ବିଶ୍ୱକର୍ମା ଭଷାଣି ହିଂସା ଘଟଣା:୮ ଦିନ ପରେ ମଧ୍ୟ ଦୋଷୀ ଗିରଫ ନହେବା ପ୍ରତିବାଦରେ ଥାନା ଘେରାଉ କଲେ ଶତାଧିକ ମହିଳା

ବୁର୍ଲା:ବୁର୍ଲା ଥାନା ଗୌଡ଼ପାଲି ବିଶ୍ୱକର୍ମା ଭଷାଣିକୁ କେନ୍ଦ୍ର କରି ଗତ ୨୧ ତାରିଖରେ ଗୋଷ୍ଠି ସଂଘର୍ଷର ସୁତ୍ରପାତ ହୋଇଥିଲା। ଯାହା ହିସାଂର ରୂପ ନେବା ସହ ରକ୍ତରଞ୍ଜିତ ହୋଇଥିଲା ଗାଁ ଦାଣ୍ଡ। ସ୍ୱଷ୍ଟ ଦିବାଲୋକରେ ଗାଁ ମଝିରେ କିଛି ଯୁବକ ହାତରେ ଭୁଜାଲି ତଥା ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ।।ଏହି ଆକ୍ରମଣ ଘଟଣାର ଆଠଦିନ ବିତି ସାରିଥିଲେ ମଧ୍ୟ ସମ୍ପୁକ୍ତ ଅପରାଧୀଙ୍କୁ କାବୁ କରିବାରେ ପୁଲିସ ବିଫଳ ରହିଛି। ତେବେ ଏହି କାରଣକୁ କେନ୍ଦ୍ର କରି ଶନିବାର ଗୌଡ଼ପାଲି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବୁର୍ଲା ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଥାନା ଘେରାଉ କରିଥିଲେ। ଶନିବାର ସକାଳ ୧୧ ଟାରୁ ମହିଳା ଓ ପୁରୁଷ ମାନେ ଆସି ବୁର୍ଲା ଥାନା ପରିସରରେ ଘଟଣାରେ ସମ୍ପୃକ୍ତ ଥିବା ଅସାମାଜିକ ଯୁବକଙ୍କୁ ତୁରନ୍ତ ଗିରଫ୍‍ କରାଯିବା ଦାବୀକୁ ନେଇ ଧାରଣା ଦେଇଥିଲେ। ଆନ୍ଦୋଳନସ୍ଥଳକୁ ବୁର୍ଲା ଏସଡିପିଓ ଶିଶୁ ରଂଜନ ମହାପାତ୍ର ଏବଂ ବୁର୍ଲା ଥାନା ଅଧିକାରୀ ବିଭୂତି ଭୁଷଣ ଭୋଈ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ସଦାସର୍ବଦା ଉକ୍ତ ଅଭିଯୁକ୍ତ ମାନଙ୍କୁ କାବୁ କରିବା ଦିଗରେ ବାରମ୍ବାର ପଦକ୍ଷେପ ନିଆ ଯାଉଥିବା ମାତ୍ର ସେମାନେ ଖସି ଯାଉଥିବା ବା ଆତ୍ମଗୋପନ କରିଥିବା ଫଳରେ ତାଙ୍କୁ ଧରାଯାଇ ପାରୁ ନଥିବା ସ୍ପଷ୍ଟିକରଣ ଦେଇଥିଲେ। ଏହା ସହିତ ଆବଶ୍ୟକ ହେଲେ ଗ୍ରାମରେ ପୁଲିସ ବ୍ୟବସ୍ତା ମଧ୍ୟ କରାଯିବା ଉପରେ ମତବ୍ୟକ୍ତ କରିଥିଲେ। ପ୍ରାୟ ଦୁଇଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଗ୍ରାମବାସୀ ଧାରଣାରୁ ଓହରି ଯାଇଛନ୍ତି।

Comments are closed.