କୁମ୍ବାରପଡା ଗୋଷ୍ଠୀ ବିବାଦ ଘଟଣା , ୫ ଗିରଫ
ସମ୍ବଲପୁର, : ଗତ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସାକାଣ୍ଡ ପରେ ସହରରେ ସ୍ୱାଭାବିକ ଅବସ୍ଥା ଫେରି ଆସିଥିବା ବେଳେ ଅଚାନକ ରବିବାର ରାତ୍ରିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ହେବାରୁ ପୁଣି ଥରେ ସାମାନ୍ୟ ଅଶାନ୍ତ ବାତାବରଣ ସହରରେ ସୃଷ୍ଟି ହୋଇଛି। ଗତକାଲି ରାତ୍ରିରେ ସ୍ଥାନୀୟ କୁମ୍ଭାରପଡା ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ଜରିଆରେ ଭାଇରାଲ ଭଏସ ମେସେଜକୁ ନେଇ ସୃଷ୍ଟି ହୋଇଥିବା ଗଣ୍ଡୋଗଳ ପରବର୍ତ୍ତୀ ସମୟରେ ସଂଘର୍ଷ ରୂପ ନେଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।
ଏ ସମ୍ପର୍କରେ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ ଅନୁଯାୟୀ, ଗତକାଲି ରାତ୍ରିରେ କୁମ୍ଭାରପଡା ଠାରେ ପ୍ରଥମେ ଦୁଇ ଜଣ ସାଙ୍ଗଙ୍କ ମଧ୍ୟରେ ପରସ୍ପରକୁ ପ୍ରଥମେ ସାମାଜିକ ଗଣମାଧ୍ୟମ ଜରିଆରେ ଭଏସ ମେସେଜ ଜରିଆରେ ଗାଳିଗୁଲଜ କରିବା ପରେ ଝଗଡା ହୋଇଥିଲା। ହଠାତ କଥା ବଢ଼ି ଯାଇ ଦୁଇ ଜଣଙ୍କ ମଧ୍ୟରେ ମାଡପିଟ ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପୁର୍ବରୁ ଥିବା ସୁରକ୍ଷାକୁ ଆହୁରୀ ଅଧିକ ବୃଦ୍ଧି କରାଯାଇଛି। ଏହି ଘଟଣାରେ ଫେରାର ଥିବା ସଂପୃକ୍ତ ବ୍ୟକ୍ତି ମାନଙ୍କୁ ମଧ୍ୟ ଧରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର କହିଛନ୍ତି।
ବିଗତ ଦିନର ହିଂସାକାଣ୍ଡ ଘଟଣା ପରେ ପୁର୍ନବାର ରବିବାର ରାତ୍ରିରେ ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ଧ୍ୟାନରେ ରଖି ତୁରନ୍ତ ବରିଷ୍ଠ ପୁଲିସ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ଓ ସ୍ଥିତିର ସମୀକ୍ଷା ସହିତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରୁଦ୍ଧଦ୍ୱାର ବୈଠକ କରିବା ସହିତ ରାତ୍ରିରେ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ଇତି ମଧ୍ୟରେ ଧନୁପାଲି ପୁଲିସ ପକ୍ଷରୁ ଗତକାଲି ରାତ୍ରିରେ ଅଟକ ରଖିଥିବା ୫ ଜଣ ବ୍ୟକ୍ତିଙ୍କୁ ଆଜି ଗିରଫ କରି ଅଦାଲତକୁ ଚାଲାଣ କରିଛି। ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତି ସମ୍ପୁର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ସମ୍ବଲପୁର ପୁଲିସ କହିଛି। ଅପରପକ୍ଷରେ ହନୁମାନ ଜୟନ୍ତୀ ପରେ ଉପୁଜୁଥିବା ପରିସ୍ଥିତିକୁ ସହରବାସୀ ଏବେ ମଧ୍ୟ ଭୁଲି ନ ଥିବା ବେଳେ ଗତକାଲିର ଘଟଣା ପରେ ଜନତାଙ୍କ ମଧ୍ୟରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏକ ନୂତନ ଆହ୍ବାନ ସୃଷ୍ଟି କରିଛି।
Comments are closed.