ଶୀତଳଷଷ୍ଠୀ: ଧର୍ମ, ସଂସ୍କୃତି ଓ ମନୋରଞ୍ଜନର ମହାସଙ୍ଗମ
ସମ୍ବଲପୁର: ‘ଶୀତଳଷଷ୍ଠୀ’ ନାମଟି ଶୁଣିବା ମାତ୍ରକେ ମନରେ ଧର୍ମୀୟ ଭାବନା ସହ ସାଂସ୍କୃତିକ ପରମ୍ପରା ଓ ମନୋରଞ୍ଜନର ଏକ ମହାସଙ୍ଗମ ଆଖି ଆଗରେ ଝଲସି ଯାଇଥାଏ। କେବଳ ସମ୍ବଲପୁର କାହିଁକି ସମଗ୍ର ପଶ୍ଚିମ ଓଡିଶାରେ ଶୀତଳଷଷ୍ଠୀର ବିଶେଷ ମହତ୍ୱ ରହିଛି। ତେବେ ସମ୍ବଲପୁରବାସୀଙ୍କର ଭାବନାତ୍ମକ ସର୍ମ୍ପକ ଶୀତଳଷଷ୍ଠୀ ସହିତ ରହିଛି। ସେମାନଙ୍କର ପାଇଁ ଶୀତଳଷଷ୍ଠୀ ଯାତ୍ରା ଧର୍ମ ଓ ସାଂସ୍କୃତିକ ପରମ୍ପରାକୁ ବଜାଇ ରଖିବା ସହ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଅଟେ। ଏଣୁ ଶୀତଳଷଷ୍ଠୀ କୁ ଧର୍ମ, ସଂସ୍କୃତି ଓ ମନୋରଞନର ମହାସଙ୍ଗମ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଶୀତଳ ଷଷ୍ଠୀର ଇତିହାସ, ସଂସ୍କୃତି ଓ ପରମ୍ପରା ସର୍ମ୍ପକରେ ନନ୍ଦପଡା ନିବାସୀ ଫଣୀ ଭୂଷଣ ମିଶ୍ର କହିଛନ୍ତି ଯେ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା ପ୍ରାୟ ୪୦୦ ବର୍ଷ ପୁରାତନ ଅଟେ। ପ୍ରାୟ ୪୦୦ ବର୍ଷ ପୁର୍ବେ ପୁରୀରୁ ଆସିଥିବା ଉତ୍କଳୀୟ ବ୍ରାହ୍ମଣମାନେ ସମ୍ବଲପୁର ଠାରେ ପ୍ରଥମେ ବାଲିବନ୍ଧା ସ୍ଥିତ ସୋମନାଥ ମନ୍ଦିର ଠାରେ ଶୀତଳ ଷଷ୍ଠୀର ଶୁଭାରମ୍ଭ କରିଥିଲେ। ପରେ ନନ୍ଦପଡା ଠାରେ ବାଲୁଙ୍କେଶ୍ୱର ମନ୍ଦିରର ପ୍ରତିଷ୍ଠା ହୋଇଥିଲା। ଉତ୍କଳୀୟ ବ୍ରାହ୍ମଣମାନେ ପୁରୀରୁ ସମ୍ବଲପୁରକୁ ଆସିବା ସମୟରେ ପୁରୀରେ ରହୁଥିବା ସମୟରେ ସେମାନେ ମାନି ଆସୁଥିବା ସଂସ୍କୃତି ଓ ପରମ୍ପରାକୁ ସାଥୀରେ ନେଇ ଆସିଥିବା ଲୋକମୁଖରୁ କୁହାଯାଇଥାଏ। ଉତ୍କଳୀୟ ବ୍ରାହ୍ମଣ ମାନେ ଶୀତଳଷଷ୍ଠୀ ମାଧ୍ୟମରେ ପଶ୍ଚିମ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ସହିତ ପୁରୀର ସଂସ୍କୃତି ଓ ପରମ୍ପରାକୁ ସଙ୍ଗମ କରି ଏକ ନୁତନ ରୁପ ଦେଇଥିଲେ। ସେହି ପରମ୍ପରା ଏବେ ମଧ୍ୟ ପିଢ଼ି ପରେ ପିଢ଼ି ଧରି ଚାଲିଆସୁଛି।
ସେ ଆହୁରୀ କହିଛନ୍ତି ଯେ ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା ପାଇଁ ଅଞ୍ଚଳବାସୀ ସମ୍ପୁର୍ଣ୍ଣ ରୂପେ ସର୍ମ୍ପପିତ। ବାବା ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କ ଏହି ଦେବ ବିବାହ ଓ ଧାର୍ମିକ ଶୋଭାଯାତ୍ରାକୁ ସଫଳ କରିବା ନିମନ୍ତେ ପଡାବାସୀ ମାସାଧିକାଳ ମନପ୍ରାଣ ଦେଇ ଲାଗିଥାନ୍ତି। ମୁଁ ମୋର ଶିଶୁ ସମୟରୁ ଏହି ଦେବସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଛି ଏବଂ ଆଜୀବନ ଜଡିତ ରହିବି। ମୋର ପ୍ରାୟ ୪୦ ବର୍ଷର ଅନୁଭୂତିରେ ଯାତ୍ରା ପୂର୍ବରୁ ମଶାଲର ଆଲୋକ ମାଧ୍ୟମରେ ପରିଚାଳିତ ହେଉଥିବା ବେଳେ ଏବେ ତାହାର ସ୍ଥାନ ବିଭିନ୍ନ ରଙ୍ଗର ଆଲୋକ ସ୍ଥାନ ନେଇ ସାରିଛି। ନନ୍ଦପଡାବାସୀଙ୍କ ପାଇଁ ଶୀତଳଷଷ୍ଠୀ ଯାତ୍ରା ଏକ ଗ୍ରୀଷ୍ମକାଳୀନ ଶିବିର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ବିଶାଳ ଧାର୍ମିକ ମହୋତ୍ସବକୁ ସୁଚାର ରୂପେ ଆୟୋଜନ ଓ ପରିଚାଳନା ନିମନ୍ତେ ଆରମ୍ଭ ସମୟରୁ ହିଁ ଆମର ପୂର୍ବ ପୁରୁଷ ମାନେ ପଡାର ପ୍ରତ୍ୟେକ ପରିବାରକୁ କିଛି ନା କିଛି ଦାୟିତ୍ୱ ପ୍ରଦାନ କରିଥିଲେ ଏବଂ ସମସ୍ତ ପରିବାର ପୁର୍ଣ୍ଣ ନିଷ୍ଠାର ସହିତ ଉକ୍ତ ଦାୟିତ୍ୱ ଗୁଡିକୁ ପିଢ଼ି ପରେ ପିଢ଼ି ଆଜି ମଧ୍ୟ ନିର୍ବାହ କରି ଆସୁଛନ୍ତି। ମୋର ମନେ ଅଛି ଆମର ଘରେ ମହାଦେବ ଓ ମାତା ପାର୍ବତୀଙ୍କ ଏହି ପବିତ୍ର ଦେବ ବିବାହ ଉତ୍ସବରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ଆମର ଘରେ ବହୁ ବର୍ଷ ଧରି ରଖାଯାଉଥିଲା। ଆଜିର ଦିନରେ ଆୟୋଜିତ ହେଉଥିବା ଗ୍ରୀଷ୍ମକାଳୀନ ଶିବିରରେ ଯେଭଳି ଭାଗ ନେଇ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଶିଶୁ ମାନେ ନେଉଛନ୍ତି, ଠିକ ସେହିଭଳି ଗ୍ରୀଷ୍ମ ଋତୁରେ ଆୟୋଜିତ ଏହି ମହୋତ୍ସବରେ ସାମିଲ ହୋଇ ଅଞ୍ଚଳର ଛୁଆ ରୁ ନେଇ ବରିଷ୍ଠ ନାଗରିକ ମାନେ ଭାଗ ନେଇ ନିଜର ଦକ୍ଷତାକୁ ପ୍ରଦର୍ଶିତ କରିବାର ଏକ ସୁଯୋଗ ପାଇଥାନ୍ତି। ଯାହାକି ସେମାନଙ୍କର କର୍ମମୟ ଜୀବନରେ ପ୍ରତିଫଳିତ ହୋଇଥାଏ। ଏଣୁ ଏହାକୁ ଅଞ୍ଚଳବାସୀଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏତେ ବଡ ବିଶାଳ ଧାର୍ମିକ ଶୋଭା ଅନେକ ବାଧା ବିଘ୍ନ ମଧ୍ୟ ଦେଇ ଶୀତଳଷଷ୍ଠ ଯାତ୍ରା ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଥିବା ବେଳେ ଆଜି ମଧ୍ୟ ତାର ଐତିହ୍ୟ, ଧାର୍ମିକ, ବୈଭବ ପରମ୍ପରାକୁ ସମୟର ତାଳ ସହିତ ବଜାୟ ରଖିଛି ଏବଂ ରଖିବ ବୋଲି ମୋର ଆଶା।
Comments are closed.