ଚାଷୀର ଆୟ ବଢ଼ାଇବ ଉତ୍ପାଦକ ସଂଗଠନ

ଭାରତୀୟ କୃଷକର ମୁଖ୍ୟ ସମସ୍ୟା ହେଉଛି ସେ ଉତ୍ପାଦନ କରୁଥିବା ବିଭିନ୍ନ ଫସଲର ଲାଭଜନକ ମୂଲ୍ୟ ପାଏ ନାହିଁ। ଏହାର ବିଭିନ୍ନ କାରଣ ମଧ୍ୟରୁ ମୁଖ୍ୟ କାରଣଗୁଡିକ ହେଲା ଖାଦ୍ୟଶସ୍ୟ, ତୈଳବୀଜ, କପା ଓ ଝୋଟ ପରି କେତେକ କୃଷିଜାତ ଦ୍ରବ୍ୟକୁ ଛାଡ଼ିଦେଲେ ସମସ୍ତ ପନିପରିବା ତୋଳା ହେବାର ଦିନେ ଦୁଇଦିନରୁ ଚାରିପାଞ୍ଚ ଦିନ ମଧ୍ୟରେ ପଚିଯାଏ। ଖାଦ୍ୟଶସ୍ୟ, ତୈଳବୀଜ ଆଦିକୁ ସାଇତି ରଖିବା ପାଇଁ ଗୋଦାମ ଘର ଆବଶ୍ୟକତା ଅନୁଯାୟୀ ନାହିଁ। ପରିବା ସାଇତି ରଖିବା ପାଇଁ ଯଥେଷ୍ଟ ସଂଖ୍ୟକ ଶୀତଳ ଭଣ୍ଡାର ନାହିଁ। ବିଭିନ୍ନ ପ୍ରକାରର ପରିବା, ଫଳ ଓ କେତେକ ପ୍ରକାରର ଖାଦ୍ୟଶସ୍ୟର ପ୍ରକ୍ରିୟାକରଣ ସହ ମୂଲ୍ୟଯୁକ୍ତ କରି ବିକ୍ରି ପାଇଁ ସ୍ଥାନୀୟ ସ୍ତରରେ ସୁବିଧା ସୁଯୋଗ ବିଶେଷ ନାହିଁ। ସରକାରୀ ସ୍ତରରେ ଏହି ପ୍ରକ୍ରିୟା ସବୁ ଏ.ପି.ଏମ.ସି (ଏଗ୍ରିକଲଚର ପ୍ରଡ୍ୟୁସ ମାର୍କେଟ କମିଟି) ଆଇନ ଅନୁଯାୟୀ ସମବାୟ ବିଭାଗ ଦ୍ବାରା ପରିଚାଳିତ। ଆମର ସ୍ବାଧୀନତା ପରଠାରୁ ଦୀର୍ଘ ୭୫ ବର୍ଷର ଅନୁଭୂତି କହେ ଯେ ସରକାରୀ କ୍ଷେତ୍ର ବ୍ୟାବସାୟିକ ସଂସ୍ଥା ପରିଚାଳନାରେ ଅନେକ ଦୁର୍ବଳତା ଥାଏ ଏବଂ ଠିକ୍ ନିଷ୍ପତ୍ତି ଆବଶ୍ୟକ ଥିବାବେଳେ ନିଆଯାଇ ପାରେନାହିଁ। ସେଥିପାଇଁ ଆମର ଅନେକ ସରକାରୀ କ୍ଷେତ୍ର ସେବା, ଶିଳ୍ପ, ବାଣିଜ୍ୟ ଆଦି ଲାଭପ୍ରଦ ନହେବାରୁ ଘରୋଇକରଣ କରାଯାଇଛି।
ଏପିଏମସି ଆଇନ ଅନୁଯାୟୀ ଆମର କୃଷି ସମ୍ବନ୍ଧୀୟ କ୍ରୟବିକ୍ରୟ, ପ୍ରକ୍ରିୟାକରଣ ଆଦି ଶିଳ୍ପ ବାଣିଜ୍ୟ ବ୍ୟବସାୟ ସମବାୟ ବିଭାଗ ଦ୍ବାରା ପରିଚାଳିତ ହେଉଥିବାରୁ ବିଭାଗୀୟ କର୍ମଚାରୀଙ୍କ ହସ୍ତପେକ୍ଷ ସାଙ୍ଗକୁ ରାଜନୈତିକ ଦଳର ହସ୍ତକ୍ଷେପ ଏହି ବ୍ୟବସ୍ଥାକୁ ଦୁର୍ବଳ କରିବା ଫଳରେ ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଇଲେ ନାହିଁ। ଫଳରେ କୃଷକଙ୍କ ଆୟ ବୃଦ୍ଧି ଆଶାନୁରୂପ ବଢ଼ିଲା ନାହିଁ।
ଉପରୋକ୍ତ ସ୍ଥିତିକୁ ଲକ୍ଷ୍ୟ କରି ଚିନ୍ତା କରାଗଲା ଯେ କୃଷି ବ୍ୟବସାୟକୁ ସମବାୟ ବିଭାଗ ଦାୟିତ୍ବରେ ସମ୍ପୂର୍ଣ୍ଣ ଭାବରେ ଛାଡି ନଦେଇ ବ୍ୟବସାୟ ଭିତ୍ତିରେ ଚଳାଇବା ପାଇଁ କମ୍ପାନୀ ଆଇନରେ ସଂଶୋଧନ ଆଣିବାକୁ ହେବ। କୃଷି ବ୍ୟବସାୟକୁ କୃଷକମାନେ କମ୍ପାନୀ ଗଠନ କରି ପରିଚାଳନା କରିବେ ଯେଉଁଠି ସମବାୟ ବିଭାଗର ଅମଲା ଓ ରାଜନେତାଙ୍କ ହସ୍ତକ୍ଷେପ ନଥିବ ନା ସରକାରୀ ନାଲିଫିତା ତଳେ ନିଷ୍ପତ୍ତି ଚାପି ହୋଇ ରହିଯାଉ ନଥିବ।
୨୦୦୨ ମସିହାରେ କମ୍ପାନୀ ଆଇନରେ ସଂଶୋଧନ ଅଣାଗଲା। କୃଷକମାନେ ନିଜର କମ୍ପାନୀ ଗଠନ କରି କୃଷି ଉତ୍ପାଦନ ସମ୍ବନ୍ଧୀୟ ବ୍ୟବସାୟ କରି ପାରିବେ। କମ୍ପାନୀର ନାମ ହେବ କୃଷକ ଉତ୍ପାଦକ ସଂଗଠନ (ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ୍ -ଏଫ୍ ପି ଓ). ଏହି ଆଇନର ଏକ ବଡ଼ ବ୍ୟବସ୍ଥା ହେଲା ଏହି କମ୍ପାନୀରେ ଯେଉଁ ଚାଷୀମାନେ ଅଂଶଧାରକ ହେବେ, ସେମାନଙ୍କ ଭୋଟ ଅଧିକାର କେବଳ ଗୋଟିଏ ରହିବ ଯିଏ ଯେତେ ସେୟାର କିଣିଥିଲେ ମଧ୍ୟ। ମୂଳ କମ୍ପାନୀ ଆଇନ ଅନୁସାରେ ଯାହାର ଯେତେ ସେୟାର ସେହି ଅନୁସାରେ ଭୋଟ ଅଧିକାର। ଅବଶ୍ୟ ଜଣେ ଅଧିକ ସେୟାର କିଣିଲେ ଲାଭ ଆନୁପାତିକ ଅନୁସାରେ ଅଧିକ ପାଇବ। ଏହି ବ୍ୟବସ୍ଥା ରହିବାର କାରଣ ହେଲା ବଡଚାଷୀମାନେ ଅଧିକ ସେୟାର ବଳରେ ତାଙ୍କ ଲାଭରେ ସଂଗଠନର ନିଷ୍ପତ୍ତିକୁ ପ୍ରଭାବିତ କରି ପାରିବେ ନାହିଁ। ଏହି ଆଇନ ବଳରେ ଏଫପିଓ ସବୁ ଗଠନ ହୋଇ ବିଭିନ୍ନ ରାଜ୍ୟରେ କାମ ଆରମ୍ଭ କଲେ ଏବଂ କେତେକ ବଡ଼ ସଫଳତା ଲାଭକଲେ। ସରକାରୀ ପ୍ରୋତ୍ସାହନ ପ୍ରଥମେ ପ୍ରଥମେ ନ ମିଳିବାରୁ ଏହି ଏଫପିଓ ଗଠନ ବହୁତ ସଂଖ୍ୟାରେ ହେଲା ନାହିଁ। ଏବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ପ୍ରୋତ୍ସାହନ ଦେଉଛନ୍ତି। କେନ୍ଦ୍ର ସରକାର ୨୦୨୪ ସୁଦ୍ଧା ଦେଶରେ ୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ କରିବେ ବୋଲି ଘୋଷଣା କରି କୃଷକମାନଙ୍କର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି। ନାବାର୍ଡ, ନାଫେଡ, ଏନସିଡିସି, ଏସ୍ଏଏଫସି ମାଧ୍ୟମରେ ଆର୍ଥିକ ସାହାଯ୍ୟ ଏଫପିଓମାନଙ୍କୁ ଯୋଗାଇ ଦେଉଛନ୍ତି।
କୃଷକ ଉତ୍ପାଦକ ସଂଗଠନ କମ୍ପାନୀ ଆଇନ ଅନୁଯାୟୀ ପଞ୍ଜିକୃତ ହେବାପରେ ତାର ବ୍ୟାବସାୟିକ କାମ ଆରମ୍ଭ କରେ। ତା’ର ସଦସ୍ୟମାନଙ୍କୁ ଉପଯୁକ୍ତ ମାନର ବିହନ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆବଶ୍ୟକ ନିବେଶ ଠିକ୍ ମୂଲ୍ୟରେ ଯୋଗାଇ ଦିଏ। ସରକାର ଚାଷୀମାନଙ୍କ ବିକାଶ ପାଇଁ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରୁଛନ୍ତି ସେ ସବୁ ଯୋଜନାକୁ ତାଙ୍କ ସଦସ୍ୟଙ୍କ ନିକଟରେ ପହଞ୍ଚାଇ ଦେଉଛନ୍ତି। ଉନ୍ନତ ପ୍ରଣାଳୀରେ ଚାଷ କରିବା ପଦ୍ଧତିକୁ ସଦସ୍ୟମାନଙ୍କ ନିକଟରେ ପହଞ୍ଚାଇଥା’ନ୍ତି। ସଦସ୍ୟମାନେ ଉତ୍ପାଦନ କରୁଥିବା ବିଭିନ୍ନ କୃଷିଜାତ ଦ୍ରବ୍ୟକୁ ସଂଗ୍ରହ କରି ସଫାସୁତର କରି, ପ୍ୟାକେଜିଂ କରି, ସାଇତି ରଖି ସ୍ଥାନୀୟ ବଜାରରେ, ରାଜ୍ୟର ଅନ୍ୟାନ୍ୟ ବଜାରରେ, ରାଜ୍ୟ ବାହାର ବଜାରରେ ବିକ୍ରୟ କରିଥାନ୍ତି। ଏଥିପାଇଁ ଗୋଦାମ ଘର, ଶୀତଳଭଣ୍ଡାର, ପ୍ରକ୍ରିୟାକରଣ ଶିଳ୍ପ ନିର୍ମାଣ କରିବାକୁ ହୁଏ। ଏସବୁ ପାଇଁ ପୁଞ୍ଜି ଦରକାର। ସଦସ୍ୟମାନଙ୍କର ସେୟାର ଯଥେଷ୍ଟ ହୁଏ ନାହିଁ । ବ୍ୟାଙ୍କରୁ ଋଣ ମିଳେ। ଏବେ ବ୍ୟାଙ୍କ ଋଣ ପାଇଁ ସରକାର ଗ୍ୟାରେଣ୍ଟି ଦେଉଛନ୍ତି। ତା’ଛଡା ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। କୃଷକ ଉତ୍ପାଦକ ସଂଗଠନ ଜରିଆରେ ସଦସ୍ୟମାନଙ୍କୁ ସହଜ ଓ ସୁବିଧାରେ ଆନୁଷ୍ଠାନିକ କୃଷି ଋଣ ମିଳିଵା ସହିତ ଫସଲ ବୀମାର ସୁବିଧା ଉପଲବ୍ଧ ହେଉଛି। ଏହି ସଂଗଠନକୁ ୧୦୦ କୋଟି ଟଙ୍କାର କାରଵାର କରିବା ପର୍ଯ୍ୟନ୍ତ ଆୟକର ଛାଡମିଳେ।
ବିଭିନ୍ନ ରାଜ୍ୟରେ ଏହି କୃଷକ ଉତ୍ପାଦକ ସଂଗଠନ ଗଠନ ହୋଇ ଅନେକ ସଫଳତାର ସହ କାମ କରି ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରି ଚାଷୀମାନଙ୍କୁ ଅଧିକ ଆୟ କରିବାରେ ସହାୟକ ହେଉଛନ୍ତି। ଆମ ରାଜ୍ୟରେ ମଧ୍ୟ କେତେକ କୃଷକ ଉତ୍ପାଦକ ସଂଗଠନ ଖୁବ୍ ସଫଳତାରସହ ବ୍ୟବସାୟ କଲେଣି।
ସରକାର ଚାଷୀମାନଙ୍କୁ ସେମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ଲାଭଜନକ ମୂଲ୍ୟ ଦେବାପାଇଁ ଓ ଖାଉଟିମାନଙ୍କୁ ନ୍ୟାଯ୍ୟ ଦାମରେ ପନିପରିବା ଯୋଗାଇବା ପାଇଁ ଓମଫେଡ ଢାଞ୍ଚାରେ ଭେଜଫେଡ୍ ଗଠନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା। ୨୦୧୫ ବଜେଟରେ ଏଥିପାଇଁ ୫ କୋଟି ଟଙ୍କା ପ୍ରାରମ୍ଭିକ ଭାବରେ ବ୍ୟୟ ବରାଦ ହୋଇଥିଲା; କିନ୍ତୁ ସଂପୃକ୍ତ ବିଭାଗ କିଛି ପଦକ୍ଷେପ ନେଲେ ନାହିଁ ଭେଜଫେଡ ଗଠନ କରିବାରେ। ଏବେ ସୁଯୋଗ ଆସିଛି କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଓମଫେଡ ଢାଞ୍ଚାରେ କୃଷି ଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଚାଷୀମାନଙ୍କୁ ଦିଆଯିବା ପାଇଁ।
ପ୍ରତି ଜିଲାରେ ଗଠିତ ସଂଗଠନଗୁଡିକର ଏକ ସଂଘ ଜିଲା ସ୍ତରରେ ହେଉ ଏବଂ ଏହି ଜିଲା ସଂଘଗୁଡ଼ିକୁ ନେଇ ରାଜ୍ୟସ୍ତରୀୟ ଗୋଟିଏ ସଂଘ ହେଉ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସାହାଯ୍ୟ ଦେବା ସହିତ ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ସୁପରିଚାଳନା ପାଇଁ ତାଲିମ କର୍ମଚାରୀମାନଙ୍କୁ ଦେବାର ବ୍ୟବସ୍ଥା ହେଉ।
ଓଡ଼ିଶାରେ ଆଜି ଯଦି କିଛି ପରିମାଣରେ ଦୁଗ୍ଧ ଚାଷୀଙ୍କର ସମସ୍ୟା ସମାଧାନ ହୋଇଥାଏ, ତେବେ ଓମଫେଡର ଭୂମିକାକୁ ସ୍ବୀକାର କରିବାକୁ ପଡ଼ିବ। ଅବଶ୍ୟ କିଛି ଯେ ସମସ୍ୟା ନାହିଁ ତାହା ନୁହେଁ। ଏହା ସମବାୟ ବିଭାଗ ମାଧ୍ୟମରେ ପରିଚାଳିତ ହେଉଥିବାରୁ ଅନାବଶ୍ୟକ ସରକାରୀ ହସ୍ତକ୍ଷେପ ଓ ନାଲିଫିତା ତଳେ ଯେ ବହୁ ନିଷ୍ପତ୍ତି ଅଟକିଥିବ ତାହା ନିଶ୍ଚିତ। ଲାଭ ହେଉ ତ ନହେଉ ସରକାରୀ ହିସାବରେ ବେତନ ଦେବାକୁ ହେବ।
ପନିପରିବା ଓ ଖାଦ୍ୟଶସ୍ୟ ପାଇଁ ଯଦି ତିନି ଥାକିଆ ବ୍ୟବସ୍ଥା ଓମଫେଡ ଢାଞ୍ଚାରେ ହୁଏ ତେବେ କମ୍ପାନୀ ଆଇନ ଅନୁଯାୟୀ ହେବ, ସରକାରୀ ହସ୍ତକ୍ଷେପ ପ୍ରାୟ ରହିବ ନାହିଁ, ବ୍ୟାବସାୟିକ ଭିତ୍ତିରେ ଚାଲିବ ଏବଂ ବେତନ ନିର୍ଦ୍ଧାରଣ ସଂଗଠନ ପରିଚାଳନା କମିଟି ଆୟ ଅନୁଯାୟୀ କରିବ। ଏଥିପାଇଁ ପୁଞ୍ଜି ବ୍ୟାଙ୍କମାନ ଋଣ ଆକାରରେ ଯୋଗାଇବେ, ସେଥିପାଇଁ ସରକାର ଗ୍ୟାରେଣ୍ଟି ଦେବାର ବ୍ୟବସ୍ଥା ହୋଇଛି।
ଉପରୋକ୍ତ ପରିପ୍ରେକ୍ଷୀରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟରେ ଅଧିକରୁ ଅଧିକ କୃଷକ ଉତ୍ପାଦକ ସଂଗଠନ ଗଠନ କରି ସେଗୁଡିକୁ ତାଲିମ ଦେବା ଦରକାର। ସେହିପରି ସେଗୁଡ଼ିକୁ ଉତ୍ସାହିତ କରିବା ପାଇଁ ବେଳେବେଳେ ଆବଶ୍ୟକ ସମୟରେ ଆର୍ଥିକ ସାହାଯ୍ୟ ଦେବା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସମ୍ବନ୍ଧରେ ସୂଚନା ଦେଲେ ତାହା ଚାଷୀର ଆୟ ବୃଦ୍ଧିରେ ସହାୟକ ହେବ।

prayash

ନଟବର ଖୁଣ୍ଟିଆ
ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ବର
ଦୂରଭାଷ:୯୯୩୭୯୫୧୨୬୨

Comments are closed.