ହଂକଂର ’ୱାଙ୍ଗ ଫୁକ୍ କୋର୍ଟ’ରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ସହରୀକରଣର ଏକ ନିଷ୍ଠୁର ସତ୍ୟକୁ ପଦାରେ ପକାଇ ଦେଇଛି। ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ବ ଜୀବନ ଯିବା ଏବଂ ଶହଶହ ଲୋକ ନିଖୋଜ ରହିବା ଘଟଣା ପ୍ରମାଣିତ କରୁଛି ଯେ, ବହୁତଳ ବିଶିଷ୍ଟ କୋଠାଗୁଡ଼ିକରେ ବିପଦ ଆସିଲେ ବଞ୍ଚିବା ଅସମ୍ଭବ ହୋଇଯାଏ। ପବନର ବେଗ ଏବଂ କୋଠାର ଗଠନ ଯୋଗୁଁଁ ନିଆଁ ମାତ୍ର କିଛି ମିନିଟ୍ ମଧ୍ୟରେ ଗୋଟିଏ କୋଠାରୁ ଅନ୍ୟ କୋଠାକୁ ବ୍ୟାପିଯାଇ ସମଗ୍ର ଅଞ୍ଚଳକୁ ଏକ ମୃତ୍ୟୁଯନ୍ତାରେ ପରିଣତ କରିଦେଇଥିଲା। ଏହା କେବଳ ହଂକଂର ଏକ ଖବର ନୁହେଁ, ବରଂ ଦ୍ରୁତ ଗତିରେ ନଭଶ୍ଚୁମ୍ବୀ ଅଟ୍ଟାଳିକା ଗଢ଼ି ଉଠୁଥିବା ଭାରତୀୟ ସହରଗୁଡ଼ିକ ପାଇଁ ମଧ୍ୟ ଏକ ଚେତାବନୀ।
ମୁମ୍ବଇ, ଦିଲ୍ଲୀ, ବେଙ୍ଗାଲୁରୁ ଓ କଲକାତା ପରି ଭାରତୀୟ ସହରଗୁଡ଼ିକରେ ଏବେ ଉଚ୍ଚ ଅଟ୍ଟାଳିକା ନିର୍ମାଣର ପ୍ରତିଯୋଗିତା ଚାଲିଛି। ଓଡ଼ିଶାର କଟକ-ଭୁବନେଶ୍ବର ଭଳି ସହରଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ ହେଲେଣି। ତେବେ ଭାରତୀୟ ସହରଗୁଡ଼ିକରେ ଥିବା ଜନସଂଖ୍ୟାର ଘନତା, ବୟସ୍କ ବାସିନ୍ଦା ଏବଂ ସୀମିତ ନିରାପତ୍ତା ବ୍ୟବସ୍ଥାକୁ ଦେଖିଲେ ହଂକଂ ଭଳି ବିପଦର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଉଚ୍ଚ କୋଠାଗୁଡ଼ିକରେ ବିପଦ ସମୟରେ ଲୋକେ ବାହାରିବାର ଏକମାତ୍ର ବାଟ ହେଉଛି ‘ଶିଡ଼ି’। କାରଣ ଅଗ୍ନିକାଣ୍ଡବେଳେ ଲିଫ୍ଟ ବନ୍ଦ କରାଯାଏ ଓ ଅନ୍ୟ ଉପାୟ ବିଶ୍ୱସନୀୟ ନୁହେଁ। ତେବେ ଜରୁରୀକାଳୀନ ପରିସ୍ଥିତିରେ ହଜାର ହଜାର ଲୋକ ଏକାସାଙ୍ଗରେ ଶିଡ଼ିରେ ଓହ୍ଲାଇବା ଅସମ୍ଭବ। ଭୟ, ଧୂଆଁ ଏବଂ ଅତ୍ୟଧିକ ଭିଡ଼ ଯୋଗୁଁଁ ଲୋକମାନେ ଫସି ଯାଆନ୍ତି। ବିଶେଷକରି ବୃଦ୍ଧବୃଦ୍ଧା, ଶିଶୁ ଏବଂ ଅସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ ଏହି ସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇପଡେ।
ବିଶ୍ୱର ଅନ୍ୟ ଦେଶମାନଙ୍କରେ ଏବେ ନିରାପତ୍ତା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଆପଣାଯାଉଛି। ଉଚ୍ଚ କୋଠାଗୁଡ଼ିକରେ ‘ରେଫ୍ୟୁଜ୍ ଫ୍ଲୋର୍’ ବା ଆଶ୍ରୟ ମହଲା ରହୁଛି, ଯାହା ନିଆଁ ଓ ଧୂଆଁ ନିରୋଧକ ଏବଂ ଯେଉଁଠି ଲୋକମାନେ ସମ୍ପୂର୍ଣ୍ଣ ତଳକୁ ନ ଓହ୍ଲାଇ ମଝିରେ ସୁରକ୍ଷିତ ଭାବେ ଆଶ୍ରୟ ନେଇପାରନ୍ତି। ଏହି ବ୍ୟବସ୍ଥା ଦୀର୍ଘ ଶିଡ଼ି ଓହ୍ଲାଇବାର ଚାପ କମାଇବା ସହ ବୟସ୍କ ଓ ଶାରୀରିକ ଅସୁବିଧା ଥିବା ଲୋକଙ୍କ ପାଇଁ ବିଶେଷ ସହାୟକ। ସେହିପରି ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ଉପଯୋଗୀ ଅତ୍ୟାଧୁନିକ ସ୍ୱତନ୍ତ୍ର ଲିଫ୍ଟର ବ୍ୟବହାର ମଧ୍ୟ ବାଧ୍ୟତାମୂଳକ ହେଉଛି, ଯାହା ବ୍ୟାକ୍ଅପ ବିଦ୍ୟୁତ୍ ଚାଳିତ। ଭାରତରେ ଉଚ୍ଚ ଅଟ୍ଟାଳିକା ନିୟମାବଳୀରେ ଏଭଳି ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ। ସରକାର ଏ ଦିଗରେ କଡ଼ାକଡ଼ି ନିୟମ ପ୍ରଣୟନ କରିବା ସହ ଏହା ପାଳନ ହେଉଛି କି ନାହିଁ ତାହା ଦେଖିବା ଜରୁରୀ।
ଏମିତି କି ପୁରୁଣା ବିଲ୍ଡିଂଗୁଡ଼ିକରେ ମଧ୍ୟ ଏହି ସୁରକ୍ଷା ବ୍ୟବସ୍ଥା ଯୋଡ଼ିବାର ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବା ଉଚିତ। ବଢୁଥିବା ଜନସଂଖ୍ୟା ଓ ଆଧୁନିକ ଜୀବନଶୈଳୀ ଲାଗି ସହରଗୁଡ଼ିକର ଭୂଲମ୍ବ ବିସ୍ତାର ହୁଏତ ଅପରିହାର୍ଯ୍ୟ, ମାତ୍ର ଏହା କୌଣସି ପରିସ୍ଥିତିରେ ମାନବ ସୁରକ୍ଷାର ମୂଲ୍ୟରେ ହେବା ଉଚିତ ନୁହେଁ। ହଂକଂର ଏହି ବିପର୍ଯ୍ୟୟ ଆମ ପାଇଁ ଏକ ସ୍ପଷ୍ଟ ଚେତାବନୀ। ଯଦି ଆମେ ଆଜି ଏହି ଚେତାବନୀକୁ ଗୁରୁତ୍ୱ ନଦେଉ, ତେବେ ଆମ ଦେଶର ସହରଗୁଡ଼ିକ କେତେବେଳେ ଏଭଳି ବିପତ୍ତିକୁ ଆମନ୍ତ୍ରଣ କରିବେ କହିହେବ ନାହିଁ।



