‘ସମାଜ’ ପ୍ରଭାବ: ଭିନ୍ନକ୍ଷମଙ୍କୁ ମିଳିଲା ୧୩ ମାସର ଭତ୍ତା

ହରଭଙ୍ଗା: ହରଭଙ୍ଗା ବ୍ଲକ ଦୁର୍ଗମ ମହାଲ୍ଲିକପଡ଼ା ପଞ୍ଚାୟତର ବାହାଲି ଗ୍ରାମର ଭିନ୍ନକ୍ଷମ କାମାକ୍ଷା ପ୍ରସାଦ ସାହୁ ଦୀର୍ଘ ୧୩ମାସ ହେଲା ସାମାଜିକ ସୁରକ୍ଷା ଯୋଜନାରେ ପାଉଥିବା ଭତ୍ତାରୁ ବଞ୍ଚିତ ହୋଇଥିଲେ। ଏନେଇ ଗତ ୨୦ତାରିଖ ‘ସମାଜ’ରେ ଏକ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ବୁଧବାର ସ୍ଥାନୀୟ ପିଇଓ ବିରଞ୍ଚି ପଣ୍ଡା ଏବଂ ସରପଞ୍ଚ ପ୍ରତିିନିଧିଙ୍କ ଉପସ୍ଥିତିରେ ଭିନ୍ନକ୍ଷମ କାମାକ୍ଷାଙ୍କୁ ୧୩ମାସର ଭତ୍ତା ବାବଦକୁ ୯ହଜା ଏକ ଶହଟଙ୍କା, କମଳ ବାବଦକୁ ୩ଶହ ଟଙ୍କା ଏବଂ ଚପଲ ବାବଦକୁ ଶହେ ଟଙ୍କା ମୋଟ ୯ହଜାର୪ଶହ ଟଙ୍କା ପଞ୍ଚାୟତ ଫଣ୍ଡରୁ ନଗଦ ପ୍ରଦାନ କରାଯାଇଛି। ଭତ୍ତା ପାଇବା ପରେ ଭିନ୍ନକ୍ଷମ କାମାକ୍ଷା ଖୁସି ବ୍ୟକ୍ତ କରିଛନ୍ତି।

ସୂଚନା ଥାଉ କି, ଆର୍ଥିକ ଅନିୟମିତତାକୁ ଦୃଷ୍ଟିରେ ରଖି ସରକାର ପ୍ରତ୍ୟେକ ହିତାଧିକାରୀଙ୍କୁ ସେମାନଙ୍କ ଜମାଖାତା ଜରିଆରେ ଭତ୍ତା ପ୍ରଦାନ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାତ୍ର ବହୁ ପଂଚାୟତରେ ହିତାଧିକାରୀଙ୍କୁ ମାସକୁ ମାସ ଟଙ୍କା ମିଳୁନଥିବା ଅଭିଯୋଗ ହେଉଛି। ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟିଦେଲେ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପାଇଁ ଆଉ ହଇରାଣ ଭୋଗିବାକୁ ପଡନ୍ତାନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।

ପ୍ରକାଶ ଥାଉ କି, ହରଭଙ୍ଗା ବ୍ଲକରେ ଜଣେ ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ଖାଲିପଡ଼ିଛି। ଯାହାର ଅତିରିକ୍ତ ଦାୟିତ୍ୱ ବ୍ଲକର ସମାଜ ସମ୍ପ୍ରସାରଣ ଅଧିକାରୀଙ୍କୁ ଦିଆଯିବା ପରିବର୍ତ୍ତେ ବିଭାଗୀୟ କିରାଣୀଙ୍କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱ ହସ୍ତାନ୍ତର ପରେ ଭତ୍ତା ଭଳି ସାମାଜିକ ସୁରକ୍ଷାରେ ବାରମ୍ବାର ଅନିୟମିତତା ନଜରକୁ ଆସୁଛି। ଜିଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ତୁରନ୍ତ ଏହି ପଦବୀ ପୂରଣ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments are closed.