ବିମଳାଗଡ ରେଳ ଲାଇନ ପାଇଁ ବିସ୍ଥାପିତଙ୍କ ଉପଯୁକ୍ତ କ୍ଷତିପୂରଣ ଦାବି
ସମ୍ବଲପୁର: ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧିନସ୍ଥ ଦେବଗଡ ଜିଲାରେ ତାଳଚେର-ବିମଳାଗଡ ମଧ୍ୟରେ ଗମନାଗମର ସୁବିଧା ନିମନ୍ତେ ନୂତନ ରେଳ ଧାରଣା ବିଛାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣୁ ଦେବଗଡ ଜିଲା ବାରକୋଟ ତହସିଲ ଅର୍ନ୍ତଗତ ୧୯ ଖଣ୍ଡ ମୌଜା ଅଧିବାସୀଙ୍କ ଜମି ନୂତନ ରେଳପଥ ପାଇଁ ଅଧିଗ୍ରହଣ କରାଯାଉଛି । ତେବେ ବିସ୍ଥାପିତ ମାନେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ରାଶି ଓ ଥଇଥାନର ଦାବି କରିଛନ୍ତି । ବୁଧବାର ସମ୍ବଲପୁର ଠାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଏହି ଅଞ୍ଚଳରେ ବସବାସ କରୁଥିବା ପରିବାର ମାନେ ପୂର୍ବରୁ ରାଉରକେଲା ଲୁହା କାରଖାନା ଏବଂ ପରବର୍ତ୍ତୀ ସମୟରେ ରେଙ୍ଗାଲି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବା ପରେ ରହି ଆସୁଛନ୍ତି ।
ତେବେ ପୁର୍ନବାର ସେମାନଙ୍କୁ ବିସ୍ଥାପିତ କରାଯାଉଥିବା ବେଳେ କ୍ଷତିପୂରଣ ରାଶି ଓ ଥଇଥାନର ନିତି ସ୍ପଷ୍ଟ କରାଯାଉ ନାହିଁ । ଏଣୁ ଦେବଗଡ ଜିଲା ଦେଇ ଯାଉଥିବା ରେଳ ପ୍ରକଳ୍ପରେ କ୍ଷତିଗ୍ରସ୍ତ ବ୍ୟକ୍ତି ମାନଙ୍କୁ ୨୦୧୩ ମସିହାରେ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ବଜାର ଦରରେ ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ରେଙ୍ଗାଲି ବହୁମୁଖି ପ୍ରକଳ୍ପ ଓ ରାଉରକେଲା ଲୁହା କାରଖାନା ଦ୍ୱାରା ବିସ୍ଥାପିତ ପରିବାରଙ୍କୁ ସ୍ୱତନ୍ତ୍ର କ୍ଷତି ପୂରଣ ଓ ପ୍ୟାକେଜ ପ୍ରଦାନ ଏବଂ ଆଦିବାସୀ ଓ ହରିଜନ ମାନଙ୍କ ପାଇଁ ସ୍ୱତନ୍ତ୍ର ସରକାରୀ ସୁବିଧା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ପ୍ରଦତ୍ତ ଦାବିପତ୍ରରେ ଲିଙ୍ଗରାଜ ଦାସ, ରଞ୍ଜୁବାଳା ଗଡନାୟକ, ଜ୍ୟୋତି ବେହେରା, ବନେଶ୍ୱର ସାହୁ, ନବୀନ କୁମାର ସାହୁ, ଚୁଡାମଣି ସାହୁ, ମନୋରମା ପ୍ରଧାନ, ନିର୍ମଳ ପ୍ରଧାନ, କମାର ସାହୁଙ୍କ ସମେତ ଅନେକ ଅଞ୍ଚଳବାସୀଙ୍କର ଦସ୍ତଖତ ରହିଛି ।
Comments are closed.