ଖୁସି ଖୋଜିବାର ଦିନ

‘ଖୁସି’ ଏକ ଛୋଟିଆ ଶବ୍ଦ ସତ; କିନ୍ତୁ ଏହାର ଅର୍ଥ ବ୍ୟାପକ ଓ ବିଶାଳ। ସେହି କାରଣରୁ ଏହାର ପ୍ରତିଶବ୍ଦ ଓ ଭାବଗତ ପରିଭାଷା ମଧ୍ୟ ଅନେକ। ପ୍ରାପ୍ତି ଓ ପୂର୍ଣ୍ଣତା ଅନୁପ୍ରବିଷ୍ଟ ଅବସ୍ଥା, ମୋହମୁକ୍ତି, ପଦ୍ମପତ୍ରେ ନୀର, ମୋକ୍ଷ, ଆନନ୍ଦ, ପ୍ରଭୃତି ଶବ୍ଦମାଳା କେବଳ ‘ଖୁସି’ ଏବଂ ଏହାର ବିଭିନ୍ନ ପର୍ଯ୍ୟାୟଭୁକ୍ତ ଅନୁଭବର ବୈଭବକୁ ସୂଚିତ କରିଥାଏ। ‘ସୁଖ’ ବୋଧକ ଅନୁଭୂତି, ‘ଖୁସି’ ପର୍ଯ୍ୟାୟର ଆବେଗ ପ୍ରବଣତାର ମାଧୁରୀ ପ୍ରଦାନ କରେ ନାହିଁ କାରଣ ଏହା ଇନ୍ଦ୍ରିୟ ସର୍ବସ୍ୱ ଭୌତିକ ପ୍ରକରଣ ଉପରେ ପର୍ଯ୍ୟବସିତ। ଏହାର ପ୍ରଭାବଶାଳୀ ପରିସୀମା ଦେହର ପରିଧି ମଧ୍ୟରେ ସୀମିତ। ‘ସୁଖ’ ମଣିଷକୁ ଭୋଗର ଅନୁଭୂତି ଦେଇପାରେ; କିନ୍ତୁ ‘ଖୁସି’ ଏକ ଧ୍ୟାନସ୍ଥ ମାନସିକ ଅବସ୍ଥାର ପରିଚାୟକ। ଏହା ଏକ ଦେହାତୀତ, ଆଧ୍ୟାତ୍ମିକ ଅନୁଭବ ଯାହା ଇନ୍ଦ୍ରିୟାନୁଭୂତି ଦ୍ୱାରା ପ୍ରଭାବିତ ହୋଇନଥାଏ। ଭାବଗତ ସାମଞ୍ଜସ୍ୟ ଦୃଷ୍ଟିରୁ ‘ଖୁସି’ ର ନିକଟତମ ଶବ୍ଦ ‘ସନ୍ତୋଷ’/‘ଆନନ୍ଦ’ ବୋଲି ଗ୍ରହଣ କରାଯାଇପାରେ। ବ୍ୟାବହାରିକ ଜୀବନରେ ‘ଖୁସି’ର ପରିପ୍ରକାଶ ‘ସନ୍ତୋଷ’ର କର୍ମ ମାଧ୍ୟମରେ ପ୍ରତିରୂପ ଗ୍ରହଣ କରୁଥିବା ଚିତ୍ରକଳ୍ପ ଦ୍ୱାରା ପ୍ରତିଫଳିତ ହୋଇଥାଏ। ମାନସିକ ସ୍ଥିତିରେ ସିଦ୍ଧ ଥିବା ମଣିଷ ସାଂସାରିକ ସ୍ତରରେ ସମଗ୍ର ବିଶ୍ୱ ପ୍ରତି ଉତ୍ସର୍ଗ ଶ୍ରଦ୍ଧା ଜ୍ଞାପନ କରିବାକୁ ସମର୍ଥ ହୋଇଥାଏ ଏବଂ ଆପଣାର ‘ଖୁସି ଥିବାର’ ଚିତ୍ର ଉତ୍‍ଥାପନ କରିପାରେ। ଅର୍ଥାତ୍‍ ବ୍ୟକ୍ତିର ଉଜ୍ଜ୍ୱଳ ମାନସିକତା ଆପଣାର ତଥା ସେ ବଞ୍ଚିଥିବା ସଂସାର ବ୍ୟବସ୍ଥାକୁ ସୁନ୍ଦର ଓ ସାବଲୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ଆମ ପରମ୍ପରାରେ ‘ଖୁସି’ର ମୂର୍ତ୍ତିମନ୍ତ ପ୍ରତିଭୂ ଭାବରେ ଈଶ୍ୱର ଅନୁସନ୍ଧାନରେ ବ୍ରତୀ ଜ୍ଞାନୀ ପୁରୁଷମାନଙ୍କୁ ଗ୍ରହଣ କରାଯାଏ। ସେମାନେ ସାଧାରଣ ମଣିଷ ନିମିତ୍ତ ଆଦର୍ଶର ଉତ୍ସ ହେବା ସମ୍ଭାବନା ସୃଷ୍ଟି କରାଯାଏ; କିନ୍ତୁ ପ୍ରକୃତ ଜୀବନ କ୍ଷେତ୍ରରେ ‘ଖୁସି’ର ଚଳନ୍ତି ବିଗ୍ରହମାନେ ପ୍ରାୟତଃ ଅଦୃଶ୍ୟ ରହିଯାନ୍ତି। ଅବଶ୍ୟ ସେମାନଙ୍କର ନୈତିକ ପ୍ରଭାବ ସାମୂହିକ ଜନଜୀବନକୁ ଏକ ଗଠନମୂଳକ ଶୃଙ୍ଖଳାରେ ଅନୁବନ୍ଧିତ କରିପାରେ, ସାମାଜିକ ସ୍ଥିରତା ମୂଲ୍ୟବୋଧ ପ୍ରତି ବ୍ୟକ୍ତିଗତ ଶ୍ରଦ୍ଧା ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିପାରେ। ‘ଖୁସି’ର ପରିମାଣ, ‘ସନ୍ତୋଷ’ର ଅନୁଭବ ଦେଶ ଓ ଜାତିର ଚିତ୍ର ତଥା ଚରିତ୍ର ସୃଷ୍ଟି କରିପାରେ।
ବିଦ୍ୟାଳୟ ସ୍ତରରେ ପଢ଼ିଥିବା ଏକ ଇଂରାଜୀ କବିତା “ମିଲର ଅଫ ଦି ଡି” ମନକୁ ଆସୁଛି। ‘ଖୁସି’ର ବଳୟ ମଧ୍ୟରେ ଥିବା ଏକ ଅନିନ୍ଦ୍ୟ ମଣିଷର ସୁନ୍ଦର ଉଦାହରଣ ଏହି କବିତାରେ ମିଳିଥାଏ। ଏହି କବିତାର ଉତ୍ସ, ଉତ୍ତର ପଶ୍ଚିମ ଇଂଲଣ୍ଡରେ ବହୁକାଳରୁ ପ୍ରଚଳିତ ଏକ ଲୋକଗୀତ। ଅବଶ୍ୟ ୧୭୬୨ ମସିହାରେ ଚାର୍ଲସ ମାକ୍‍କେ ଏହି ଲୋକଗୀତି ଆଧାରରେ ରଚନା କରିଥିବା କବିତାଟି ଆମକୁ ମିଳିଥାଏ। ଏହି କବିତାରେ ଲୋକ ସଂସ୍କୃତି ପୃଷ୍ଠଭୂମି ବ୍ୟବହାର ମାଧ୍ୟମରେ ସୂଚିତ କରାଯାଇଛି ଯେ ସବୁ ଦେଶରେ ମଣିଷ ‘ଖୁସି’ ଖୋଜିବାରେ ହେଳା କରେ ନାହିଁ। ନିଜ ଲାଗି ଖୁସିର ଏକ ଆଦର୍ଶ ଅବତାରର ପରିକଳ୍ପନା ମଧ୍ୟ କରିଥାଏ। କବିତାର ସାରାଂଶ ହେଲା ଏକଦା ଡି’ ନଦୀକୂଳରେ ଶସ୍ୟ ପେଷିବା କଳଟିଏ ଚଳାଇ ଆପଣାର ପ୍ରତିପୋଷଣ କରୁଥିବା ବ୍ୟକ୍ତିଟି ସବୁଠାରୁ ‘ଖୁସି ମଣିଷ’ ବୋଲି ଶୁଣିବା ପରେ ରାଜା ସ୍ୱୟଂ ତା ପାଖକୁ ଆସି ତା’ର ‘ଖୁସି’ର ରହସ୍ୟ ଜାଣିବାକୁ ଚାହିଁଲେ। ବ୍ୟକ୍ତି ଜଣକ ସହଜରେ ଉତ୍ତର ଦେଲା, ‘ମୁଁ କାହାରିକୁ ଈର୍ଷା କରେ ନାହିଁ, ନା, କେବେ ନୁହେଁ, ତେଣୁ ମୋତେ ମଧ୍ୟ କେହି ଈର୍ଷା କରନ୍ତି ନାହିଁ।’ ଏହା ହିଁ ତା’ର ଆନନ୍ଦ ଆପ୍ଳୁତ ମାନସିକ ସୁସ୍ଥତାର କାରଣ ଥିଲା। କହିବା ବାହୁଲ୍ୟ ଯେ, ଜୀବନ କ୍ଷେତ୍ରରେ ଏପରି ଆଦର୍ଶରେ ଯଦି କେହି ଅବିଚଳିତ ରହିପାରନ୍ତି, ସେ ନିଶ୍ଚୟ ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ଯୋଗୀପୁରୁଷମାନଙ୍କ ସଦୃଶ ହୋଇଥିବେ। ରାଜା କିନ୍ତୁ ଋଷିପ୍ରତିମ ‘ଖୁସି’ ବର୍ଗର ବ୍ୟକ୍ତି ନଥିଲେ; କାରଣ ସେ କଳ ମାଲିକର ‘ଖୁସି’ ଅବସ୍ଥା ଦେଖି ତାହା ପ୍ରତି ମନ ଭିତରେ ଈର୍ଷା ପରାୟଣ ହୋଇଥିଲେ।
‘ଖୁସି’ ଖୋଜିବାର କାର୍ଯ୍ୟକ୍ରମ ଆଜି ଦିନରେ ମଧ୍ୟ ସମଗ୍ର ପୃଥିବୀରେ ପରିଦୃଷ୍ଟ ହେଉଛି। ‘ଖୁସି’ର ଆହରଣ ଆଜି ଆଉ ବ୍ୟକ୍ତିଗତ ଆଭିମୁଖ୍ୟ ନ ହୋଇ ସମଗ୍ର ମଣିଷ ଜାତିର ପରିଚିନ୍ତନର ଉପାଦାନ ପାଲଟିଛି। ପ୍ରତିବର୍ଷ ବିଭିନ୍ନ ଦେଶର ଲୋକମାନଙ୍କର ‘ଖୁସି’ର ପରିମାଣ ସ୍ଥିର କରିବା ନିମିତ୍ତ ବିଭିନ୍ନ ମାନକ/ ସୂତ୍ର ପ୍ରୟୋଗ କରାଯାଏ ଏବଂ ପରିଶେଷରେ ଦେଶମାନଙ୍କର ‘ଖୁସି’ ତାଲିକାରେ କ୍ରମିକ ସଂଖ୍ୟା ସ୍ଥିର କରାଯାଏ। ପୃଥିବୀର ‘ଖୁସି’ ତାଲିକାରେ ଆମ ସ୍ଥାନ ନିଶ୍ଚିତ ଭାବରେ ଅଧଃଗାମୀ। ଆମେ ତଳଆଡ଼ୁ ଏକାଦଶ ସ୍ଥାନରେ; ଫଳତଃ ବିଶ୍ୱ ମାନ୍ୟତାରେ ଆମେ ଏକ ‘ଖୁସି’ ଶୂନ୍ୟ ଦେଶ ଭାବରେ ପରିଗଣିତ। ଆମେ ଆତ୍ମ ପ୍ରବଞ୍ଚନା ପ୍ରବଣ, ସନ୍ତୋଷ ବିହୀନ ଭାରତ ଜନପଦର ହତାଶିଆ ଅଧିବାସୀ ରୂପରେ ବିଶ୍ୱଦରବାରରେ ଉପସ୍ଥିତ। ଆପଣାକୁ ସର୍ବଦା ସନ୍ନ୍ୟାସ ଅଭିଳାଷୀ ବିରାଗ ପୂର୍ଣ୍ଣ ଯୋଗୁଁ ବିଜ୍ଞ ଯୋଗୀ ଜନ ବୋଲି ଡିଣ୍ଡିମ ପିଟୁଥିବା ଜାତି ଏବେ ଏହାର ବିପରୀତ ଚିତ୍ରରେ, ବିରୁଦ୍ଧ ପରିସ୍ଥିତିରେ ଉପନୀତ। ‘ସନ୍ତୋଷ’ ଲଭିଲେ ଯାଇ ଜଣେ ‘ଖୁସି’ ସ୍ତରକୁ ଆପଣାକୁ ଉତ୍ତରିତ କରିପାରିବ। ଆମ ଦେଶରେ ‘ସନ୍ତୋଷ’ ସନ୍ଧାନରେ ଯୁଗଯୁଗ ଧରି ଲୋକେ ଦୀକ୍ଷା ଘେନୁଛନ୍ତି, ବାବାଜି -ମାତାଜୀଙ୍କ ଶିଷ୍ୟତ୍ୱ ଗ୍ରହଣ କରୁଛନ୍ତି, ଶୁଦ୍ଧ ଶାକାହାରୀ ହେବାରେ ନିଷ୍ଠାବାନ ହେଉଛନ୍ତି, ସନ୍ନ୍ୟାସୀ ହୋଇ ସଂସାରରୁ ମୋହମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି, ଧ୍ୟାନ, ତପସ୍ୟା, ପ୍ରବଚନ ଶ୍ରବଣ, ଜପନ, ଭଜନ-କୀର୍ତ୍ତନ, ଦାନ-ଦକ୍ଷିଣା – କେତେ ପ୍ରକାର ପନ୍ଥା ଅବଲମ୍ବନ କରୁଛନ୍ତି; କିନ୍ତୁ ପ୍ରାୟତଃ ଦେଖାଯାଏ, ଏସବୁର ଫଳ/ ପରିଣତି ପ୍ରଚଳିତ ପୂର୍ବାବସ୍ଥାରୁ କୌଣସି ପ୍ରକାରରେ ଭିନ୍ନ କିମ୍ବା ମହତ୍ତର ହୋଇନଥାଏ। ସଂସାର ବନ୍ଧନର ରେଶମଡୋରି କାଟିବାକୁ ଯାଇ ବ୍ୟକ୍ତି ବିଷୟ-ବନ୍ଧନର ସର୍ପରଜ୍ଜୁରେ ବାନ୍ଧି ହୋଇଯାଏ। ବୃକ୍ଷରୂପୀ ସଂସାର ତାକୁ ବାନ୍ଧି ରଖିଛି ବୋଲି ଆପଣାକୁ ତତ୍ତ୍ୱ ପଢ଼ାଇ ଆତ୍ମ ପ୍ରବଞ୍ଚନାରେ ଖୁସି ହେଉଥାଏ; କିନ୍ତୁ ‘ମିଲର ଅଫ ଦି ଡି’ କବିତାର ‘ଖୁସି ମଣିଷ’ଟି ତା’ର ସନ୍ତୋଷ ଲଭିପାରିବାର ରହସ୍ୟ ସୂତ୍ରଟି ସରଳରେ ପ୍ରକାଶ କରିପାରିଲା। ଆତ୍ମଜ୍ଞାନର ଶୀର୍ଷ ସୋପାନରେ ଯେ ଉପସ୍ଥିତ ହୋଇସାରିଛି ସେ ହିଁ ପ୍ରକୃତ ଆତ୍ମଦର୍ଶୀ। ଆମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା ଆତ୍ମଜ୍ଞାନର ଅଧିକାରୀ ମୋହମୁକ୍ତ ଚରିତ୍ର ଅନେକ। ସେମାନଙ୍କୁ ଆପଣାର ଆଦର୍ଶ / ଗୁରୁ ମାନିବାକୁ ଆମର ମାନସିକ ସନ୍ତୁଳନ ଥିବା ମନେହୁଏ ନାହିଁ। ଆମେ ଯେମିତି ଘର ବାହୁଡ଼ିବାରେ ବାଟ ଭୁଲିଯାଇ ଥିବା ପଲେ ଗୋଧନ।
ଆମ ଶାସ୍ତ୍ରରେ କିନ୍ତୁ ‘ସନ୍ତୋଷ’ ଲାଭକରି ‘ଖୁସି’ ର ସମ୍ପଦ ନିଜସ୍ୱ ଅଧିକାର ଭୁକ୍ତ କରିପାରିବା ଲାଗି ଦୁଇଟି ସରଳ ସୂତ୍ରର ଉଲ୍ଲେଖ ରହିଛି। ପ୍ରଥମଟି ହେଲା ‘ପ୍ରବୃତ୍ତି’; ଅର୍ଥାତ୍‍ ପ୍ରଚୁର ଭୋଗ-ଉପଭୋଗର ମାର୍ଗ। ସବୁ ‘ଅତି’ର ‘ଇତି’ ଘଟିଥାଏ – ଏହି ନ୍ୟାୟରେ ଭୋଗମାର୍ଗର ଯାତ୍ରୀ ପରିଶେଷରେ ‘ଭୋଗ’ର ଅସାରତା ଉପଲବ୍‍ଧି କରିବାକୁ ସକ୍ଷମ ହୋଇପାରେ। ସବୁ ‘ତୃଷ୍ଣା’ର ‘ବିତୃଷ୍ଣା’ରେ ପରିସମାପ୍ତି ଘଟିଥାଏ ଏବଂ ବ୍ୟକ୍ତି ହୃଦୟରେ ବୈରାଗ୍ୟର ଉତ୍ପତ୍ତି ହୁଏ। ଭୋଗୀ, ଯୋଗୀରେ ପରିବର୍ତ୍ତିତ ହୋଇଯାଏ ଏବଂ ତା’ର ‘ଖୁସି’ ପ୍ରାପ୍ତିର ପ୍ରଥମ ପର୍ଯ୍ୟାୟ ‘ସନ୍ତୋଷ’ ମାର୍ଗ ଉନ୍ମୋଚିତ ହୋଇପାରେ। ଦ୍ୱିତୀୟଟି ହେଲା ‘ନିବୃତ୍ତି’; ଅର୍ଥାତ ତ୍ୟାଗ-ପରିତ୍ୟାଗ ଓ ବୈରାଗ୍ୟର ପଥ। ସବୁ ସାଂସାରିକ କର୍ମରୁ ଆପଣାକୁ କାୟ- ମନୋବାକ୍ୟରେ ବିଚ୍ଛିନ୍ନ କରି, ‘ଖୁସି’ ନିମିତ୍ତ ନିଜ ଭିତରେ ‘ସନ୍ତୋଷ’/ ‘ଆନନ୍ଦ’ର ଅନ୍ୱେଷଣ। ସମଗ୍ର ବାହ୍ୟ ଚେତନାକୁ ପରିତ୍ୟାଗ କରି ଆତ୍ମନୀରିକ୍ଷଣରେ ନିମଗ୍ନ ରହିବାର ପଥ। ଅବଶ୍ୟ ଉଭୟ ମାର୍ଗରେ ଯେଉଁମାନେ ଆପଣାକୁ ଶ୍ରମଣ ସଜାଇବାକୁ ଚାହାନ୍ତି ସେମାନଙ୍କର ଯାତ୍ରାପଥ ଯେ ସହଜ ଓ କୁସୁମିତ, ଏମନ୍ତ ନୁହେଁ। ସଫଳତା ପ୍ରାପ୍ତି ନିର୍ଭର କରେ ପାନ୍ଥର ପ୍ରତିବଦ୍ଧତା ଓ ସତ୍ୟନିଷ୍ଠ କାର୍ମିକ ଉଦ୍‍ଯୋଗ ଉପରେ। ‘ସନ୍ତୋଷ’ ଏବଂ ଏହାର ବିପରୀତ ଶବ୍ଦ ‘ଅସନ୍ତୋଷ’ ର ରୂପରେଖ ନିର୍ଦ୍ଧାରଣର ଆବଶ୍ୟକତା ରହିଛି ନିଶ୍ଚୟ, ବିଶେଷକରି ଏହି ଆଲେଖ୍ୟର ଉଦ୍ଦେଶ୍ୟ ପରିପ୍ରେକ୍ଷୀରେ। ସଂକ୍ଷେପରେ ‘ସନ୍ତୋଷ’ ଅନୁଭବ ଆସିଥାଏ, ଯେତେବେଳେ ବ୍ୟକ୍ତିର ଆଶା ଆକଂକ୍ଷାର ପରିପୂରଣ ଘଟିଥାଏ। ସେ ଧନ ହୋଇପାରେ, ମନ ହୋଇପାରେ, କୌଣସି କାର୍ଯ୍ୟର ସୂଚାରୁ ସମ୍ପାଦନ ହୋଇପାରେ ଅଥବା ଛୋଟ ବଡ଼ ଦ୍ରବ୍ୟଠାରୁ ଆରମ୍ଭ କରି ଈପ୍‍ସିତ ସମ୍ପର୍କ, ସମ୍ବନ୍ଧ, ଯାହାକିଛି ମଧ୍ୟ ହୋଇପାରେ। ଯଦି ଆଶା କରାଯାଉଥିବା ନିର୍ଦିଷ୍ଟ ସମୟ ମଧ୍ୟରେ ନିଜସ୍ୱ ଈପ୍‍ସିତ ବାସନା ସମ୍ପୂର୍ଣ୍ଣ ହୋଇଗଲା, ତେବେ ‘ସନ୍ତୋଷ’ / ‘ଆନନ୍ଦ’ ମିଳିଗଲା; କିନ୍ତୁ ମନେରଖିବାର କଥା ଯେ ଏପ୍ରକାର ‘ସନ୍ତୋଷ’ କ୍ଷଣସ୍ଥାୟୀ ଓ ଭଙ୍ଗୁର ହୋଇପାରେ। କାରଣ ମଣିଷର ମନ ଏପରି ଏକ ବିଚିତ୍ର ସମ୍ଭାର ଯେ, ଗୋଟିଏ ଆଶା ପୂରଣ ହେଲା ମାତ୍ରକେ ଲୋଭ ଗ୍ରାସ କରି ଆସେ ଏବଂ କୋଟିଏ ଆଶାର କଣ୍ଟାଗଛ ଅରଣ୍ୟ ସଦୃଶ ମନଭିତରେ ହଠାତ୍‍ ବଢ଼ିଉଠେ। ଆଉ ଯଦି ଆପଣାର ଆକାଂକ୍ଷିତ ବସ୍ତୁ ପ୍ରାପ୍ତ ନ ହେଲା , ତେବେ ତ ଅସନ୍ତୋଷର ତୁଷାନଳରେ ବ୍ୟକ୍ତି ଚିରକାଳ ନିଜଭିତରେ ଜଳୁଥିବ ହିଁ ଜଳୁଥିବ। ଉଭୟ ପରିସ୍ଥିତିରେ ମଣିଷ ଭୁଲିଯାଏ ଯେ ପ୍ରତ୍ୟେକ ବଟବୃକ୍ଷର ଚାରା ‘କଳ୍ପବଟ’ ହୁଅନ୍ତି ନାହିଁ। ସବୁ ସିଂହ ଶାବକମାନେ ପଶୁରାଜ ହୋଇନଥାନ୍ତି। ଅନେକ ସିଂହ ମଧ୍ୟ ସର୍କସରେ ଭାଗ୍ୟ ଦୋଷରୁ ପିଞ୍ଜରା ମଧ୍ୟରେ ଗୋଡ଼ଟେକି ଠିଆ ହୋଇଥାଆନ୍ତି। ସବୁ ପକ୍ଷୀଙ୍କୁ ଡେଣା ମେଲି ପହଁରି ଯିବାଲାଗି ଚେନାଏ ଆକାଶ ମଧ୍ୟ ମିଳିନଥାଏ। ପିଞ୍ଜରା ଭିତରର ଆବଦ୍ଧ ପକ୍ଷୀ କେବଳ ଆକାଶକୁ ବିକଳରେ ଚାହିଁ ରହେ ଜୀବନର ଅନ୍ତ ପର୍ଯ୍ୟନ୍ତ। ଏହା ସଂସାରର ନିୟମ, ଏହାର ପରିବର୍ତ୍ତନ ମଣିଷର କ୍ଷମତା ବହିର୍ଭୂତ। ଏହି ଚିରନ୍ତନ ସତ୍ୟର ବିଚାରବନ୍ତ ଅନୁଭବ ହିଁ ମଣିଷର ଖୁସି ଅନୁସନ୍ଧାନର ମହାମନ୍ତ୍ର।
ଏହି ଉଦାହରଣ ଗୁଡ଼ିକ ବିଚାର କଲେ ସହଜରେ ବୁଝିହେବ, ଆମ ଦେଶର ଲୋକେ କାହିଁକି ‘ଖୁସି’ କ୍ରମରେ ରସାତଳରେ ସ୍ଥାନିତ ହୋଇଛନ୍ତି। କାରଣ ଯାହା ଈଶ୍ୱର ଆମକୁ ଦେଇଛନ୍ତି, ଯାହା କିଛି ଆମକୁ ପ୍ରାପ୍ତ ହୋଇଛି, ତାହା ହିଁ ଆମର ପ୍ରାପ୍ୟ। ଅଥଚ ତା’ର ସଦ୍‍ବ୍ୟବହାର କରିବାକୁ ଆମେ ଭୁଲିଯାଉ। ଈଶ୍ୱରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ପରିବର୍ତ୍ତେ ତାଙ୍କୁ ଦୋଷ ଦେଇ, ତାଙ୍କ ଉପରେ ଅଭିମାନ କରୁ ଏବଂ ସ୍ଥଳବିଶେଷରେ ତାଙ୍କୁ ଅସ୍ୱୀକାର ମଧ୍ୟ କରିଥାଉ। ଅର୍ଥାତ୍‍ ଆମେ ସଦା ସର୍ବଦା ଆମର ବର୍ତ୍ତମାନର ସ୍ଥିତି ପରିସ୍ଥିତି ପ୍ରତି ଆପଣାକୁ ବୀତସ୍ପୃହ କରି ଜୀବନ ବଞ୍ଚିରହୁଛୁ। ‘ଖୁସି’ କୌଣସି ସୁଦୂର ନକ୍ଷତ୍ରରେ ସ୍ଥାନିତ ଅଲୌକିକ ଉପାଦାନ ନୁହେଁ। ଆପଣା ଭିତରେ ତାକୁ ଖୋଜି ପାଇବା ମଣିଷର ନିଜସ୍ୱ ଅଧିକାର ଓ ଦାୟିତ୍ୱ ମଧ୍ୟ। ‘ସତ୍ୟ’ ସଦାସର୍ବଦା ସହଜ, ସରଳ ଓ ସମୁଜ୍ଜ୍ୱଳ; କିନ୍ତୁ ‘ସତ୍ୟ’କୁ ସ୍ୱୀକାର କରିବାର ସାମର୍ଥ୍ୟ ଲାଭ ନିମିତ୍ତ ଜୀବନପ୍ରତି ଏକ ପରିଚ୍ଛନ୍ନ ମୁକ୍ତ ଆଭିମୁଖ୍ୟର ସଂରଚନା ବ୍ୟକ୍ତି, ଜାତି, ଦେଶ ନିମିତ୍ତ ସର୍ବନିମ୍ନ ଆବଶ୍ୟକତା। ଆମେ ଯଦି ଏଭଳି କରିବାକୁ ସକ୍ଷମ ହେବା, ହୁଏତ ‘ଖୁସି’ ତାଲିକାରେ ସହଜରେ ପଦୋନ୍ନତି ଲଭିପାରିବା।

ଶରତ ଚନ୍ଦ୍ର ଶତପଥୀ
ପ୍ରାକ୍ତନ ଇଂରାଜୀ ପ୍ରଫେସର,
ଉତ୍କଳ ବିଶ୍ୱବିଦ୍ୟାଳୟ

Comments are closed.