ନିଜକୁ ସଜାଡ଼ିଲେ ଦୁନିଆ ସଜାଡ଼ି ହୋଇଯାଏ…
ଆଦର୍ଶ ଓ ସଂସ୍କାର ପ୍ରତ୍ୟେକ ଜୀବନଯାତ୍ରାର ନିୟାମକ। ଜଣକର ଚିନ୍ତାଧାରା ତାର କାର୍ଯ୍ୟଧାରାକୁ ନିୟନ୍ତ୍ରଣ କରେ। ଆମେ ଜିଉଥିବା ଜୀବନ ପଛରେ ବ୍ୟତୀତ ଜୀବନର ଗଭୀର ପ୍ରଭାବ। ପୂର୍ବର ବାସନା ଓ ସୂକ୍ଷ୍ମଶରୀର ଦେହରୁ ଦେହ ବଦଳି ବଦଳି ଚାଲିଛି। ଅନୁଭବୀ କହନ୍ତି-ଆମେ ମାତ୍ର ୧୦ ଶତାଂଶ କ୍ରିୟା କଲାବେଳେ ୯୦ ଶତାଂଶ ପ୍ରତିକ୍ରିୟା ପ୍ରକାଶ କରିଥାଉ। ସୁତରାଂ ଆମର କ୍ରିୟା ଅପେକ୍ଷା ପ୍ରତିକ୍ରିୟା ଅଧିକ ଓ ଗୁରୁତ୍ୱପୂର୍ଣ୍ଣ। ମାଛି ମୁହଁରେ ବସିଲେ ଆମେ ଯେମିତି ତୁରନ୍ତ ତାକୁ ଘଉଡ଼ାଇ ଦେଉ ସେହି ପ୍ରକାରେ ଅନ୍ୟ କହୁଥିବା କଥାର ମର୍ମ ନବୁଝି ତୁରନ୍ତ ପ୍ରତିକ୍ରିୟା ପ୍ରକାଶରେ ଆମେ ଶତ ଉନ୍ମୁଖ। ପ୍ରତି ପଦକ୍ଷେପରେ ରତି ଅପେକ୍ଷା ବିରକ୍ତି ବେଶୀ। ଅନୁରାଗ ଅପେକ୍ଷା ରାଗ ଅଧିକ। ସନ୍ତୋଷ ଅପେକ୍ଷା ଅସନ୍ତୋଷ ବହୁଗୁଣିତ। ବୁଝାମଣା ଠାରୁ ଅବୁଝାମଣା, ସହନଶୀଳତା ଠାରୁ ଅସହିଷ୍ଣୁତା, ଅନ୍ୟମାନଙ୍କ ସହିତ ମିଳିମିଶି ଚଳିବା ଠାରୁ ଗୋଠ ଖଣ୍ଡିଆ ହୋଇ ରହିବା, କୋମଳତା ଠାରୁ ରୁକ୍ଷତା, ଦୟା ବଳଦରେ କ୍ରୂରତା, ନମ୍ରତା ଠାରୁ ଅହମିକା, ହର୍ଷ ଠାରୁ ବିମର୍ଷ, ଗ୍ରହଣୀୟତା ଠାରୁ ପ୍ରତ୍ୟାଖ୍ୟାନ କରିବା, ସହାନୁଭୂତି ବଦଳରେ ପ୍ରତିଶୋଧ ପରାୟଣ ହେବା ଓ ସଂକ୍ଷେପରେ ଆନୁକୂଲ୍ୟ ଅପେକ୍ଷା ପ୍ରାତିକୂଲ୍ୟ ଅଧିକ। କାହାକୁ ଆହା କହି ସାହା ହେବା ପରିବର୍ତ୍ତେ ବିଦ୍ରୂପ କରି ଦୋଷଦର୍ଶୀ ହେବାର ଚାରିଆଡ଼େ ବାତାବରଣ। ସମସ୍ତେ ବକ୍ତା, କିଛି ଶୁଣିବାକୁ କିଛି ଜାଣିବାକୁ କେହି ପ୍ରସ୍ତୁତ ନାହାନ୍ତି। ଜୀବନ ଯାତ୍ରାରୁ ନ୍ୟାୟ, ନୀତି ଓ ନିୟମ ସବୁ ନିର୍ବାସିତ। ମଣିଷ ଜିଉଥିବା ଜୀବନ ଅସନ୍ତୁଳିତ। ଲକ୍ଷ୍ୟଭ୍ରଷ୍ଟ। ଦୌଡ଼ି ଦୌଡ଼ି ନୟାନ୍ତ। ବ୍ୟକ୍ତିଗତ ଜୀବନରେ ଘୃଣା, ଦ୍ୱେଷ, ଅସ୍ଥିରତା, ଗ୍ଳାନି ଆଉ ଅବସାଦରେ ସାମାଜିକ ଜୀବନ ତରଙ୍ଗାୟିତ। ମଣିଷ ଅତିଷ୍ଠ ହୋଇ ନିଜର ସ୍ଥିତିକୁ ନିଜେ ବିପନ୍ନ କରୁଛି। ଶାନ୍ତି ଓ ଆନନ୍ଦ ସୁଦୂରପରାହତ। ସଭ୍ୟତାର ଦ୍ରୁତ ଉନ୍ନତି ଭିତରେ ସଂସ୍କୃତିର ତୀବ୍ର ଅବକ୍ଷୟ। ଅସଂଗଠିତ ଚେଷ୍ଟା ହେତୁ ବିଜୟ ବଦଳରେ ପରାଜୟର ଗ୍ଳାନି। ଆଜି ବ୍ୟକ୍ତିଗତ ଲାଭକ୍ଷତି ପ୍ରତି କାର୍ଯ୍ୟର ମାପକାଠି। ଫଳରେ ଆମର ବ୍ୟକ୍ତିଗତ ଜୀବନ ସହିତ ସାମାଜିକ ଜୀବନ ଦୁର୍ବିସହ ହୋଇ ପଡ଼ୁଛି।
ଏ ସମସ୍ତର ଗୋଟିଏ ଅମୋଘ ଦିବ୍ୟ ଉପଚାର ହେଉଛି ସକାରାତ୍ମକ ଭାବନା। ଶୃଙ୍ଖଳିତ ଉପାୟରେ ନିଜ ଅଭ୍ୟନ୍ତରକୁ ଅଧ୍ୟୟନ କରି ବିଶ୍ଳେଷଣ କରିବା ବର୍ତ୍ତମାନ ସମୟର ଡାକରା। ନିଜକୁ ଚିହ୍ନିଲେ ସବୁ ସମସ୍ୟାର ଅନ୍ତ ଘଟେ। ନିଜ ଭିତରର ଅସଜଡ଼ା ବ୍ୟକ୍ତିତ୍ୱକୁ ସଜାଡ଼ିଲେ ପରିପାର୍ଶ୍ବ ଆପେ ଆପେ ସଜାଡ଼ି ହୋଇଯାଏ। ନିଜ ଚିନ୍ତାଧାରାକୁ ପ୍ରତି ମୁହୂର୍ତ୍ତରେ ଆଧ୍ୟାତ୍ମିକ ଚେତନାରେ ସମ୍ପ୍ରସାରିତ କରିବାକୁ ହେବ। ଜୀବନକୁ ସଫଳ କରିବାକୁ ହେଲେ ଈଶ୍ୱରଙ୍କ ଦାୟିତ୍ୱରେ ରହି କାର୍ଯ୍ୟ କରିବାର ଅଛି। ପୁରାଣାତ୍ମକ ନୁହେଁ ବରଂ ପ୍ରୟୋଗାତ୍ମକ ଆଧ୍ୟାତ୍ମିକତା ହିଁ କାଳେ କାଳେ ଜୀବନର ଧେୟ। ଆଧ୍ୟାତ୍ମିକ ନୀତିନିୟମ ମଣିଷର କର୍ମ ଓ ଜୀବନଯାତ୍ରାର ଲକ୍ଷ୍ମଣରେଖା। ସୁଖଦୁଃଖରେ, ଦୈନନ୍ଦିନ କାର୍ଯ୍ୟକ୍ରମରେ ସକଳ ସମସ୍ୟାରେ ଈଶ୍ୱରଙ୍କୁ ଅନ୍ତରଙ୍ଗ ସାଥୀ ଓ ଅଂଶୀଦାର କରି ଚାଲି ପାରିଲେ ଜୀବନଯାତ୍ରା ସହଜ ଓ ସୁଗମ ହୋଇ ଥାଏ। ଆଧ୍ୟାତ୍ମିକତା କେବେ ଜଳ ପରି ସରଳ, ତରଳ ଓ ସ୍ପଷ୍ଟ। ଆଧ୍ୟାତ୍ମିକ ଭାବସ୍ରୋତରୁ ବିଚ୍ଛିନ୍ନ ହେଲେ ଜୀବନ ଯନ୍ତ୍ର ପାଲଟି ଯାଏ।
ଜୀବନ ଜିଇବାରେ କାଳେ କାଳେ ସଂଘର୍ଷ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜ ସହିତ ସଂଘର୍ଷ। ଏହି ସଂଘର୍ଷରେ ନିଜକୁ ଶକ୍ତିହୀନ ଭାବିଲେ ସେ ଦୁର୍ବଳ ହୋଇଯାଏ। ହୀନମନ୍ୟତାର ଶରବ୍ୟ ହେଲେ ଶୋଚନୀୟ ହୋଇ ପଡ଼େ। ଭଗବାନଙ୍କୁ ‘ବଳ ଦିଅ ମୋର କର ଚରଣେ’ଭଳି ବିନୀତ ପ୍ରାର୍ଥନା କଲେ ଦେହମନପ୍ରାଣରେ ନୂତନ ଶକ୍ତିର ସଞ୍ଚାର ଘଟେ। ମଣିଷ ପ୍ରଚଣ୍ଡ ଆତ୍ମଶକ୍ତିରେ ଶକ୍ତିଶାଳୀ। ତାକୁ ସଚେତନ ଓ ଜାଗ୍ରତ ହେବାକୁ ପଡ଼ିବ। ପରମ ପିତାଙ୍କୁ ସ୍ମରଣ କଲେ ସେ ଅଦ୍ଭୁତ ଶକ୍ତି ଯୋଗାଇ ଦେଇଥା’ନ୍ତି। ଏହା ସତ ଯେ ମଣିଷ ଆଜି ନାନାବିଧ ମାନସିକ ଉତ୍ତେଜନାରେ ଜଡ଼ସଡ଼। ଏହାର ପରିଣାମ ଭୟାବହ। ପରିସ୍ଥିତିର ଚାପରେ ଟାଣିଓଟାରି ହେଲେ କେବଳ ମାନସିକ ଆଧି ଓ ଶାରୀରିକ ବ୍ୟାଧିରେ ଆକ୍ରାନ୍ତ ହେବା ସାର ହେଉଛି। ପାରିବାରିକ ଜୀବନ ଓ ସାମାଜିକ ସ୍ଥିତି ପାଇଁ ଆହ୍ୱାନ ସୃଷ୍ଟି କରୁଛି। ଏହାର କାରଣ ଓ ନିରାକରଣ ସ୍ଥିର ମନରେ ମନନ ଓ ବିଶ୍ଳେଷଣ କଲେ ଏଥିରୁ ମୁକୁଳିବାର ବାଟ ଫିଟିଥାଏ। ପ୍ରଥମେ ନିଜକୁ ଶାନ୍ତ, ସ୍ଥିର ଓ ଅବିଚଳିତ ରଖିବାକୁ ହେବ। ନିଜର ବିବେକ ଶକ୍ତିକୁ ପ୍ରୟୋଗ କରିବାର ଅଛି। ଏହା ବଳରେ ସ୍ଥାୟୀ ଅସ୍ଥାୟୀ ଓ ନିତ୍ୟ ଅନିତ୍ୟ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ହୋଇଯାଇଥାଏ। ଇଚ୍ଛାବିରୋଧୀ ଘଟଣାର ବାରମ୍ବାର ଆମେ ସମ୍ମୁଖୀନ ହୋଇ ବିକ୍ଷୋଭ ଓ ସ୍ନାୟବିକ ଆବେଗକୁ ଡାକି ଆଣୁଛୁ। ଘଟୁଥିବା ଘଟଣା ଯେ ସବୁବେଳେ ଆମ ଇଚ୍ଛା ଅନୁସାରେ ଘଟିବ ତାହା ଭାବିବା ଭୁଲ। ଦୁନିଆ ତା’ ନିଜ ବାଟରେ ଚାଲିଛି। ଆମକୁ ତା’ ସହିତ ତାଳମେଳ ରଖି ଚାଲି ଶିଖିବାକୁ ପଡ଼ିବ। ଆମକୁ ମନେ ରଖିବାକୁ ହେବ ଆମ ଇଚ୍ଛା ଉପରେ ଆଉ ଜଣକର ଇଚ୍ଛା ରାଜୁତି କରୁଛି। ବିପଦସୁଲଭ ଅଳ୍ପ ହିତାକାଙ୍କ୍ଷୀଙ୍କୁ ନେଇ ଜୀବନଯାତ୍ରା ବାହିବାକୁ ପଡ଼ିବ।
ଦୁର୍ଲଭ ନର ଜୀବନ ପାଇ ଆମେ ଭାଗ୍ୟବାନ୍। ଜୀବନ ଆମର। ଏହାକୁ ନଷ୍ଟ ବା ନିର୍ମାଣ କରିବାରେ ଆମେ ନିଜେ ହିଁ ଦାୟୀ। ସକାରାତ୍ମକ ଚିନ୍ତନରେ ନିଜକୁ ଅନୁଶାସିତ କରି ପାରିଲେ ଜୀବନ ଜିଇବାରେ ସ୍ୱାଦ ଅନୁଭୂତ ହୁଏ। ଭାବପ୍ରବଣତା ଆୟତ୍ତରେ ରହେ। ଇଚ୍ଛା, ଅନିଚ୍ଛା, ପସନ୍ଦ, ଅପସନ୍ଦ, ରଚି ଅରୁଚି ଊର୍ଦ୍ଧ୍ବରେ ଆମକୁ ସକାରାତ୍ମକ ଚିନ୍ତା ଆପଣେଇବାକୁ ପଡ଼ିବ। ନାହିଁ ନାହିଁ ଭିତରେ ହଁର ସ୍ୱର ଉଠାଇବାକୁ ହେବ।
ଆଧ୍ୟାତ୍ମିକତା ଜୀବନରୁ ପଳାୟନ ନୁହେଁ, ଜୀବନକୁ ପାଳନ କରିବା ଶିଖାଏ। ଆଧ୍ୟାତ୍ମିକ କୌଶଳ ଆଧାରରେ ସୃଜନଶୀଳ ଜୀବନ ନିର୍ମାଣ କରାଯାଇ ପାରେ। ଜୀବନରେ ଆନନ୍ଦ ଓ ସନ୍ତାଷ ଭରି ଯାଏ। ବ୍ୟକ୍ତିଗତ ବିକାଶ ସହିତ ସାମାଜିକ ଜୀବନକୁ ସୁସଂହତ କରେ। ଡଃ ନରମ୍ୟାନ ଭିନ୍ସେଣ୍ଟ ପିଲେଙ୍କ ସକାରାତ୍ମକ ଚିନ୍ତା ଉପରେ ରଚିତ ପୁସ୍ତକ କୋଟି କୋଟି ଲୋକଙ୍କର ଜୀବନଶୈଳୀ ବଦଳାଇ ଦେଇ ପାରିଛି। ହତାଶ ହୋଇ ପଡ଼ୁଥିବା ଲୋକେ ଆଶାବାଦୀ ହୋଇ କରୁଥିବା କାର୍ଯ୍ୟରେ ଅଶେଷ ଶ୍ରଦ୍ଧା ଓ ବିଶ୍ୱାସ ସ୍ଥାପନ କରିପାରିଛନ୍ତି। ସକାରାତ୍ମକ ଭାବ ପ୍ରତିପୋଷଣ କରିବା ସଫଳ ବ୍ୟକ୍ତିତ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ। ଏହା ବ୍ୟକ୍ତିକୁ କ୍ରିୟାଶୀଳ କରେ। ପ୍ରେରଣା ଯୋଗାଏ। ବ୍ୟକ୍ତିତ୍ୱରେ ସ୍ପନ୍ଦନ ଆଣେ।
ଶରତ ଚନ୍ଦ୍ର ପରିଡ଼ା
କାନନ ବିହାର-୨, ପଟିଆ,
ଭୁବନେଶ୍ୱର, ଦୂରଭାଷ: ୭୦୦୮୪୭୫୪୪୨
Comments are closed.