ପିପିଲି:ପିପିଲି ସ୍ଥିତ ପ୍ରାଚୀ ସଙ୍ଗୀତ ବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବ ସ୍ଥାନୀୟ କ୍ରୀଷ୍ଣା ଗାର୍ଡେନ ଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଣ୍ଠଶିଳ୍ପୀ ଜୟଶ୍ରୀ ମହାପାତ୍ର, ସଂଗୀତା ଦାଶ ଏବଂ ମନୋରମା ସାହୁଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ଗୀତିକାର ବୃନ୍ଦାବନ ଜେନା, ପିପିଲି ମହାବିଦ୍ୟାଳୟର ସଂଗୀତ ଅଧ୍ୟାପକ ତଥା ପ୍ରାଚୀ ସଙ୍ଗୀତ ବିଦ୍ୟାଳୟର ମୁଖ୍ୟଗୁରୁ ଓ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ସଚ୍ଚିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ସଂଗୀତ ଓ ନୃତ୍ୟର ବିକାଶ କ୍ଷେତ୍ରରେ ପ୍ରାଚୀ ସଙ୍ଗୀତ ବିଦ୍ୟାଳୟର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସଂପାଦକ ସଂପଦ କୁମାର ମହାପାତ୍ର ଅତିଥି ପରିଚୟ, ବିବରଣୀ ପଠନ ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର କୃତୀ ପ୍ରତିଭାମାନଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା କଣ୍ଠ ସଙ୍ଗୀତ, ଓଡିଶୀ ଛାନ୍ଦ, ଚମ୍ପୁ, ସୁଗମ ସଂଗୀତ ସହ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଢିମ୍ସା ନୃତ୍ୟ ଓ ଲୋକନୃତ୍ୟ ଆଦି ପରିବେଷଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସୁମନ୍ତ କୁମାର ଦାସ, ବିଜୟ କୁମାର ପ୍ରଧାନ, ସୁକାନ୍ତ କୁମାର ସାହୁ, ସାରସ୍ୱତ ନାୟକ, ଦିପାଞ୍ଜଳୀ ବେହେରା, ସଞ୍ଜନା ତିଆଡି, ପ୍ରଜ୍ଞା ପାରମିତା, ଦିଲିପ କୁମାର ପରିଡା ପ୍ରମୁଖ ପରିଚାଳନା କରିଥିଲେ।



