । ଟ୍ରାଫିକ ନିୟନ୍ତ୍ରଣ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କାର୍ଯ୍ୟରେ ୧୫୫ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୮ଶହ ଅଭିଜ୍ଞ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ଅତିରିକ୍ତ ପୁଲିସ ମହାନିର୍ଦେଶକ ସଞ୍ଜୀବ କୁମାର ପଣ୍ଡା, ରେଳବାଇ ଅତିରିକ୍ତ ପୁଲିସ ମହାନିର୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଅସିତ ପାଣିଗ୍ରାହୀ, ଅମିତାଭ ଠାକୁର, ଅରୁଣ ବୋଥ୍ରା, ଗୁଇନ୍ଦା ଆଇଜି ଆର.କେ ଶର୍ମା ଏବଂ ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ, ଜିଲାପାଳ ବଲୱନ୍ତ ସିଂହ ଶ୍ରୀମନ୍ଦିର ଭିତରେ ରହି ଠାକୁରଙ୍କ ନୀତିକାନ୍ତି ପରିଚାଳନା ତଦାରଖ କରିଥିଲେ। ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବାରୁ ପରମ୍ପରା ଅନୁଯାୟୀ ରଥଉପରେ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories