ଆଲୁଅ ତା’ର କି ମନୋହର, ଅନ୍ଧକାର ତା’ଠାରୁ ଭଲ

ଆଲୁଅ ତା’ର କି ମନୋହର, ଅନ୍ଧକାର ତା’ ଠାରୁ ଭଲ, ଜୀବନ ପଥେ ସକଳ ତା’ର, ଫିଟାଏ ନୂଆ ରାହାଟି , ଛୋଟ ମୋର ଗାଁ ଟି – କବି ସଚ୍ଚି ରାଉତରାୟଙ୍କ କାଳଜୟୀ କବିତାର ଏଇ କିୟଦଂଶ ପଢିଲେ ପାଠକ ମନରେ ଶିହରଣ ଜାଗେ ଓ କବି ଏଠାରେ ଅନ୍ଧାରକୁ ଆଲୋକ ଠାରୁ ଅଧିକା ଲୋଭନୀୟ ବୋଲି ଦର୍ଶାଇଛନ୍ତି।
ସତରେ ଯେଉଁମାନେ ଗାଁରେ ପିଲାଦିନ କଟାଇଛନ୍ତି ଅଥବା ସହରରେ ବଢି, ମଝିରେ ମଝିରେ ଗାଁକୁ ଯାଇଛନ୍ତି, ସେମାନେ ଏଇ ଉକ୍ତିଟିର ଯଥାର୍ଥତା ମର୍ମେ ମର୍ମେ ଅନୁଭବ କରିପାରୁଥିବେ।
ଖରାଦିନେ ଗାଁରେ ଗୋଟିଏ ଅଭୁଲା ସନ୍ଧ୍ୟା ଦୃଶ୍ୟଟି ହୁଏତ ଏପରି। ଗରମରୁ ନିଷ୍କୃତି ପାଇଁ ଗାଁ ନଈ ଅବା ପୋଖରୀ କୂଳରେ ସମବେତ ଗ୍ରାମବାସୀଙ୍କର ଏକ ଛୋଟିଆ ଆସର। ସମସ୍ତଙ୍କ ହାତରେ ଟର୍ଚ୍ଚ। କାହାର ଦୁଇ ସେଲିଆ ତା କାହାର ତିନି ସେଲିଆ। କାହାର ବ୍ୟାଟେରି ନୂଆ ପଡିଛି, ତ ମଝିରେ ମଝିରେ ଅନ୍ୟକୁ ଚମକେଇବା ପାଇଁ ସେ ଦୂରକୁ ଟର୍ଚ୍ଚ ମାରି ତା’ର ଉଳ ଆଲୋକ ଦେଖି ମନେ ମନେ ନିଜେ ଚମତ୍କୃତ ହେଉଛି। ପିଲା ବୁଢା ସଭିଏଁ ଏକାଠି ବସି ରେଡ଼ିଓ ଶୁଣୁଛନ୍ତି। ଚାରିଆଡେ ଗାଢ଼ ଅନ୍ଧକାର ଆଉ ଉପରେ ଚିକ୍‌ମିକ ତାରା ଖଚିତ ଆକାଶ। ନଈ ଆଡୁ ବହି ଆସୁଛି ସୁଲୁସୁଲିଆ ଥଣ୍ଡା ପବନ। ରେଡ଼ିଓରେ ଗୋଟିଏ ପରେ ଗୋଟିଏ ଲଘୁସଂଗୀତର ଫୁଆର ।
ଜେଜେ ନାତିକୁ ଆଙ୍ଗୁଳି ଇସାରାରେ ଦେଖାଉଛନ୍ତି ସପ୍ତର୍ଷି ମଣ୍ଡଳ ଓ ଧ୍ରୁବ ତାରା। ଆଉ କହୁଛନ୍ତି ଯେ ନୂଆ କେଉଁ ଗାଁକୁ ଗଲେ ଓ ରାତିରେ ଫେରିବାକୁ ହେଲେ କେମିତି ଉତ୍ତର ଦିଗଟି ଜାଣି ସେଥିରୁ ନିଜ ଗାଁକୁ ଫେରିବାର ରାସ୍ତା ବାହାର କରିବାକୁ ହୁଏ।
ଆକାଶରେ କେତେ ତାରା ଆଉ ତାରାଙ୍କ ଦଳ ଓ କୃତ୍ତିକା ପୁଞ୍ଜ, ସ୍ୱାତୀ ନକ୍ଷତ୍ର, କାଳପୁରୁଷ, ମୃଗ ବ୍ୟାଧ ସବୁକୁ ନେଇ ପୁଣି କାହାଣୀ। ଜହ୍ନରେ ଚିହ୍ନ ପାଇଁ ବି କାହାଣୀ। କେଉଁ ତାରା ବା ଗ୍ରହର ରଙ୍ଗ ଲାଲ ତ କିଏ ନୀଳ।
କିଏ ଜଣେ ପୁଣି କହିଲାଣି ‘ଜେଜେ, ଟିକେ ଭୂତ କାହାଣୀ କୁହ’। ଜେଜେଙ୍କ ଭୂତ କାହାଣୀରେ ଭୀତତ୍ରସ୍ତ ପିଲାଏ ବଡ଼ମାନଙ୍କ ପାଖକୁ ଜାକି ହୋଇ ବସିଲେଣି।
ପାଠପଢୁଆ ପିଲାମାନେ ସନ୍ଧ୍ୟା ହେଲେ ନିଜ ଲଣ୍ଠନର କାଚ ପୋଛିବା ଓ କିରାସିନି ତେଲ ପୂରାଇବା ତ ସବୁଦିନିଆ କାମ। ଜମାଟବନ୍ଧା ଅନ୍ଧକାର, ଡିବିରି ବା ଲଣ୍ଠନରେ ଦୂର ହେବ କ’ଣ ବରଂ ଅଧିକା ଅନ୍ଧାର ଜଣାଯାଏ। ଶୀଘ୍ର ରାତି ଖାଇବା ସାରି ଗାଁ ଲୋକେ ଶୋଇ ପଡନ୍ତି।
ଏବେ ଗାଁ ସହର ସବୁଆଡେ ବିଜୁଳି ଆଲୁଅରେ ଝଲମଲ ରାତି। ବିଜୁଳି ଲାଇନ କ୍ଷଣକ ପାଇଁ ବ୍ୟାହତ ହେଲେ ବି ଘରେ ଘରେ ଲାଗିଛି ଇନଭର୍ଟର। ଆଉ ସେ ରେଡ଼ିଓ ନାହିଁ କି ପାଞ୍ଚଜଣ ଖୋଲା ଆକାଶ ତଳେ ବସି ଦୁଃଖସୁଖ ହେବାର ଅବକାଶ ନାହିଁ। ରେଡ଼ିଓର ସ୍ଥାନ ଟିଭି ନେଉ ନେଉ ମୋବାଇଲର ଆବିର୍ଭାବ ଓ ସବୁ ମଣିଷ ମୋବାଇଲର ମାୟାଜାଲରେ ବନ୍ଦୀ। ଦିନ ରାତି ଏଇ ମୋବାଇଲ, କମ୍ପ୍ୟୁଟର ଓ ଚାକଚକ୍ୟ ଭରା ଜୀବନରୁ ମଣିଷକୁ ଅବସର କାହିଁ ଯେ ଆକାଶକୁ ଦଣ୍ଡେ ଚାହିଁବ ? ଦେଖିବ କେଡେ ବିରାଟ ଏ ବିଶ୍ୱ ? ଗ୍ରହ, ଅଗଣିତ ତାରା, ନୀହାରିକାମାନଙ୍କ ସମାବେଶ ଯେମିତି କହୁଛନ୍ତି ‘ରେ ମଣିଷ, ଆମ ଆଗରେ ତୁ ଆଉ ତୋ ପୃଥିବୀ କେଡେ କ୍ଷୁଦ୍ର, କେଡେ ନଶ୍ୱର’। ମଣିଷ ଆକାଶକୁ ଚାହିଁଲେ ବି ଧୂଳି, ଧୂଆଁ ଆଉ ଝଲସୁଥିବା ଆକାଶରେ ତାରା ଆଉ ଦିଶୁ ନାହାନ୍ତି।
ସହରରେ ରହୁଥିବା ଲୋକଟିଏ ଧାଇଁଲା ଗାଁକୁ, କାଳେ ଆକାଶଟା ଦେଖାଯିବ ତା ପିଲାଦିନର ଆକାଶ ଭଳି ; କିନ୍ତୁ ସେଠି ବି ତାକୁ ହତାଶ ହେବାକୁ ପଡୁଛି। ଆଜିର ଗାଁ ସହର ଠାରୁ କୋଉ ଗୁଣରେ କମ୍‌ କି ? ବିଜୁଳିବତିର ଏଭଳି ଭିଡ ଯେ ଅଧା ଆଲୁଅ ପଡୁଛି ଆକାଶ ଆଡକୁ। ସେଥିରେ ପୁଣି ଭଳିକି ଭଳି ରଙ୍ଗିନ ଏଲଇଡି ଲାଇଟର ମାଳା ଗୁଡା ଯାଉଛି ବିଜୁଳି ବତି ଖୁଣ୍ଟରେ ସୁନ୍ଦର ଦିଶିବା ପାଇଁ। ଆକାଶରେ କାଁ ଭାଁ ଗୋଟିଏ ଦୁଇଟି ତାରା ଦେଖାଯାଉଛନ୍ତି। ଅନ୍ଧାର କାହିଁ? କାହିଁ ସେ ଅନ୍ଧାର ଯାହାକୁ ଦେଖି କବି ଲେଖିଲେ ‘ଆଲୁଅ ତାର କି ମନୋହର , ଅନ୍ଧକାର ତା ଠାରୁ ଭଲ’ ?
୧୯୯୨ ମସିହାର କଥା। ବିଜ୍ଞାନକୁ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଏକ ସଂସ୍ଥା ଜାଗମରାଠାରେ ‘ଆସ ତାରା ଦେଖିବା’ ଶୀର୍ଷକ ତିନିଦିନିଆ କର୍ମଶାଳାର ଆୟୋଜନ କରୁଥାନ୍ତି। ସେହି କର୍ମଶାଳାରୁ ଗୋଟିଏରେ ମୁଁ ଜଣେ ଆଗ୍ରହୀ ଜିଜ୍ଞାସୁ ଭାବେ ଯୋଗଦେଇଥାଏ। ଦିନରେ ବିଶ୍ୱ ବ୍ରହ୍ମାଣ୍ଡ, ତାରା, ଗ୍ରହ, ଉପଗ୍ରହ, ଧୂମକେତୁ, ନୀହାରିକା ଓ ଆମ ନିଜ ପୃଥିବୀ ବିଷୟରେ ଆଲୋଚନା ଏବଂ ରାତିରେ ତାରା ମଣ୍ଡଳ, ତାରା, ଗ୍ରହ ଇତ୍ୟାଦିଙ୍କୁ ଜାଣିବା, ଖାଲି ଆଖି ଓ ଦୂରବୀକ୍ଷଣ ସାହାଯ୍ୟରେ ଦେଖିବା କାମଟି ବହୁତ ସୁନ୍ଦର ତଥା ପ୍ରାଞ୍ଜଳ ଭାବେ ବୁଝାଇ ଦିଆଯାଉଥାଏ। ସେତେବେଳେ ଭୁବନେଶ୍ୱର ଆକାଶରେ ସମସ୍ତ ତାରା ମଣ୍ଡଳ ଏତେ ସ୍ପଷ୍ଟ ଭାବରେ ଦେଖାଯାଉଥାଏ ଯେ ନିଷ୍ପ୍ରଭ ତାରାଗୁଡିକୁ ମଧ୍ୟ ଦେଖି ଚିହ୍ନି ହେଉଥାଏ। ଆଜି ସେ କଥା ଚିନ୍ତା ବି କରି ହେଉନାହିଁ। ଧୂଳି ଧୂଆଁ ଓ ଅତ୍ୟଧିକ ଆଲୋକରେ ଆଉ ସବୁ ସହର ଭଳି ଭୁବନେଶ୍ୱର ଆକାଶ ମଧ୍ୟ ପ୍ରଦୂଷିତ।
ଯିବା କି କୋରାପୁଟ ? ଅବା ଶିମିଳିପାଳ ? ଅନ୍ଧାରକୁ ଦେଖିବା ଓ ଉପଭୋଗ କରିବା।
ଓଃ ଏଠି ବି ଅନ୍ଧାର ନାହିଁ ? ପରିବେଶକୁ ତିଳେ ବି ଖାତିର କରୁନଥିବା କାରଖାନାର ଆଖି ଝଲସା ବିଜୁଳି ଆଲୁଅ ଓ ଚିମିନି ଧୂଆଁରେ ଏଠି ବି ଆକାଶ ଅଣନିଃଶ୍ୱାସୀ। ତାରାଦେଖା କଥା କିଏ ପଚାରେ।
ଖବର ବାହାରିଲା ଲଦାଖରେ ହେବ ଦେଶର ପ୍ରଥମ ‘ଅନ୍ଧାର ଅଭୟାରଣ୍ୟ’। ଖାସ କରି ତାରା ଦେଖାଳିମାନଙ୍କୁ ଆକର୍ଷିତ କରିବା ପାଇଁ। ତିଆରି ହେଲା ନିୟମ କାନୁନ। ମନଇଚ୍ଛା ଲାଇଟ ଲଗାଇବା ଛାଡି ଏବେ ଠିକ ପ୍ରଣାଳୀରେ ଲାଇଟ ଲଗାଇବାକୁ ରହିଲା କଡା ନିର୍ଦେଶ। ବେଶ୍‌ ବଡ ଆକାରର ଟଙ୍କା ଖର୍ଚ୍ଚ କରି ଲଦାଖକୁ ଲୋକେ ଛୁଟିଲେ ଅନ୍ଧାରକୁ ମନ ଭାରି ଉପଭୋଗ କରିବାକୁ। ନିର୍ମଳ ଆକାଶରେ ତାରାଙ୍କ ଯାଦୁକରୀ ଦୃଶ୍ୟକୁ ଆକଣ୍ଠ ପାନ କରିବାକୁ।
ମୋ ଓଡ଼ିଶାରେ କ’ଣ ଆଉ ଅନ୍ଧାର ଇଲାକା ନାହିଁ ?
ଦେଓମାଳିରେ ତ ଅନ୍ଧାର ନିଶ୍ଚୟ ଥିବ !!! ନା ଏଠି ବି ହତାଶ। ଦେଓମାଳି ଶିଖରର ପୂରା ଉତ୍ତର ଆକାଶ ପଞ୍ଚପଟ୍ଟମାଳିର ଅତ୍ୟୁଚ୍ଚ ଶକ୍ତିସମ୍ପନ୍ନ ଆଲୋକ ମାଳାରେ ଉଦ୍ଭାସିତ।
ଭଗବାନଙ୍କୁ ଅଶେଷ ଧନ୍ୟବାଦ, ଏବେ ବି ଓଡିଶାରେ ଲଦାଖ ଭଳି ଅନ୍ଧକାର ଥିବା ସ୍ଥାନ ଅଛି। ଏଇ ଯେମିତି ଫୁଲବାଣୀର ଦାରିଙ୍ଗିବାଡ଼ି ଅବା କୋରାପୁଟର ବାଲଡା ଗୁମ୍ଫା ଅଞ୍ଚଳ। ଅନ୍ଧାର ଦେଖିବାର ଅଛି ତ ଯା’ନ୍ତୁ ଏଇ ସବୁ ଜାଗାକୁ। ଜୀବନରେ ଥରେ ହେଲେ ବି ଅନ୍ଧାର କ’ଣ ଜାଣନ୍ତୁ।
କେମିତି ହୁଅନ୍ତା ଯଦି ବର୍ଷରେ ଗୋଟିଏ ସନ୍ଧ୍ୟା ଆମେ ସବୁ ଆଲୋକ ନିର୍ବାପିତ କରି ଅନ୍ଧାରକୁ ଜାଣନ୍ତେ । ଆମ ପଠାଣି ସାମନ୍ତଙ୍କ ପୁଣ୍ୟ ଜନ୍ମ ତିଥିରେ ସାରା ଓଡ଼ିଶାରେ ଦୁଇ ଘଣ୍ଟା ପାଇଁ ନିହାତି ଅସୁବିଧା ହେଉନଥିବା ସ୍ଥାନରେ ସମସ୍ତ ବିଜୁଳି ଆଲୁଅକୁ ବନ୍ଦ ରଖି ଆକାଶ ଓ ତାରାଙ୍କ ଚମତ୍କାରୀ ଦୃଶ୍ୟ ଦେଖି ଅନୁପ୍ରାଣିତ ହୁଅନ୍ତେ!
ଅନ୍ଧାର କ’ଣ ଜାଣିଲେ ଇ ଆଲୁଅକୁ ମନଲୋଭା ବୋଲି ବିଶ୍ୱାସ ହେବ।

ସୁନୀଲ କୁମାର ବିଶ୍ବାଳ
ସୁନାବେଡ଼ା
ଦୂରଭାଷ: ୭୦୦୮୫୮୦୫୨୮

Comments are closed.