www.samajalive.in
Monday, December 8, 2025
14.1 C
Bhubaneswar

ଗଣମାଧ୍ୟମରେ ପ୍ରକାଶନ ପରେ ଚେତିଲା ପ୍ରଶାସନ; ନାଳପାଣି ମୁକ୍ତ ହେଲା ସମଲେଇ ମନ୍ଦିର ପରିସର

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପୁନଃ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ତେବେ ପ୍ରଶାସନର ମନମୁଖୀ କାର୍ଯ୍ୟ ଯୋଗୁ ଭକ୍ତମାନେ ମା’ଙ୍କ ମନ୍ଦିରକୁ ଯାତାୟତ ସହିତ ଦର୍ଶନରେ ବେଶ୍ ଅସୁବିଧା ଭୋଗ କରୁଛନ୍ତି। ପ୍ରଶାସନର ଚରମ ଅବହେଳା ଯୋଗୁ ବେଶ କିଛି ଦିନ ହେବ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ଥିବା ନାଳଟି ଜାମ ହୋଇ ପଡ଼ି ରହିଥିଲା। ଫଳରେ ଭକ୍ତ ପାଇଁ ରହିଥିବା ପାଦଧୁଆ ସ୍ଥାନରୁ ବାହାରୁଥିବା ମଇଳା ଜଳ ଓ ଅନ୍ୟାନ୍ୟ ଆବର୍ଜନା ଜଳ ମନ୍ଦିର ପରିସର ମଧ୍ୟରୁ ବାହାରକୁ ନିଷ୍କାସିତ ହୋଇ ନ ପାରି ସେଠାରେ ଜମି ରହିଥିଲା। ଏ ସମ୍ପର୍କରେ ଭକ୍ତମାନଙ୍କ ସହିତ ସଚେତନ ନାଗରିକମାନେ ମନ୍ଦିର ପ୍ରଶାସନ ସହିତ ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଥିଲେ। ମନ୍ଦିର ସମ୍ମୁଖରେ ଥିବା ଏଟିଏମ ତଳେ ଦେଇ ଯାଇଥିବା ଅଂଶରେ ନାଳ ଜାମ ରହିଥିବାରୁ ଜଳ ନିଷ୍କାସନ ହେଉ ନ ଥିବାର ଯୁକ୍ତି ଦେଇ ପ୍ରଶାସନ ଚୁପ ପଡ଼ି ଯାଇଥିଲା। ଫଳରେ କିଛି ସଚେତନ ବ୍ୟକ୍ତି ମନ୍ଦିର ସମ୍ମୁଖରେ ଥିବା ବ୍ୟାଙ୍କ ଏଟିଏମର କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସେମାନେ ମନ୍ଦିର ପକ୍ଷରୁ ଅନୁରୋଧ ହେଲେ ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ। ଏଭଳି ଦାୟିତ୍ୱ ଫିଙ୍ଗାଫିଙ୍ଗି ମଧ୍ୟରେ ଭକ୍ତମାନେ ନାଳ ପାଣିରେ ପାଦ ଧୋଇ ମା’ଙ୍କ ଦର୍ଶନ କରିବାକୁ ବାଧ୍ୟ ହେଉଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ପ୍ରଶାସନର ଚେତା ପଶିଥିଲା ଏବଂ ସୋମବାର ପୂର୍ବାହ୍ନରୁ ଅଚାନକ ସକ୍ରିୟ ହୋଇ ନାଳ ଜଳ ନିଷ୍କାସନର ବ୍ୟବସ୍ଥା କରିଥିଲେ। ମନ୍ଦିର ସମ୍ମୁଖରେ ଥିବା ବ୍ୟାଙ୍କ ଏଟିଏମ କୋଠାକୁ ଭାଙ୍ଗି ଏଟିଏମକୁ କିଛି ଦିନ ପାଇଁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ଏହାପରେ ଜାମ ହୋଇ ପଡ଼ିଥିବା ନାଳକୁ ସଫେଇ କରାଯିବାରୁ ମନ୍ଦିର ପରିସରରେ ଜମି ରହିଥିବା ଆବର୍ଜନା ଜଳ ନିଷ୍କାସିତ ହୋଇଥିଲା। ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟିର ସଭାପତି ସଞ୍ଜୟ ବାବୁ କହିଛନ୍ତି ଯେ, ନାଳ ଜଳକୁ ନିଷ୍କାସନ ପାଇଁ ମନ୍ଦିର ସମ୍ମୁଖରେ ଥିବା ଏଟିଏମ ପରିସରକୁ ଭଙ୍ଗାଯାଇ ସୋମବାର ସମସ୍ୟାର ସମାଧାନ କରାଯାଇଛି। ଭକ୍ତମାନଙ୍କୁ ଦର୍ଶନରେ ଯେଭଳି ଅସୁବିଧା ନ ହେବ ସେଥିପାଇଁ ଆମେ ପ୍ରୟାସରତ ରହିଛୁ ବୋଲି ସଭାପତି ଶ୍ରୀ ବାବୁ କହିଛନ୍ତି।

ଏହି ଘଟଣା ପରେ ଭକ୍ତମାନେ ଆଶ୍ୱସ୍ତି ଲାଭ କରିଥିବା ବେଳେ କିନ୍ତୁ ପ୍ରଶାସନିକ ଅବହେଳାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରୁଛନ୍ତି। ମନ୍ଦିରର ବିକାଶ ହେବା ସ୍ୱାଗତଯୋଗ୍ୟ ହୋଇଥିବା ବେଳେ କିନ୍ତୁ ମନ୍ଦିରର ଚତୁଃପାର୍ଶ୍ବ କିଭଳି ସ୍ୱଚ୍ଛ ଓ ପରିମଳ ରହିବ, ଭକ୍ତଙ୍କ ଦର୍ଶନ ଓ ଯାତାୟତରେ ଯେଭଳି ଅସୁବିଧା ନ ହେବ, ସେଥିପ୍ରତି ବିଶେଷ ଦୃଷ୍ଟି ରଖିବାର ଆବଶ୍ୟକତା ରହିଛି। କିନ୍ତୁ ଏବେ ଚାଲିଥିବା ପୁନଃ ବିକାଶ କାର୍ଯ୍ୟରେ ଅଚାନକ ଦିନ ରାତି କାର୍ଯ୍ୟ ସମୟରେ ମନ୍ଦିରର ଚତୁଃପାର୍ଶ୍ବକୁ ଖୋଳି ଦିଆଯାଉଛି ଏବଂ ଦିନ ଦିନ ଧରି କାର୍ଯ୍ୟକୁ ଶେଷ କରାଯାଉ ନାହିଁ। ଫଳରେ ଭକ୍ତମାନଙ୍କ ସମେତ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏଣୁ ମନ୍ଦିରର ପୁନଃ ବିକାଶ କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବରେ କରାଯିବା ସହିତ ଭକ୍ତମାନଙ୍କର ସୁବିଧାକୁ ମଧ୍ୟ ଧ୍ୟାନ ଦିଆଯାଉ ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories