ଜୀବନ ନଈଟିଏ। ନଈର ବି ଗୋଟଏ ଜୀବନ ଥାଏ। ନିର୍ଦିଷ୍ଟ ଆୟୁଷ ଭୋଗିବା ଦୁହିଁଙ୍କ କପାଳରେ ଲେଖା। କେଉଁଠି ନଈ ସମୁଦ୍ରରେ ମିଶେ। ଆୟୁଷ ସରେ। ପୁଣି କେଉଁଠି ଜୀବନ ଆତ୍ମା ପରମାତ୍ମାରେ ଲୀନ ହୁଏ। ନିଜର ସତ୍ତା ଅନ୍ୟ ଏକ ସତ୍ତାରେ ହଜାଇବା ପାଇଁ ଦୁହେଁ ଧାଇଁ ଥାନ୍ତି ତମାମ ଜୀବନ। ନଈ ଧାଏଁ ପାହାଡ଼, ଜଙ୍ଗଲ, ଖାଲ, ଢିପ ଡେଇଁ। କାଠି କୁଟା ସବୁକୁ ରୁଣ୍ଡାଇ। ମଣିଷ ବି କାନ୍ଧରେ କମ ଜିନିଷ କାନ୍ଧେଇ ନଥାଏ। କେତେ ଆଶା ଓ ହତାଶାକୁ ଡିଏଁ। କେତେ ପାପ ପୁଣ୍ୟକୁ ରୁଣ୍ଡାଏ। କେତେ ହସ, କେତେ ଲୁହକୁ ଭୋଗ କରେ। ସବୁ ଭିତରେ ଗୋଟିଏ ଆଶା, ଆତ୍ମା ସହ ପରମାତ୍ମାର ମିଳନ। ଦୁହେଁ ଯେମିତି ହାତ ଧରାଧରି ହୋଇ ଚାଲୁଥିବା ଚପଳା କିଶୋରୀ। ନଈର ଧର୍ମ ଆଗକୁ ଆଗକୁ ବୋହି ଯିବା। ଗ୍ରୀକ୍ ଦାର୍ଶନିକ ହେରାକ୍ଲିଟସ୍ଙ୍କ ମତରେ, ଗୋଟିଏ ସମାନ ମଣିଷ, କେବେ ଗୋଟିଏ ସମାନ ନଈରେ ଦୁଇଥର ପାଦ ରଖିପାରେ ନାହିଁ। ଅର୍ଥାତ୍ ବୋହିଗଲା ପାଣି ତଳକୁ ତଳକୁ। ସେ ଅଫେରା। ସେ ଅଣଲେଉଟା। ଜୀବନ ବି କେଉଁ ଲେଉଟି ଆସେ ଯେ !
ନଈ ବହେ, କଳକଳ, ଛଳଛଳ ହୋଇ। ଜୀବନ ବି ବହେ। ନା ନଈର ସ୍ରୋତକୁ ଅଟକାଇ ହୁଏ, ନା ଜୀବନର ଗତିକୁ। ନଈ ସହିତ ଏକାତ୍ମ ହୋଇ ଯେମିତି ଜୀବନ ଗଡୁଥାଏ। ଜୀବନ ନଈ ଭଳି ଆମକୁ ଟାଣିନିଏ ଆଗକୁ ଆଗକୁ, ନଚେତ୍ ପ୍ରତିକୂଳ ପରିସ୍ଥିତିରେ ପହଁରିବା ଶିଖାଇ ଦିଏ। କୂଳ ନଈକୁ ଗୋଟିଏ ଶୃଙ୍ଗଳିତ ଧାରାରେ ବୋହିବା ଶିଖାଏ। ଯେବେ ସେ ଶୃଙ୍ଖଳା ଛିଣ୍ଡେ, ଫୁଙ୍ଗୁଳା ଛାତି ହୁଏ ଉଛୁଳା। କୂଳ ଖାଏ। ରଚେ ତାଣ୍ଡବ। ଆଣେ ପ୍ରଳୟ। ତାର ଚପଳା ନିର୍ଝରିଣୀର ରୂପ ବଦଳି ଯାଏ। ଭୀଷଣ ହୁଏ ତାର ରୂପ। ଚାଟିଚୁଟି ନିଶ୍ଚିହ୍ନ କରିଦିଏ କେତେ କେତେ ଜନପଦ। କେତେ କେତେ ସବୁଜିମା। ଜୀବନ ବି ସେମିତି ଶୃଙ୍ଖଳାରେ ବନ୍ଧା। ଶୃଙ୍ଖଳା ଲଙ୍ଘିଲେ ସ୍ବର୍ଗ ସମ ସୁନ୍ଦର ଜୀବନ, ନର୍କଠାରୁ ତୁଚ୍ଛ ହୁଏ। ମଣିଷ ହୁଏ ଅମଣିଷ। ନଈ ହେଉ କି ଜୀବନ, ଶୃଙ୍ଖଳା ଛିଣ୍ଡିଲେ, ଧ୍ବଂସମୁଖୀ ହୁଅନ୍ତି ଉଭୟ। ଏହା ନିଃସନ୍ଦେହ। ନଈ ଓ ଜୀବନ, ଦୁହେଁ ଭୋଗନ୍ତି ବୟସକୁ। ଶୈଶବର ଚପଳତା, ଯୌବନର ଉଦ୍ଦାମତା ଆଉ ଅତିକ୍ରାନ୍ତ ବୟସର ସ୍ଥବିରତା ଏକା ରଙ୍ଗର ସ୍ୟାହିରେ ଲେଖାଥାଏ ଉଭୟଙ୍କ ପାଇଁ। କେବେ କେବେ ନଈ ଛଳନା କରେ। ବୁକୁ ଦେଶରେ ଲୁଚାଇ ରଖେ, କର୍ଦମାକ୍ତ, ପଙ୍କିଳ ଆବର୍ଜନା। ଉପରେ କାଚ କେନ୍ଦୁସମ ସ୍ଫଟିକ ଜଳରାଶି। ଜୀବନ ବି କ’ଣ କମ ଛଳନା କରେ, ବଞ୍ଚିବାର ବାହାନାରେ? ମୁହଁରେ ହସ ଫୁଟାଇ, ଛାତିରେ ସାଉଁଟି ରଖେ ଦୁଃଖ, ଶୋକ, ହତାଶା ସବୁକୁ।
ନଈର ଅଙ୍କାବଙ୍କା ରାସ୍ତା ଭଳି ଜୀବନର ରାସ୍ତା। ଯଦି ସିଧା ହୁଅନ୍ତା, ନା ରହନ୍ତା ନଈର ମାଧୁର୍ଯ୍ୟ, ନା ଚାଖି ହୁଅନ୍ତା ଜୀବନର ସ୍ବାଦ। ସିଧା ହୋଇ ବଢୁଥିବା ସରଳରେଖା ଖଣ୍ଡିଏ ନା କାହାକୁ କିଛି ଚ୍ଛେଦ କରେ, ନା କିଛି ଆକୃତି ବନାଇ ହୁଏ। ଟିକିଏ ବାଙ୍କି ଗଲେ ତ୍ରିଭୁଜ, ଚତୁର୍ଭୁଜ ପରି ଭଳିକି ଭଳି ଜ୍ୟାମିତିକ ଆକୃତି ତିଆରି ହୁଏ। ରାସ୍ତାରେ ଚାଲୁ ଚାଲୁ ଝୁଣ୍ଟିବା ତ ସ୍ୱାଭାବିକ ପ୍ରକ୍ରିୟା। ନଈ ଝୁଣ୍ଟେ ପଥରକୁ; କିନ୍ତୁ ରାସ୍ତା ବଦଳେଇ ନିଏ ନାହିଁ। ପାଣିର ସ୍ରୋତ ବିଶାଳ ପଥର କାଟି ନିଜର ରାସ୍ତା ତିଆରି କରେ। ଏହା ନଈର ଅସୀମ ଶକ୍ତି ନୁହଁ ବରଂ ତାହାର ଅଟଳତା ହିଁ କରିଥାଏ। କଥାରେ ଅଛି, ଧୀର ପାଣି ପଥର କାଟେ। ନଈ ତ ଜୀବନକୁ ଏହା ହିଁ ଶିଖେଇ ଥାଏ। ଅସୀମ ଧୈର୍ଯ୍ୟ ଓ ନିଷ୍ଠା, ଦୃଢ଼ ମନୋବଳ ସବୁ ପ୍ରତିବନ୍ଧକକୁ ପରାହତ କରେ। ଅସମ୍ଭବକୁ ସମ୍ଭବ କରେ। ପ୍ରଚଣ୍ଡତା ନୁହଁ, ପ୍ରତିବଦ୍ଧତା ହିଁ ଆଣେ ସଫଳତା।
କେବେ ନଈ ଭାଗ ବାଣ୍ଟେ ଜୀବନକୁ। ଭୂଭାଗକୁ ଭାଗ କରି କରେ, ଦୁଇଟି ମୁଲକ। କୂଳ ଏପାଖର ଜୀବନ ଝୁରେ ଆରପାଖର ପ୍ରିୟ ସତ୍ତାଟିକୁ; କିନ୍ତୁ ଜୀବନ ଯେବେ ମୋର ତୋରର ନିକିତି ଧରି ଭାଗ ବାଣ୍ଟେ ନଈକୁ…? ବୋଧହୁଏ ସବୁ ସରିଯାଏ। ଆତ୍ମୀୟତା ମଥା ପିଟି କାନ୍ଦୁଥାଏ ତାହାରି କୂଳରେ। ପୋଡ଼ିଯାଏ ସବୁଜିମା। ଚେର ମେଲି ମାଡିଯାଏ ହିଂସା ଓ କଳହ। ନଈ ସମ୍ପର୍କ ଯୋଡ଼େ। ଅନେକରୁ ଏକ। ବିନ୍ଦୁରୁ ସିନ୍ଧୁ। ସମ୍ପର୍କର ରଙ୍ଗ କିନ୍ତୁ ପ୍ରତ୍ୟେକ କ୍ଷଣରେ ବଦଳି ଯାଏ ଜୀବନରେ। ଏକତା ଭିତରେ ସେ ଖୋଜିହୁଏ ଭିନ୍ନତା। ନଈ ଦିଏ ଜୀବନ। ପ୍ରତିବଦଳରେ ଜୀବନ ନଈକୁ ପ୍ରଦୂଷିତ କରେ। ଗଛ କେବେ ଭୋକିଲା ହେଲେ ବି ଖାଇ ଯାଏ ନାହିଁ ତାହାର ଫଳକୁ। ନା କ୍ଷେତ ଖାଏ ଫସଲକୁ। ଠିକ୍ ସେମିତି ତୃଷାର୍ତ୍ତ ହେଲେ ବି ନଈ ପିଇ ଯାଏ ନାହିଁ ସବୁତକ ପାଣି। ସେମାନଙ୍କ ଜୀବନ ଅନ୍ୟର ହିତ ପାଇଁ ଗଢା। କାହିଁକି ସ୍ବାର୍ଥାନ୍ଧ ଜୀବନ, ନଈଠାରୁ ଏତିକି ଶିଖେନା ?? କାହିଁକି ଅନ୍ୟର ହିତରେ, ନିଗିଡି ଯାଏନି ତମାମ ଜୀବନ?
ସୁପ୍ରଭା ବେହେରା
ମୁକୁନ୍ଦପୁର, ତିହିଡ଼ି, ଭଦ୍ରକ
ଦୂରଭାଷ:୯୦୪୦୩୬୦୨୫୯


