ସମ୍ବଲପୁର: ଆଗାମୀ ୧ ତାରିଖରେ ନୁଆଁଖାଇ ଅବସରରେ ସମସ୍ତ କ୍ଷେତ୍ରରେ ଛୁଟି ଘୋଷଣା ଓ ସେହି ସମୟରେ ହେବାକୁ ଥିବା ବିଭିନ୍ନ ପରୀକ୍ଷା ଗୁଡିକୁ ଘୁଞ୍ଚାଇବା ନିମନ୍ତେ ହୀରାଖଣ୍ଡ ସାମୁଖ୍ୟ ଦାବି କରିଛି। ଏହି ମର୍ମରେ ଶନିବାର ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସମ୍ବଲପୁର ଙ୍କୁ ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତକାର କରି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ନୁଆଁଖାଇ ଛୁଟିରେ ହୀରାଖଣ୍ଡ ଅଞ୍ଚଳକୁ ପାତର ଅନ୍ତର କରାଯାଉଛି। ହୀରାଖଣ୍ଡ ଅଞ୍ଚଳର ନୁଆଁଖାଇ କୃଷିଭିତ୍ତିକ ଓ ସାଂସ୍କୃତିକ ଗଣପର୍ବ ଅଟେ। ଏହା ଏବେ ଅଞ୍ଚଳରେ ସୀମିତ ନ ରହି ସାରା ରାଜ୍ୟ, ଦେଶ ଓ ଆର୍ନ୍ତଜାତୀୟ ସ୍ତରରେ ପାଳନ କରାଯାଉଛି।
ହୀରାଖଣ୍ଡବାସୀ ଯେଉଁ ଅଞ୍ଚଳରେ ଥିଲେ ସୁଦ୍ଧା ନୁଆଁଖାଇ ଦିନ ନିଜ ଘରକୁ ଆସି ପରିବାର ସହି ମହା ଆନନ୍ଦ ଓ ଉଲ୍ଲାସରେ ଏହି ପର୍ବକୁ ପାଳନ କରିଥାନ୍ତି। ସେଥି ପାଇଁ ଓଡ଼ିଶା ସରକାର ୧୯୯୧ ମସିହାରୁ ସରକାରୀ କର୍ମଚାରୀ ମାନଙ୍କୁ ପାଇଁ ନୁଆଁଖାଇ ଛୁଟି ଘୋଷଣା କରି ଆସୁଥିଲେ। କିନ୍ତୁ ଗତ କିଛି ବର୍ଷ ହେବ ଏଥିରେ ବ୍ୟତିକ୍ରମ ହେଉଛି। ରଜପର୍ବ ପାଇଁ ସାରା ଓଡ଼ିଶାରେ ଛୁଟି ଘୋଷଣା କରାଯାଉଥିବା ବେଳେ ସେହି ଦିନ କୌଣସି ପ୍ରକାରର ପରୀକ୍ଷା କିମ୍ବା ସାକ୍ଷାତକାର ଆଦି କରାଯାଏ ନାହିଁ। କିନ୍ତୁ ଚଳିତ ବର୍ଷ ବ୍ୟାଙ୍କ, ଜୀବନ ବୀମା ଆଦିରେ କର୍ମଚାରୀ ମାନଙ୍କ ଛୁଟି କ୍ୟାଲେଣ୍ଡରରେ ନୁଆଁଖାଇଁ କୁ ବାଦ ଦିଆଯାଇଛି। ଏପରିକି ନୁଆଁଖାଇ ଦିନ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ବିଇଡି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକି ସରକାରଙ୍କ ହୀରାଖଣ୍ଡ ଅଞ୍ଚଳ ପାଇଁ ରହିଥିବା ପାତର ଅନ୍ତର ନିତିକୁ ଦର୍ଶାଉଛି। ଏଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଏହି ବିଷୟରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନିଅନ୍ତୁ ବୋଲି ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ଦାବି କରାଯାଇଛି। ପ୍ରତିନିଧି ମଣ୍ଡଳରେ ଅଶୋକ କୁମାର ମିଶ୍ର, ଅଖିଳ ରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ଓ ସୁରେଖା ସାହୁ ପ୍ରମୁଖ ସାମିଲ ରହିଥିଲେ। ଏହି ଦାବିପତ୍ରର ନକଲ ସମ୍ବଲପୁର ଜିଲାପାଳଙ୍କୁ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଛି।



