ସମ୍ବଲପୁର: ମାନବିକତା ଦେଖାଇଲେ ଆଇଜି ହିମାଂଶୁ ଲାଲ । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ନିଜ ଗାଡିରେ ବସାଇ ମେଡିକାଲକୁ ପଠାଇଥିଲେ । ସୂଚନା ଅନୁସାରେ ସମ୍ବଲପୁରର ଆଇଜି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଧୁଚୁରାପଡା ଛକ ଠାରେ ଗୁରୁବାର ଅପରାହ୍ନରେ ଏକ ଦ୍ରୁତଗାମୀ କାର ଧକ୍କାରେ ଜଣେ ବୁଲେଟ ଆରୋହୀ ତଥା ଚାଉଁରପୁର ନିବାସୀ ସନ୍ତୋଷ ଶର୍ମା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ ।
ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ଏକ ବୁଲେଟକୁ ଜୋରଦାର ଧକ୍କା ଦେଇଥିଲା । ଫଳରେ ବୁଲେଟ ଆରୋହୀ ଯୁବକ ଦୁରକୁ ଛିଟକି ପଡିବାରୁ ତାଙ୍କୁ ମୁଣ୍ଡ ସମେତ ଦେହର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଥିଲା । ଧକ୍କା ଏତେ ଜୋର ଥିଲା ଯେ, ବୁଲେଟ ଗାଡିର ସମ୍ମୁଖ ଚକ ସହିତ ସମ୍ମୁଖ ଭାଗଟି ସମ୍ପୁର୍ଣ୍ଣ ଚେପା ହୋଇଯାଇଥିଲା । ଦୁର୍ଘଟଣା ସମୟରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିମାଂଶୁ ଲାଲ ସେହି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣା ଦେଖି ଅଟକି ଯାଇଥିଲେ । ତରନ୍ତ ଆଇଜି ଶ୍ରୀ ଲାଲ, ଟାଉନ ପୁଲିସକୁ ଖବର ଦେବା ସହିତ କାଳ ବିଳମ୍ବ ନକରି ତାଙ୍କର ପିଏସଓ ମାନଙ୍କ ସହାୟତାରେ ଆହତ ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଏଥିସହ ଆବଶ୍ୟକୀୟ ନିର୍ଦେଶ ଟାଉନ ପୁଲିସକୁ ଦେବା ସହିତ ଠପ ପଡିଯାଇଥିବା ଅଞ୍ଚଳର ଯାତାୟାତକୁ ମଧ୍ୟ ସୁନିଶ୍ଚିତ କରିଥିଲେ ।
ଅପରପକ୍ଷରେ ଦୁର୍ଘଟଣା ପରେ କାର ଚାଳକ ଫେରାର ହେବାର ଉଦ୍ୟମ କରୁଥିବା ବେଳେ ତାକୁ ସ୍ଥାନୀୟ ଲୋକେ ଧରି ପୁଲିସ ଜିମାରେ ଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କାର ଚାଳକ ଜଣକ ପ୍ରଚୁର ମଦ୍ୟ ପାନ କରି ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା । ମିଳିଥିବା ସୁଚନା ଅନୁଯାୟୀ, କାର ଚାଳକ ଅସିତ କୁମାର ଜେନା ଜଣେ ଡାକ୍ତର ଏବଂ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ରହିଛନ୍ତି । ପୁଲିସ ଉକ୍ତ ଡାକ୍ତରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।



