୧ ଜିଲ୍ଲା ୧ ନମ୍ବର ସହ ଜିଲାପାଳଙ୍କ ଅନଲାଇନ ଗ୍ରିଭାନ୍ସ ସେବାର ଶୁଭାରମ୍ଭ
ସମ୍ବଲପୁର: ସମ୍ବଲପୁର ଜିଲାପାଳଙ୍କ ଗ୍ରିଭାନ୍ସ ସେଲ ଦ୍ୱାରା ଗୋଟିଏ ଜିଲା ଗୋଟିଏ ନମ୍ବର ସେବାର ଶୁଭାରମ୍ଭ କରାଯିବା ସହ ଜିଲାପାଳଙ୍କ ଗ୍ରିଭାନ୍ସ ପ୍ରକ୍ରିୟାକୁ ଅନଲାଇନ କରାଯାଇଛି। ଶନିବାର ଅପରାହ୍ନ ୫ଟାରେ ଜିଲାପାଳ ଶୁଭମ ସାକ୍ସସେନା ତାଙ୍କ କାର୍ୟ୍ୟାଳୟରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସୂଚନା ଦେଇ ଜିଲାପାଳ ଶୁଭମ ସକ୍ସସେନା କହିଛନ୍ତି ଯେ, ଜିଲାବାସୀଙ୍କୁ ସେମାନଙ୍କ ଗ୍ରିଭାନ୍ସ ଜଣାଇବା ପାଇଁ ଏକ ଟୋଲ ଫ୍ରି ନମ୍ବର (୧୮୦୦୩୪୫୬୭୨୩) ପ୍ରଦାନ କରାଯାଇଛି। ଏହି ଟୋଲ ଫ୍ରି ନମ୍ବରକୁ ଡାଏଲ କରି ତାର ଗ୍ରିଭାନ୍ସ ଜଣାଇପାରିବେ। ଗ୍ରିଭାନ୍ସ ପାଇବା ପରେ ଗ୍ରିଭାନ୍ସଟି ସର୍ମ୍ପକିତ ୱେବ ସାଇଟରେ ସର୍ମ୍ପକିତ ବିଭାଗରେ ଫିଡ ହୋଇଯିବ। ଏହା ପରେ ତୁରନ୍ତ ସର୍ମ୍ପକିତ ବିଭାଗର ଅଧିକାରୀଙ୍କ ନିକଟକୁ ଓ ଗ୍ରିଭାନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କର ମୋବାଇଲ ନମ୍ବରକୁ ଏକ ୟୁନିକ ଆଇଡି ସହିତ ଏକ ମେସେଜ ଦ୍ୱାରା ସୂଚନା ଦିଆଯିବ। ଆବେଦନକାରୀଙ୍କ ମେସେଜରେ ତାଙ୍କର ଗ୍ରିଭାନ୍ସ କେଉଁ ଅଧିକାରୀ, କେଉଁ ବିଭାଗ ଓ କେତେ ଦିନ ମଧ୍ୟରେ ସମାଧାନ କରାଯିବ ଇତ୍ୟାଦି ସୂଚନା ରହିବ। ଗ୍ରିଭାନ୍ସ ଅଧିକାରୀଙ୍କ ନିକଟକୁ ଯାଇଥିବା ମେସେଜରେ ଗ୍ରିଭାନ୍ସ କେଉଁ ଅଞ୍ଚଳର, ବ୍ୟକ୍ତିଙ୍କର ଠିକଣା, ମୋବାଇଲ ନମ୍ବର ଆଦି ରହିଥିବ। ଏହି ବ୍ୟବସ୍ଥା ଦ୍ୱାରା ଯେଉଁ କାର୍ୟ୍ୟର ଆରମ୍ଭ ହେବା ପାଇଁ ପୂର୍ବରୁ ପ୍ରାୟ ୪ ରୁ ୫ ଦିନ ଲାଗି ଯାଉଥିବା ବେଳେ ଏବେ ତାହା ୨୪ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଯିବ।
ଯାହାଦ୍ୱାରା ପ୍ରଶାସନ ଓ ଜନତାଙ୍କର ସମୟ ବଞ୍ଚିବା ସହିତ ବ୍ୟବସ୍ଥାରେ ପାରିଦର୍ଶିତା ରହିବ। ଏହି ସମସ୍ତ କାର୍ୟ୍ୟକୁ ତଦାରଖ କରିବା ପାଇଁ ଏକ ଆପ ମଧ୍ୟ ନିର୍ମାଣ କରାଯାଇଛି। ଏହି ଆପ ମାଧ୍ୟମରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ ମାନେ ଗ୍ରିଭାନ୍ସର ସ୍ଥିତି ସର୍ମ୍ପକରେ ସବୁ ସମୟରେ ଅବଗତ ରହିବେ। ଏହା ସହିତ ଗ୍ରିଭାନ୍ସର ସ୍ଥିତି ସର୍ମ୍ପକରେ ସମୟ ସମୟରେ ମେସେଜ ମାଧ୍ୟମରେ ଆବେଦନକାରୀଙ୍କୁ ସୂଚିତ କରାଯିବ। ଏହି ଟୋଲ ଫ୍ରି ନମ୍ବର ସମସ୍ତ ସରକାରୀ କାର୍ୟ୍ୟ ଦିବସରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ୟ୍ୟନ୍ତ କାର୍ୟ୍ୟ କରିବ। ସରକାରଙ୍କର ୫ଟି ପ୍ରୋଗ୍ରାମ ଅର୍ନ୍ତଗତ ଏହି ସେବା ଜନତାଙ୍କ ସୁବିଧା ପାଇଁ କରାଯାଉଛି ବୋଲି ଜିଲାପାଳ ଶୁଭମ ସକ୍ସସେନା କହିଛନ୍ତି।
Comments are closed.