www.samajalive.in
Sunday, December 7, 2025
13.1 C
Bhubaneswar

ଯୁକ୍ତ ୨ ଛାତ୍ରଙ୍କୁ ଠକେଇ ମାମଲା : ମୁଖ୍ୟ ଅଭିଯୁକ୍ତ ତୁଷାରର ଆତ୍ମସର୍ମପଣ

ସମ୍ବଲପୁର :  ସମ୍ବଲପୁର ଠାରେ ବେଆଇନ ଭାବରେ ଏକ ଭଡା ଘରେ ବେସରକାରୀ (ବିନା ପଞ୍ଜିକରଣ) କଲେଜ ଖୋଲି ଯୁକ୍ତ ୨ (କଳା) ପରୀକ୍ଷାରେ ପାସ କରାଇ ଦେବା ନାମରେ ଠକେଇ କରିଥିବାର ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଲକ୍ଷାଧିକ ଟଙ୍କା ଠକେଇ କରି ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ସହିତ ଖେଳିଥିବା ଯମୁନା ଦେବୀ ଜୁନିୟର (କଳା) କଲେଜର ଅଧ୍ୟକ୍ଷ ତଥା ମୁଖ୍ୟ ଅଭିଯୁକ୍ତ ତୁଷାର ବାରିକ ନାଟକୀୟ ଘଟଣାକ୍ରମରେ ଗୁରୁବାର ସମ୍ବଲପୁର ପୁଲିସ ନିକଟରେ ଆତ୍ମସର୍ମପଣ କରିଛି। ପ୍ରାପ୍ତସୂଚନାନୁଯାୟୀ, ଠକେଇର ଶିକାର ହୋଇ ପରୀକ୍ଷା ଦେଇ ନ ପାରିବା ପରେ ବୁଧବାର ପିଡିତ ଛାତ୍ରଛାତ୍ରୀ ମାନେ ଧନୁପାଲୀ ଥାନାରେ ଅଭିଯୋଗ କରିଥିଲେ। ଏହା ସହିତ ଗୁରୁବାର ପୂର୍ବାହ୍ନରେ ଠକେଇର ଶିକାର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜିଲାପାଳ ଶୁଭମ ସାକ୍ସସେନାଙ୍କ ନିକଟକୁ ଯାଇ ଫେରାଦ ହୋଇଥିଲେ। ଜିଲାପାଳ ଛାତ୍ରଛାତ୍ରୀ ମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଭରସା ଦେଇଥିଲେ। ଜିଲାପାଳଙ୍କ ପ୍ରତିଶୃତି ପରେ ନାଟକୀୟ ଘଟଣାକ୍ରମରେ ମାତ୍ର କେଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ତୁଷାର ଧନୁପାଲୀ ପୁଲିସ ଥାନାକୁ ଯାଇ ଆତ୍ମସର୍ମପଣ କରିଥିଲେ। ଅନ୍ୟ ପଟରେ ବୁଧବାର ରାତ୍ରିରେ ଅଭିଯୁକ୍ତ କୁ ଖୋଜିବା ଓ ଭୁବନେଶ୍ୱର ପୁଲିସ ନିକଟରୁ ତଥ୍ୟ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ପୁଲିସ ଦଳ ଭୁବନେଶ୍ୱର ଯାଇଥିବା ବେଳେ ଅଭିଯୁକ୍ତ ସମ୍ବଲପୁରରେ ଆତ୍ମସର୍ମପଣ କରିବା ଘଟଣାରେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି। ପ୍ରଥମରୁ ହିଁ ପୁଲିସ ମାମଲାରେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ଜିଲାପାଳଙ୍କ ନିକଟରେ ଛାତ୍ରଛାତ୍ରୀ ଫେରାଦ ହେବା ଏବଂ ଏହାର ମାତ୍ର କେଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଥାନାରେ ଆତ୍ମସର୍ମପଣ କରିବା ଘଟଣାରେ ପୁଲିସକୁ ସନ୍ଦେହ ଘେର ମଧ୍ୟକୁ ଆପଣାଛାୟେ ଟାଣି ନେଉଛି।

ଏହି ଠକେଇ ମାମଲା ଦାୟର ହେବାର ୨୪ ଘଣ୍ଟା ମଧ୍ୟରେ ଥାନାଧିକାରୀ ଛୁଟିରେ ଚାଲିଯାଇଥିବା ବେଳେ ଅଭିଯୁକ୍ତ ଆତ୍ମ ସର୍ମପଣ ସର୍ମ୍ପକରେ ଧନୁପାଲୀ ଥାନାର ଭାରପ୍ରାପ୍ତ ଅଧିକାରୀ କିଛି ନ କହିବା ଘଟଣା ପୁଲିସର ଭୂମିକାକୁ ସନ୍ଦେହାସ୍ପଦ କରୁଛି। ତେବେ ସଦର ଏସଡିପିଓ ତପନ ମହାନ୍ତିଙ୍କୁ ପଚରାଯିବାରୁ ସେ ବହୁ କଷ୍ଟରେ ଅଭିଯୁକ୍ତ ଆତ୍ମସର୍ମପଣ କରିଥିବାର ସ୍ୱିକାର କରିଥିଲେ। କିନ୍ତୁ ମାମଲା ସର୍ମ୍ପକରେ ତଦନ୍ତରେ ବାଧା ଉପୁଜିବ ବୋଲି ଅଧିକ ତଥ୍ୟ ଦେବାକୁ ଏସଡିପିଓ ମହାନ୍ତି ମନା କରିଥିଲେ।

- Advertisement -

ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ ପୁଲିସ ଅଭିଯୁକ୍ତକୁ ସୁରକ୍ଷା ଦେଇ ଏକ ଅଜ୍ଞାତ ସ୍ଥାନରେ ନେଇ ରଖି ପଚରା ଉଚୁରା କରୁଛି। ଅନ୍ୟ ପଟରେ ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱର ଯାଇଥିବା ସ୍ୱତନ୍ତ୍ର ଦଳ ଗୁରୁବାର ରାତ୍ରିରେ ଫେରି ଆସିଥିବା ବେଳେ ଅଭିଯୁକ୍ତକୁ ଭୁବନେଶ୍ୱର ପୁଲିସ ଧରି ନ ଥିବାର ମଧ୍ୟ ଜଣାପଡିଛି। ତେବେ ପୁଲିସର କାର୍ଯ୍ୟକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଭରି ରହିଛି ଏବଂ ସେମାନଙ୍କର ମାଟ୍ରିକ ଓ ଅନ୍ୟାନ୍ୟ ସାର୍ଟିଫିକେଟ ଗୁଡିକ ଅଭିଯୁକ୍ତଙ୍କ ନିକଟରେ ଥିବାରୁ ସେଗୁଡିକୁ ଫେରାଇ ଦେବା ପାଇଁ ଦାବୀ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଧନୁପାଲୀ ଥାନା ଅର୍ନ୍ତଗତ ଚାରଭାଟି ସ୍ଥିତ ସାରସ୍ୱତ କଲୋନୀ ଠାରେ ଏକ ଭଡା ଘରେ ତୁଷାର ବାରିକ ଓରଫ ତୋଷଧର ବାରିକ ଏବଂ ତାଙ୍କର ପତ୍ନୀ ମଞ୍ଜୁଲତା ବାରିକ ଯମୁନା ଦେବୀ ଜୁନିୟର (କଳା) କଲେଜ ନାମରେ ଏକ ଶିକ୍ଷାନୁଷ୍ଠାନ ଖୋଲିଥିଲେ। ତୁଷାର ମାନେଶ୍ୱର ସ୍ଥିତ ମାନ୍ଧାତା ବାବା କଲେଜରେ ଓଡିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ ଥିବାରୁ ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ବୋକା ବନାଇ ତାଙ୍କର କଲେଜରେ ନାମ ଲେଖାଇ ଜଣ ପିଛା ୩୬ ହଜାର ଟଙ୍କା ଆଦାୟ କରିଥିଲେ। କଲେଜରେ ନିଜେ ଓ ତାଙ୍କର ପତ୍ନୀ ସମସ୍ତ ବିଷୟରେ ଶିକ୍ଷାଦାନ କରୁଥିଲେ। ଗତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେବା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଭୂଆଁ ବୁଲାଇ ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ତୁଷାର କହିଥିଲେ। ତେବେ ଚଳିତ ବର୍ଷ ପରୀକ୍ଷାର ୩ ଦିନ ପୂର୍ବରୁ ଆଡମିଟ କାର୍ଡ ଆଣିବାକୁ ଯାଉଛି କହି ଫେରାର ହୋଇଯାଇଥିଲେ। ପରେ ସାମାଜିକ ଗଣମାଧ୍ୟମ ହ୍ୱାଟସଅଫରେ ଗଣଶିକ୍ଷା ବିଭାଗର ଏକ ଜାଲି ଚିଠି ଛାତ୍ରଛାତ୍ରୀ ମାନଙ୍କ ନିକଟକୁ ପଠାଇ ସୁବର୍ଣ୍ଣପୁରର ସିଣ୍ଢୋଲ କଲେଜରେ ପରୀକ୍ଷା କେନ୍ଦ୍ର ଥିବାର ସୂଚନା ପ୍ରଦାନ କରିଥିଲେ। ଏହା ପରେ ପରୀକ୍ଷାର ପୂର୍ବର ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ ମାମଲାରେ ଗିରଫ ହୋଇଥିବାର ଜଣେ ଛାତ୍ରଙ୍କୁ ଫୋନ ଜରିଆରେ ଜଣାଇଥିଲେ। ତେବେ ୪ ତାରିଖ ଦିନ କାଳେ ପରୀକ୍ଷା ଦେଇପାରିବେ ଆଶାରେ ଛାତ୍ରଛାତ୍ରୀ ମାନେ ସିଣ୍ଢୋଲ କଲେଜକୁ ଯାଇ ନିରାଶ ହୋଇ ଫେରିବା ପରେ ଥାନାରେ ମାମଲା ଦାୟର କରିଥିଲେ। ଅନ୍ୟ ପଟରେ ଏହି କଲେଜ ଗଣଶିକ୍ଷା ବିଭାଗରେ ପଞ୍ଜିକୃତ ମଧ୍ୟ ହୋଇ ନ ଥିବାର ଜଣାପଡିଛି। ପୁଲିସ ଧିରମନ୍ଥର ଗତିରେ ତଦନ୍ତ ଆରମ୍ଭ କରିଥିବାରୁ ଜିଲାପାଳଙ୍କ ନିକଟରେ ଛାତ୍ରଛାତ୍ରୀ ଦ୍ୱାରସ୍ଥ ହେବା ପରେ ନାଟକୀୟ ଢ଼ଙ୍ଗରେ ଅଭିଯୁକ୍ତ ଥାନାରେ ଆତ୍ମସର୍ମପଣ କରିଛି। ଏବେ ଦେଖିବାକୁ ହେବ ଯେ ଠକେଇର ଶିକାର ହୋଇଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କର ଟଙ୍କା ଓ ଅରିଜିନାଲ ସାର୍ଟିଫିକେଟ କେବେ ଫେରି ପାଇବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories