ପଖାଳ: ପ୍ରଖର ତାପକୁ ପ୍ରହାର

‘ପଖାଳଦିବସ’ ଉପଲକ୍ଷେ

ବିଶ୍ୱବିଦିତ ଜଗନ୍ନାଥ ସଂସ୍କୃତିର ପୀଠ ଓଡ଼ିଶାରେ ‘ପଖାଳ’ ଅତି ପରିଚିତ ଓ ବହୁଳ ଭାବେ ଜନାଦୃତ ଖାଦ୍ୟ। ଶ୍ରୀଜଗନ୍ନାଥଙ୍କ ଛପନ ଭୋଗର ଏହା ଏକ ଅଂଶ ବିଶେଷ। ଜଗନ୍ନାଥପ୍ରେମୀଙ୍କ ପାଇଁ ‘ଟଙ୍କ ତୋରାଣି’ ଅମୃତ ସଦୃଶ। ଦଶମ ଶତାବ୍ଦୀରୁ ଶ୍ରୀମନ୍ଦିରରେ ପଖାଳ ପ୍ରସଙ୍ଗ ଯୋଡ଼ି ହୋଇଆସିଛି। ସଂସ୍କୃତର ‘ପ୍ରକ୍ଷାଳନ’ ଶବ୍ଦରୁ ପଖାଳ ଶବ୍ଦର ଉତ୍ପତ୍ତି, ଯାହାର ଅର୍ଥ ‘ଧୋଇବା’। ଭାରତ ବାହାରେ ନେପାଳ, ବାଂଲାଦେଶ ଓ ମିଆଁମାର ଭଳି ଏସୀୟ ରାଷ୍ଟ୍ରରେ ଖାଦ୍ୟ ଭାବରେ ଏହାର ପ୍ରଚଳନ ରହିଛି। ଉଷୁମ ଗରମ ଭାତକୁ ମାଟି ପାତ୍ରରେ ଯଥେଷ୍ଟ ପରିମାଣର ପାଣି ଦେଇ ଆଠରୁ ବାର ଘଣ୍ଟା ଯାଏ ଫରମେଣ୍ଟେସନ ପ୍ରକ୍ରିୟା ଦ୍ୱାରା ଏହା ପ୍ରସ୍ତୁତ କରାଯାଏ। ଓଡ଼ିଶାରେ ବିଭିନ୍ନ ପ୍ରକାରର ପଖାଳ ପ୍ରସ୍ତୁତ ହୋଇଥାଏ। ଦହି ପଖାଳ, ଜିରା ପଖାଳ, ଘିଅ ପଖାଳ, ସଜ ପଖାଳ, ବାସି ପଖାଳ, ଆମ୍ବ ପଖାଳ, ଚିପୁଡ଼ା ପଖାଳ, ମଲ୍ଲୀଫୁଲ ପଖାଳ, ମିଠା ପଖାଳ, ତାୱା ପଖାଳ, ମାଣ୍ଡିଆ ପଖାଳ ଆଦି ‘ପଖାଳ’ର ଭିନ୍ନ ଭିନ୍ନ ରୂପ ଅଟେ। ଏଥି ମଧ୍ୟରୁ ଦହି ପଖାଳ, ଘିଅ ପଖାଳ, ମିଠା ପଖାଳ, ସଜ ପଖାଳ ମହାପ୍ରଭୁଙ୍କ ଛପନ ଭୋଗ ଲାଗି ହୋଇଥାଏ। ଚଳିତ ବର୍ଷ ‘ଅନ୍ତର୍ଜାତୀୟ ମିଲେଟ’ ବର୍ଷ ହୋଇଥିବାରୁ ମାଣ୍ଡିଆ ଜାଉର ପଖାଳ ଏକ ନୂତନ ସ୍ଥାନ ମଣ୍ଡନ କରିଛି। ବାଜରା ମାଣ୍ଡିଆ, ସୁଆଁ, ଜୁଆଁର, କାଂଗୁ, କୁଦୋ ଆଦି ମିଲେଟ୍‌ସ ଜାତୀୟ ଖାଦ୍ୟ ଏଥିରେ ଅନ୍ତର୍ଭୁକ୍ତ।
ପଖାଳ କହିଲେ ମୁଖ୍ୟତଃ ବାସି ପଖାଳକୁ ବୁଝାଏ। ବାସି ପଖାଳ ଲାକ୍ଟୋବାସିଲସ ଜାତୀୟ ବ୍ୟାକ୍ଟେରିଆ ଦ୍ୱାରା ପ୍ରକ୍ରିୟାକରଣରେ ପ୍ରସ୍ତୁତ। ଏଥିରେ ଶର୍କରା ଜାତୀୟ ପଦାର୍ଥ ସରଳ ଉପାଦାନରେ ପରିଣତ ହୋଇଥାଏ। ପ୍ରତି ୧୦୦ ଗ୍ରାମ ରନ୍ଧା ଭାତରେ ୩.୪ ମି.ଗ୍ରା ଲୌହ, ୫୧ ମି.ଗ୍ରା ପଟାସିୟମ, ୨୧ ମି.ଗ୍ରା କ୍ୟାଲସିୟମ, ୪୭୫ ମି.ଗ୍ରା ସୋଡିୟମ ଏବଂ ୧୩୨ କ୍ୟାଲୋରୀ ଶକ୍ତି ରହିଥିବାବେଳେ ସଜ ପଖାଳରେ ୭୩.୯୧ ମି.ଗ୍ରା ଲୌହ, ୮୩୯ ମି.ଗ୍ରା ପଟାସିୟମ, ୮୫୦ ମି.ଗ୍ରା କ୍ୟାଲସିୟମ, ୩୦୩ ମି.ଗ୍ରା ସୋଡିୟମ ଏବଂ ୫୨ କ୍ୟାଲୋରୀ ଶକ୍ତି ରହିଥାଏ। ଏଥି ସହିତ ଫାଇଟିକ ଏସିଡ ଓ ପିଏଚର ମାତ୍ରା କମିବା ଦ୍ୱାରା ଜିଙ୍କ୍‌, ସେଲେନିୟମ, ଫସଫରସ ଓ ମ୍ୟାଗ୍ନେସିୟମ ଭଳି ଖଣିଦ ପଦାର୍ଥ ଶରୀରରେ ଉତ୍ତମ ରୂପେ ଅବଶୋଷଣ ହୋଇଥାଏ। (ସୌଜନ୍ୟ: ଗୁଣଜିତ ଗୋସ୍ୱାମୀ ୨୦୧୬) ତୋରାଣିରେ ଥିବା ଜୀବାଣୁ ଅନେକ ପ୍ରକାର ସର୍ଟ ଚେନ ଫ୍ୟାଟି ଏସିଡ ଉତ୍ପନ୍ନ କରିଥାଏ, ଯାହାର ପ୍ରକୃତି ଏଣ୍ଟିଇନଫ୍ଲାମାଟୋରୀ ଅଟେ। ସେହିପରି ବାସି ତୋରାଣି ଏଣ୍ଟିଭାଇରାଲ ପେପଟାଇଡ ଗୁଣରେ ପରିପୂର୍ଣ୍ଣ।
ପଖାଳର ବହୁମୁଖୀ ଉପାଦେୟତା ଆଜି ଗବେଷଣାଲବ୍ଧ ଜୀବନ ମନ୍ତ୍ର ହୋଇଛି। ସୁସ୍ଥ ଜୀବନ ଯାପନ ଶୈଳୀରେ ଏହାର ମହତ୍ତ୍ବ ଅନସ୍ୱୀକାର୍ଯ୍ୟ। ପଖାଳ ଶରୀରକୁ ଥଣ୍ଡା ରଖେ। ପୁଷ୍ଟିକର ସନ୍ତୁଳନ ଓ ହଜମ ପ୍ରକ୍ରିୟାକୁ ମଜଭୁତ୍‌‌ କରିବାରେ ସାହାଯ୍ୟ କରେ। କୋଷ୍ଠ କାଠିନ୍ୟ ଓ ପାକତନ୍ତ୍ରରେ ଘାଆଜନିତ ସମସ୍ୟାର ଉପଚାର କରେ। ତୋରାଣି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼଼ାଏ, ଶରୀରର ଉତ୍ତାପକୁ ନିୟନ୍ତ୍ରଣ କରେ। ପ୍ରବଳ ଖରାରେ ଡିହାଇଡ୍ରେସନ ସହିତ ଲଢ଼ିବାରେ ଏହା ଉତ୍ତମ ଅସ୍ତ୍ର। ପଖାଳ ହଜମକାରୀ ଏନ୍‌ଜାଇମ ଏବଂ ଅନ୍ତଃନଳୀରେ ଉପକାରୀ ଜୀବାଣୁ ବୃଦ୍ଧି କରିବାରେ ସକ୍ଷମ ହୁଏ। ଫଳରେ ଅନ୍ତଃନଳୀର କ୍ଷତିକାରକ ତତ୍ତ୍ୱର ନିରାକରଣ ସହଜରେ ହୋଇପାରେ। ଏହା ସୁନିଦ୍ରାର ବ୍ରହ୍ମାସ୍ତ୍ର ଓ ମେଦବହୁଳତାର ଘାତକ ଅଟେ। ଶରୀରକୁ ପର୍ଯ୍ୟାପ୍ତ ପରିମାଣର ସରଳ ପେପଟାଇଡ ଯୋଗାଇବା ଦ୍ୱାରା ଥକ୍କାପଣ ଦୂର କରିବାର ମହୌଷଧି ଅଟେ। ଏହା କୋଲେଷ୍ଟେରଲ ହ୍ରାସ ଓ ପତଳା ଝାଡ଼ା ରୋକିବାରେ ରାମ ବାଣ। ଏହା କମ କ୍ୟାଲୋରୀଯୁକ୍ତ ଖାଦ୍ୟ ହୋଇଥିବାରୁ ପ୍ରାକୃତିକ ପ୍ରୋ-ବାୟୋଟିକ ରୂପରେ ବୃହତ୍‌ ଅନ୍ତଃନଳୀର ସ୍ଥିତିକୁ ସୁଦୃଢ଼ କରି କୋଲାଇଟିସ, ଆରବିଡି ଭଳି ପେଟ ରୋଗକୁ ଦୂର କରିଥାଏ। ଏହା ପେଟ ସଫା କରିବା ସହିତ ତ୍ୱଚାରେ ପ୍ରାକୃତିକ ଚମକ ଭରି ଦେଇଥାଏ। ଶରୀରରୁ ଚାପ, ଚିନ୍ତା ଓ ଉଦାସୀନତା ଦୂର କରେ ଏବଂ ମାନସିକ ସନ୍ତୁଳନ ଆଣେ। ବିଭିନ୍ନ ମେଟାବୋଲାଇଟ (ସୂକ୍ଷ୍ମତତ୍ତ୍ୱ) ଯେପରିକି, ଏଣ୍ଟିମାଇକ୍ରୋବିଏଲ, ଏଣ୍ଟି ଅକ୍ସିଡେଣ୍ଟ, ଫିନୋଲିକ୍ସ, ଭିଟାମିନ ଇ, ବି, ବି-୧୨ ଫାଇଟୋଷ୍ଟେରୋଲ, ଲିନୋଲିକ ଏସିଡ ଆଦି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼଼ାଏ ଓ ଶରୀରରୁ ବିଷାକ୍ତ ପଦାର୍ଥକୁ ପ୍ରାକୃତିକ ରୂପରେ ହ୍ରାସ କରିବାରେ ସହାୟକ ହୁଏ। ଏହା ଅର୍ବୁଦ (ଅଲସର) ଜାତୀୟ ରୋଗରୁ ମଧ୍ୟ ଆରୋଗ୍ୟ ଲାଭ କରାଏ। ଆୟୁର୍ବେଦ ଶାସ୍ତ୍ରର ‘ତ୍ରିଦୋଷ’ ଅର୍ଥାତ୍‌ ବାତ, ପିତ୍ତ ଏବଂ କଫ ଦୋଷକୁ ସନ୍ତୁଳିତ କରେ। ତେଣୁ ଏହି ପାରମ୍ପରିକ ଉତ୍କଳୀୟ ଖାଦ୍ୟ ଏକ ଉନ୍ନତ, ଉତ୍ତମ, ସନ୍ତୁଳିତ ଓ ପୁଷ୍ଟିଯୁକ୍ତ ସୁଷମ ଖାଦ୍ୟ ଅଟେ। ଯଥାର୍ଥରେ ପଖାଳ ହିଁ ‘ସୁପର ଫୁଡ୍‌‌’।
ପଖାଳ ପ୍ରସ୍ତୁତ କରିବା ସମୟରେ ସତର୍କତା ଲୋଡ଼ା। ଏହାର ପ୍ରସ୍ତୁତି ପ୍ରକ୍ରିୟାରେ ଉପଯୁକ୍ତ ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନତା ଅନୁସରଣ କରିବା ବିଧେୟ। ମାଟିପାତ୍ର, ବିଶୁଦ୍ଧ ଜଳ, ଉପଯୁକ୍ତ ଢାଙ୍କୁଣି ଓ ନିର୍ଦିଷ୍ଟ ସମୟ ମଧ୍ୟରେ ପ୍ରସ୍ତୁତି ପ୍ରତି ଯତ୍ନବାନ ହେବା ବାଞ୍ଛନୀୟ। ଦୁଇ ଦିନରୁ ଅଧିକ ସମୟର ପଖାଳ ସେବନ ସର୍ବଦା ବର୍ଜନୀୟ।
ସଂସ୍କୃତି ଆଜି ବିପନ୍ନ। ସମସ୍ତେ ଉଦ୍‌ଭ୍ରାନ୍ତ ଓ ଉତ୍‌କ୍ଷିପ୍ତ ହୋଇ ପାଶ୍ଚାତ୍ୟର ମାୟା ଜାଲରେ ଦିଗଭ୍ରଷ୍ଟ। ‘ଟୁ ବି’ ଏବଂ ‘ନଟ ଟୁ ବି’ର ପେଣ୍ଡୁଲମ୍‌ରେ ଦୋଳାୟମାନ। ଜ୍ଞାନର ନବ ଉନ୍ମେଷ ଆଜି ନବୀନ ସଂକଳ୍ପକୁ ଆହ୍ୱାନ କରୁଛି। ‘ପଖାଳ ଦିବସ’ ପାଳନ କେବଳ ପ୍ରଚାର ପ୍ରସାର ଧର୍ମୀ ନ ହୋଇ ମହାନ ସଂସ୍କୃତିର ସମନ୍ୱୟ ଓ ସମୃଦ୍ଧିର ନେତ ହେଉ; ଏତିକି କାମନା।

ଶ୍ବେତା ପରିଡ଼ା
ପଟିଆ, ଭୁବନେଶ୍ବର
ଦୂରଭାଷ:୭୦୭୭୫୫୬୪୬୭

Comments are closed.