ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବନ ପାଇଁ ଇ-ରିକ୍ସା ବଣ୍ଟନ, ୧୦୦ ହୁଇଲ ଚେୟାର ପ୍ରଦାନ
ସମ୍ବଲପୁର: ଜିଲା ପ୍ରଶାସନ ଓ ମହାନଦୀ କୋଲ୍ଡ ଫିଲଡ୍ସର ମିଳିତ ଆନୁକୂଲ୍ୟରେ ୧୫ ଜଣ ଭିନ୍ନକ୍ଷମଙ୍କୁ ଇ-ରିକ୍ସା ବଣ୍ଟନ କରାଯାଇଛି। ଭିନ୍ନକ୍ଷମମାନଙ୍କୁ ସ୍ୱାବଲମ୍ବନ କରିବା ଲକ୍ଷ୍ୟ ନେଇ ବଣ୍ଟନ କରାଯାଇଥିବା ଏହି ଇ-ରିକ୍ସା ଗୁଡିକ ମଧ୍ୟରୁ ଯୁଯୁମୁରା ବ୍ଲକ ଅଞ୍ଚଳର ୫ ଜଣ, ଧନକଉଡା ବ୍ଲକ ଅଞ୍ଚଳର ଜଣେ, ମାନେଶ୍ୱର ବ୍ଲକ ଅଞ୍ଚଳର ୨ ଜଣ, ନାକଟିଦେଉଳ ବ୍ଲକ ଅଞ୍ଚଳର ୨ ଜଣ ଓ ସମ୍ବଲପୁର ସଦର ଅଞ୍ଚଳରୁ ୫ ଜଣ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ ବୈଜାମୁଣ୍ଡା ସ୍ଥିତ ସମ୍ମନ୍ୱିତ ଭିତ୍ତିଭୂମି ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ରୂପେ ଭିମସାରର ସୁପରିନ୍ଟଣ୍ଡାନ୍ଟ ଡା. ଲାଲମୋହନ ନାୟକ, ଏମସିଏଲର ପ୍ରଶାସନିକ ଅଧିକାରୀ ସୁଦର୍ଶନ ଏସ, ସିଏସଆର ପରିଚାଳକ ଏସ. କେ. ସିଶା ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଜିଲାପାଳ ଶ୍ରୀ ଅଗ୍ରୱାଲ କହିଥିଲେ ଯେ ଭିନ୍ନକ୍ଷମ ମାନେ ନିଜକୁ ଆତ୍ମନିର୍ଭରଶୀଳ କରିବାରେ ଇ-ରିକ୍ସାର ପ୍ରଚଳନ ସମୟ ଉପଯୋଗୀ ପଦକ୍ଷେପ ଅଟେ। ଏହି ଉଦ୍ୟମ ପାଇଁ ଏମସିଏଲର ସହଯୋଗକୁ ଜିଲାପାଳ ଶ୍ରୀ ଅଗ୍ରୱାଲ ବିଶେଷ ଧନ୍ୟବାଦ ଦେଇବା ସହିତ ଭିନ୍ନକ୍ଷମ ମାନେ ନିଜର ସାମର୍ଥ୍ୟକୁ ବୁଝି ନିଜେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସେଥିପାଇଁ ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି କହିଥିଲେ। ଜିଲା ପ୍ରଶାସନ ତରଫରୁ ୧୦୦ଟି ହୁଇଲ ଚେୟାର ମଧ୍ୟ ଏହି ଅବସରରେ ପ୍ରଦାନ କରାଯାଇଥିଲା । ଜିଲାପାଳ ମୂକ ଓ ବଧୀର ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ସ୍କୁଲର ମୁଖ୍ୟ ସମସ୍ୟା ଗୁଡିକର ସମାଧାନ ଖୁବ ଶିଘ୍ର କରାଯିବ ବୋଲି ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ଭିନ୍ନକ୍ଷମ କେନ୍ଦ୍ରର ଅଧିକାରୀ ରବିନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।
Comments are closed.