ସମ୍ବଲପୁର: ଆଗାମୀ ୧୩ ତାରିଖ ରବିବାର ଦିନ ସମ୍ବଲପୁର ଠାରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ୨୦୨୨ ଆୟୋଜିତ ହେବ। ଏହି ମର୍ମରେ ସ୍ଥାନୀୟ ଚାରଭାଟି ସ୍ତିତ ଏକ ହୋଟେଲରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରତିଯୋଗୀତା ସ୍ଥାନୀୟ ଅଇଁଠାପାଲି ସ୍ଥିତ ପିଏଚଡି ପଡ଼ିଆରେ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି। ଏହି ଚାମ୍ପିୟନସିପ ଆୟୋଜନ କରୁଥିବା ସମ୍ବଲପୁର ବଡି ବିଲଡିଂ ଆଣ୍ଡ ଫିଟନେସ ଆସୋସିଏସନର ସଭାପତି ସତିଶି ବିଶି ସୂଚନା ଦେଇ କହିଛନ୍ତି ଯେ, ମିଷ୍ଟର ଓ ମିସ ଓଡ଼ିଶା ୨୦୨୨ ଚାମ୍ପିୟନସିପରେ ଚଳିତ ବର୍ଷ ୨୫୦ ରୁ ଉର୍ଦ୍ଧ ପ୍ରତିଯୋଗୀ ସମେତ ୩୦ ଜଣ ବିଚାରକ ଓ ସ୍ୱେଚ୍ଛାସେବୀ ଯୋଗ ଦେବେ।
ଏହି ପ୍ରତିଯୋଗୀତାରେ ୧୮ଟି ବିଭାଗରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାଗ ନେବେ। ଚଳିତ ବର୍ଷ ମିଷ୍ଟର ଓଡ଼ିଶା ୨୦୨୨ର ପ୍ରଥମ ବିଜେତାଙ୍କୁ ୪୦ ହଜାର ଟଙ୍କା, ଉପ ବିଜେତାଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିଭଳି ମିସ ଓଡ଼ିଶା ୨୦୨୨ର ପ୍ରଥମ ବିଜୟୀଙ୍କୁ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ପ୍ରତିଯୋଗିତାର ବରମୁଣ୍ଡା ମଡେଲ ବିଜେତାଙ୍କୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ପ୍ରତିଯୋଗୀତାକୁ ଆୟୋଜନ ନିମନ୍ତେ ୧୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାର ଆୟୋଜକମାନେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ନିଶାନ୍ତ ବହିଦାର, ସମ୍ପାଦକ ଅମିତାଭ ପରିଡ଼ା, କାର୍ଯ୍ୟକାରୀ ସଦସ୍ୟ ଭୋଲା ମହତମଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।



