BJD Bijuli 480×75 Mob

ସଂଘର୍ଷରୁ ମିଳିଥିଲା ସଫଳତା

BJD Bijuli 480×75 Mob
0

‘ସିଙ୍ଗଲ୍ ମଦର୍’ ବର୍ତ୍ତମାନ ସମାଜର ସବୁଠୁ ଉତ୍ତମ ଉଦାହରଣ। ଏକାକୀ ଘର-ବାହାର ସବୁ କାମ ଯଥା ରୂପେ ତୁଲାଉଥିବା ଜଣେ ମହିଳା ପ୍ରକୃତରେ ପରୁସ୍କାରଯୋଗ୍ୟ ବୋଲି କହିଛନ୍ତି ପ୍ରଶାସନିକ ସେବା ଅଧିକାରୀ ସ୍ବାତୀ ସିଂ। ଗୁରୁଗାଓଁନିବାସୀ ସ୍ବାତୀ କହିଛନ୍ତି ଏବର ମହିଳାଙ୍କ ନିକଟରେ ସଂଖ୍ୟାଧିକ ସୁବିଧା ଉପଲବ୍ଧ। ଏଣୁ ସ୍ବାବଲମ୍ବୀ ହେବା ସେମାନେ ଶିଖିବା ଉଚିତ। ତାଙ୍କ କାର୍ଯ୍ୟଶୈଳୀ ପାଇଁ ଯେତେବେଳେ ସ୍ବାତୀଙ୍କୁ ପ୍ରଶଂସା ମିଳେ, ସେ ଏସବୁର ଶ୍ରେୟ ମା’ଙ୍କୁ ହିଁ ଦିଅନ୍ତି। ମା’ ନିଲମ୍ ସାଙ୍ଗବାନ୍ ଏବେ ଗୁରୁଗାଓଁର ଏକ ବିଦ୍ୟାଳୟର ଅଧ୍ୟକ୍ଷା ଭାବେ କାର୍ଯ୍ୟରତ। ଦୁଇ ଝିଅଙ୍କ ଭବିଷ୍ୟତ ଗଢ଼ିବା ନିମନ୍ତେ କିଛି ବର୍ଷ ତଳେ ନିଲମ୍ ନିଜ ଗାଁ ଲୋକଙ୍କ ସହ ଲଢ଼ିଥିଲେ। ଏକ ସାଧାରଣ ପରିବାରରେ ବିବାହ କରିଥିଲେ ନିଲମ୍। ଦୁଇ ଝିଅ ସ୍ବାତୀ ଓ ଆସ୍ଥାଙ୍କ ଜନ୍ମ ପରେ ସ୍ବାମୀ ତାଙ୍କର ଅକାଳରେ ପ୍ରାଣ ହରାଇଲେ। ପିଲାଙ୍କୁ ମଣିଷ କରିବେ କିପରି? ଏଇ ଚିନ୍ତାରେ ସେ ବ୍ୟସ୍ତ ରହିଲେ। ଗାଁ ପାଖ ବିଦ୍ୟାଳୟରେ ତାଙ୍କୁ ଶିକ୍ଷୟିତ୍ରୀ ହେବାର ସୁଯୋଗ ମିଳିଲା। ୩୦ ବର୍ଷ ତଳେ ଗ୍ରାମାଞ୍ଚଳରେ ଲୋକଙ୍କ ଚିନ୍ତାଧାରା ଭିନ୍ନ ଥିଲା ବୋଲି କହିଛନ୍ତି ନିଲମ୍। ମହିଳାଜଣେ ଘରୁ ଗୋଡ଼ କାଢ଼ିବା ଅସମ୍ମାନର ପ୍ରଶ୍ନ ଥିଲା। ଅନ୍ୟପାଖେ ତାଙ୍କ ପିଲାଙ୍କ ପେଟ ଉପାସ ରହୁଥିଲା ବୋଲି କେହି ବୁଝୁନଥିଲେ। ଶେଷରେ ନିଜ ପିଲାଙ୍କ ପାଇଁ ସେ ଘର ଛାଡ଼ି ଚାଲିଆସିଲେ ଦିଲ୍ଲୀକୁ। ଈଶ୍ବରଙ୍କ କୃପାରୁ ଓ ଶିକ୍ଷାଗତ ଯୋଗ୍ୟତା ଥିବାରୁ ଏକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ସେ ନିଯୁକ୍ତି ପାଇଲେ। ଯେଉଁ ଶିକ୍ଷାଗତ ଯୋଗ୍ୟତା ଏଭଳି ଦୁଃସ୍ଥିତିରେ ତାଙ୍କ ପାଇଁ ଆଶୀର୍ବାଦ ହେଲା, ପିଲାଙ୍କୁ ସେହି ଯୋଗ୍ୟତା ହାସଲ କରିବାକୁ ମନ୍ତ୍ର ଦେଲେ। ଦୁଇ ଝିଅ ମା’ର କଠିନ ପରିଶ୍ରମକୁ ଅନୁଭବ କରିପାରୁଥିଲେ। ସ୍ବାତୀଙ୍କ ଇଚ୍ଛା ଥିଲା ଯେମିତି ହେଉ, ସେ ଡାକ୍ତରଟେ ହେବେ। ପରିଶ୍ରମ ମଧ୍ୟ କରୁଥିଲେ କିନ୍ତୁ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇପାରିଲେ ନାହିଁ। ମା’ ନିଲମ୍ ହିଁ ଝିଅକୁ ବୁଝାଇଥିଲେ, ଈଶ୍ବର ବୋଧହୁଏ କିଛି ଭିନ୍ନ ବରାଦ୍ ତୋ’ ପାଇଁ ରଖିଛନ୍ତି। ସ୍ନାତକୋତ୍ତର ଶେଷ ପରେ ସ୍ବାତୀ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ପ୍ରଥମ ​‌େ​‌ଚଷ୍ଟାରେ ହିଁ ସ୍ବାତୀ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୩୧୩ କ୍ରମାଙ୍କ ରଖିଥିଲେ। ସାନ ଭଉଣୀ ଆସ୍ଥା ଲେଡି ଶ୍ରୀରାମ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟରତ। ନିଲମ୍‌ଙ୍କ ମତରେ, ଗରିବ ହୁଅ ବା ଧନୀ, ପ୍ରତ୍ୟେକ ପରିବାରର ଝିଅ ପାଠ ପଢ଼ି ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ନିତାନ୍ତ ଆବଶ୍ୟକ।

Leave A Reply