ସତ୍ୟବାଦୀର ମୃତ ଚାଷୀ ପୂର୍ଣଚନ୍ଦ୍ରଙ୍କୁ ସହାୟତାର ହାତ ବଢ଼ାଇଲେ ଅଭିନେତ୍ରୀ ରାନୀ ପଣ୍ଡା
ସାକ୍ଷୀଗୋପାଳ: ମୃତ୍ୟୁବରଣ କରିଥିବା ସତ୍ୟବାଦୀ ବୀରରାମଚନ୍ଦ୍ରପୁର ଗ୍ରାମର ଚାଷୀ ପୂର୍ଣଚନ୍ଦ୍ର ଦଳେଇ ଙ୍କ ପରିବାର କୁ ସହାୟତାର ହାତ ବଢ଼ାଇଲେ ଓଡ଼ିଶାର ଚର୍ଚିତ ଅଭିନେତ୍ରୀ ରାନୀ ପଣ୍ଡା। ଏମିତି ସହାୟତା ପ୍ରଦାନ କଲେ ଯେ, ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏହି ସହାୟତା ପ୍ରଦାନ ସମ୍ପର୍କରେ ଜଣା ପଡିବା ପରେ ସତ୍ୟବାଦୀ ସାରା ପ୍ରଶଂସାର ସୁଅ ଛୁଟୁଅଛି। ସହାୟତା ପ୍ରଦାନରେ ରାଜନେତା ପ୍ରଶାସନ, ସ୍ବେଚ୍ଛାସେବୀ, ସ୍ବେଚ୍ଛାସେବୀ ସଂଗଠନ ଓ ସମାଜସେବୀମାନଙ୍କୁ ବଳି ଯାଇଛନ୍ତି।
ଚାଷୀ ସ୍ବର୍ଗତ ପୂର୍ଣଚନ୍ଦ୍ର ଦଳେଇଙ୍କ ମୃତ୍ୟୁ ଆଜିକୁ ପାଞ୍ଚଦିନ ହେଲାଣି। ଘରର ମୁରବୀଙ୍କ ବିୟୋଗରେ ସମ୍ପୂର୍ଣ୍ଣ ପରିବାର ମ୍ରିୟମାଣ ହୋଇପଡ଼ିଅଛି। ଅନେକ ସମାଜସେବୀ, ରାଜନେତା ତାଙ୍କ ଘର କୁ ଆସି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଥିଲେ। ସେହିଭଳି ଓଡ଼ିଶାର ବହୁ ଚର୍ଚ୍ଚତ ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ଆଜି ସକାଳୁ ତାଙ୍କ ଘରକୁ ଯାଇ ପରିବାର କୁ ଭେଟିଥିଲେ, ପରିବାର ସଦସ୍ୟ ମାନଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଘରର ଅଭାବ, ଅସୁବିଧା ସମସ୍ୟା ସମ୍ପର୍କରେ ବୁଝିଥିଲେ।
ଆଲୋଚନା ସମୟରେ ଚାଷୀ ସ୍ବର୍ଗତ ପୂର୍ଣଚନ୍ଦ୍ର ଦଳେଇ ଧାନ ଚାଷ ନିମନ୍ତେ କରିଥିବା ଋଣ ସମ୍ପର୍କରେ ଚାଷୀ ସ୍ବର୍ଗତ ଦଳେଇଙ୍କ ଧର୍ମପତ୍ନୀ ପାର୍ବତୀ ଦଳେଇଙ୍କ ଠାରୁ ଜାଣିବାକୁ ପାଇଥିଲେ। ଏହି ଋଣ ଟଙ୍କା ପରିଶୋଧ ନିମନ୍ତେ ଅଭିନେତ୍ରୀ ରାନୀ ପଣ୍ଡା ଚାଷୀ ସ୍ବର୍ଗତ ଦଳେଇଙ୍କ ବିଧବା ପତ୍ନୀ ପାର୍ବତୀ ଦଳେଇଙ୍କୁ ଏକ ଲକ୍ଷ ଟଙ୍କାର ଚେକ ସହାୟତା ରୂପକ ପ୍ରଦାନ କରିଥିଲେ। ଗ୍ରାମ ତଥା ପାରିବାରିକ ରୀତିନୀତି ଅନୁଯାୟୀ ଏକାଦଶାହ ଉପଲକ୍ଷେ 800 ଲୋକଙ୍କ ପାଇଁ ମହାପ୍ରସାଦ ସେବନ କରାଇବାର ସମ୍ପୂର୍ଣ୍ଣ ବ୍ୟୟ ଓ ସମସ୍ତ ବ୍ୟବସ୍ଥା ନିଜେ ରାନୀ ପଣ୍ଡା ବହନ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ।
ପରିବାରର ମୁରବୀଙ୍କୁ ହରାଇ ପରିବାରର ସମସ୍ତେ ଭାଙ୍ଗି ପଡ଼ିଥିଲା ବେଳେ ରାନୀ ପଣ୍ଡା ଜଣେ ଜନ୍ମିତ ଝିଅ ଠାରୁ ଅଧିକ କର୍ତ୍ତବ୍ୟ କରିଛନ୍ତି। ଯାହାକି ପରିବାର ସଦସ୍ୟମାନେ ବହୁତ ଆଶ୍ୱସ୍ତ ଅନୁଭବ କରିବା ସହ ଏଥିପାଇଁ ରାନୀ ଙ୍କୁ ଅଜସ୍ର ଆଶୀର୍ବାଦ ଢାଳି ଦେଇଛନ୍ତି। ଗ୍ରାମବାସୀଙ୍କ ସମେତ ସମଗ୍ର ସତ୍ୟବାଦୀ ବାସୀ ମଧ୍ୟ ରାନୀ ପଣ୍ଡାଙ୍କ ଏଭଳି ସହାୟତା ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ ଆଶୀର୍ବାଦ ଅର୍ପଣ କରିଛନ୍ତି।
Comments are closed.