ଥାନାଧିକାରୀଙ୍କୁ ଛୁରୀ ଦେଖାଇ ଧମକ; ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁରରେ ପୁଲିସର ଢ଼ିଲା କାର୍ଯ୍ୟ ଯୋଗୁଁ ଅସାମାଜିକ ଓ ଅପରାଧିକ ବ୍ୟକ୍ତିମାନଙ୍କ ମଧ୍ୟରେ ଆଇନର କୌଣସି ଭୟ ନ ଥିବା ପରିଲକ୍ଷିତ ହେଉଛି। ତେବେ ପୁଲିସ ଭୁଷୁଡି ପଡ଼ିଥିବା ଆଇନ ବ୍ୟବସ୍ଥାକୁ ସଜାଡିବା ପରିବର୍ତ୍ତେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାରେ ବେଶ ବ୍ୟସ୍ତ ରହୁଥିବାର ପରଲକ୍ଷିତ ହେଉଛି। ଏଭଳି ଏକ ଘଟଣାରେ ଗତ ସୋମବାର ଅପରାହ୍ନରେ ଟାଉନ ଥାନା ଅଧିକାରୀ ଓ ତାଙ୍କର ଦଳ ସରକାରୀ ଗାଡିରେ କୌଣସି ଏକ କାର୍ଯ୍ୟ ସାରି ଥାନାକୁ ଫେରୁଥିଲେ। ସେହି ସମୟରେ ଟାଉନ ଥାନାର ପଛରେ ଥିବା ଭିଏସଏସ ମାର୍ଗର ଏକ ପ୍ରମୁଖ ମଲ ସମ୍ମୁଖରେ ଜଣେ ବ୍ୟକ୍ତି ଧାରୁଆ ଛୁରୀ ଧରି ଛିଡା ହୋଇ ଜନତାଙ୍କୁ ଡରାଇବା ସହିତ ମଝି ରାସ୍ତାରେ ଛିଡା ହୋଇଥିଲା। ଟାଉନ ଥାନାଧିକାରୀ ଓ ତାଙ୍କର ଦଳ ଉକ୍ତ ରାସ୍ତାରେ ଆସୁଥିବା ବେଳେ ଭିଡ ଦେଖି ସ୍ଥିତି ସମ୍ପର୍କରେ ଅବଗତ ହେବା ପରେ ଉକ୍ତ ବ୍ୟକ୍ତିଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଇନ ବ୍ୟବସ୍ଥାର କୌଣସି ଭୟ ନଥିବା ଯୋଗୁ ଉକ୍ତ ବ୍ୟକ୍ତି ଜଣକ ଥାନାଧିକାରୀଙ୍କୁ ଛୁରୀ ଦେଖାଇ ଜୀବନରେ ମାରି ଦେବାକୁ ଧମକଚମକ ଦେଇଥିଲେ। ଅବସ୍ଥା ଏଭଳି ହୋଇଥିଲା ଯେ, ବହୁ କଷ୍ଟରେ ପୁଲିସ ଦଳ ଉକ୍ତ ବ୍ୟକ୍ତିକୁ କାବୁ କରି କୌଣସି ମତେ ଟାଉନ ଥାନାକୁ ନେଇଥିଲେ। ଏହି ଘଟଣା ଜନତାଙ୍କୁ ଚକିତ କରିଥିବା ବେଳେ ଏହି ମାମଲାରେ ଥାନାଧିକାରୀ ନିଜେ ନିଜର ଥାନାରେ ଅଭିଯୋଗ କରିବାରୁ ମାମଲା ସଂଖ୍ୟା ୮୬/୨୦୨୩ ରୁଜୁ କରି ଉକ୍ତ ଯୁବକଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛନ୍ତି। ତେବେ ଏହି ଘଟଣା ଟାଉନ ପୁଲିସ ସମେତ ଜିଲା ପୁଲିସର ଭାବମୂର୍ତ୍ତିକୁ ଧୂଳିସାତ କରି ଦେଉଛି। ଅପରପକ୍ଷରେ ଏହି ଘଟଣାକୁ ପୁଲିସ ପକ୍ଷରୁ ପାରୁ ପର୍ଯ୍ୟନ୍ତ ଲୁଚାଇବାର ପ୍ରଚେଷ୍ଟା କରାଯାଇଥିବା ବେଳେ କିନ୍ତୁ ଘଟଣାଟି ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

kalyan agarbati

Comments are closed.