ଅଧଘଣ୍ଟାର କାଳବୈଶାଖୀରେ ଅନ୍ଧାର ହେଲା ସମ୍ବଲପୁର
ସମ୍ବଲପୁର: ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ନିୟମିତ ବିଦ୍ୟୁତ୍ ରକ୍ଷଣାବେକ୍ଷଣ ନାମରେ ବିଜୁଳି କାଟ କରାଯାଉଥିବା ଅଭିଯୋଗ ହେଉଛି । ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ କାଳବୈଶାଖୀର ପ୍ରଭାବରେ ପବନ ସହ କିଛି ସମୟ ଧରି ବର୍ଷା ହେବା ପରେ ସାରା ସହରରେ ବିଜୁଳି ଚାଲି ଯାଇଥିଲା । ଏ ସର୍ମ୍ପକରେ ଟିପିଡବ୍ଲ୍ୟୁଓଡିଏଲର ସୁପରିନଟେଣ୍ଡିଂ ଇଞ୍ଜିନିୟର ସଞ୍ଜିତ ନାୟକଙ୍କୁ ପଚରାଯିବାରୁ ଅଚାନକ ବର୍ଷା ଓ ପବନ ଯୋଗୁଁ ସହରର ଅନେକ ସ୍ଥାନରେ ଗଛ ଗୁଡିକ ଭାଙ୍ଗି ଯାଇ ବିଦ୍ୟୁତ ତାର ଉପରେ ପଡିଯାଇଛି ।
ଏଣୁ ବାଧ୍ୟ ହୋଇ ଧନଜୀବନ ହାନୀକୁ ଏଡାଇବା ପାଇଁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇ ତାର ଗୁଡିକ ଉପରୁ ଗଛ ମାନଙ୍କୁ ହଟାଯାଉଛି । ଯଥାଶୀଘ୍ର ବିଦ୍ୟୁତ ସରବରାହକୁ ଠିକ୍ କରିବାକୁ ପ୍ରୟାସ ଜାରି ରହିଛି ବୋଲି ଅଧିକାରୀ ନାୟକ କହିଛନ୍ତି । ଅପରପକ୍ଷରେ ବର୍ଷା ଓ ପବନ ଯୋଗୁଁ ଅଇଁଠାପାଲି, ବରେଇପାଲି, କ୍ଷେତରାଜପୁର, ଧନୁପାଲି, ପୁଟିବନ୍ଧ, ସାକ୍ଷୀପଡା, ଗୋଲବଜାର, ଭୂତାପଡା, ବୁଢ଼ାରଜା ଆଦି ସହରର ଅର୍ଦ୍ଧାଧିକ ଅଞ୍ଚଳର ବିଳମ୍ବିତ ରାତ୍ରିରେ ଖବର ଲେଖାଯିବା ପର୍ଯ୍ୟନ୍ତ ଅନ୍ଧକାର ମଧ୍ୟରେ ଡୁବି ରହିଛି । କିଛି ଅଞ୍ଚଳରେ ଓଡ୍ରାପ୍ଟ ଓ ପୁଲିସ ଦଳ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କୁ ତାର ଉପରେ ଗଛ ଗୁଡିକୁ ହଟାଇବାରେ ସାହାଯ୍ୟ କରୁଥିବାର ଦେଖାଯାଇଛି ।
ଅପରପକ୍ଷରେ ଧନୁପାଲି ଥାନା ସମ୍ମୁଖରେ ଏକ ବିଶାଳ ଗଛର ଡାଳ ବିଦ୍ୟୁତ ତାର ଉପରେ ପଡିଯାଇଥିବାରୁ କିଛି ସମୟ ପାଇଁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା । ତେବେ ବର୍ଷ ତମାମ ରକ୍ଷଣାବେକ୍ଷଣ ନାମରେ ବିଜୁଳି କଟା ଯାଉଥିବା ବେଳେ ସାମାନ୍ୟ ପବନ ଓ ବର୍ଷାରେ ବିଜୁଳି ଚାଲିଯିବା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଥିବାରୁ ଲୋକେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Comments are closed.