ରାଜେନ୍ଦ୍ର ପ୍ରସାଦ ସେ ସମୟରେ ଭାରତର ରାଷ୍ଟ୍ରପତି ଭାବରେ ଦାୟିତ୍ବ ନିର୍ବାହ କରୁଥାନ୍ତି। ରାଷ୍ଟ୍ରର ଶୀର୍ଷ ସ୍ଥାନୀୟ ବ୍ୟକ୍ତି ଭାବରେ ଦେଶବିଦେଶରୁ ବହୁ ଖ୍ୟାତନାମା ବ୍ୟକ୍ତି ପ୍ରତ୍ୟହ ତାଙ୍କୁ ସାକ୍ଷାତ କରିବାକୁ ଆସୁଥାନ୍ତି। ବିଦେଶରୁ ଆସିଥିବା ଜଣେ ବ୍ୟକ୍ତି ଏକଦା ତାଙ୍କୁ କାରୁକାର୍ଯ୍ୟ ଭରା ହାତୀଦାନ୍ତର ଏକ ସୁନ୍ଦର କଲମ ଉପହାର ଦେଇଥିଲେ। ରାଜେନ୍ଦ୍ର ପ୍ରସାଦଙ୍କର ଏହା ଅତି ପ୍ରିୟ ଥିଲା। ଏଥିରେ ପ୍ରତ୍ୟହ ସେ ଲେଖାଲେଖି କରୁଥିଲେ। କାର୍ଯ୍ୟାଳୟରେ ତୁଳସୀ ନାମକ ଜଣେ କର୍ମଚାରୀ ଟେବୁଲ ସଫା କରୁଥିବା ସମୟରେ ଅସାବଧାନତାବଶତଃ କଲମଟି ହାତରୁ ପଡ଼ି ଭାଙ୍ଗିଯାଇଥିଲା। ରାଜେନ୍ଦ୍ର ପ୍ରସାଦଙ୍କର ନଜରକୁ ଏହା ଆସିବା ପରେ ବହୁତ ଦୁଃଖ କରିଥିଲେ। ମର୍ମାହତ ହୋଇ ସଚିବଙ୍କୁ ଡାକି ନିର୍ଦେଶ ଦେଇଥିଲେ ତୁଳସୀଙ୍କୁ ତୁରନ୍ତ ତାଙ୍କ କାର୍ଯ୍ୟାଳୟ ସଫା ଦାୟିତ୍ବରୁ ଅବ୍ୟାହତି ଦେଇ ବଗିଚା କିମ୍ବା ସେହିଭଳି ଅନ୍ୟ କୌଣସି ଗୁରୁତ୍ବହୀନ ସ୍ଥାନରେ ନିଯୁକ୍ତି ଦିଆଯାଉ।
ନିର୍ଦେଶ ଅବିଳମ୍ବେ କାର୍ଯ୍ୟକାରୀ ହୋଇଥିଲା। ଦୁଇ/ଚାରିଦିନ କୌଣସି ପ୍ରକାରେ ବିତିଗଲା। ରାଜେନ୍ଦ୍ର ପ୍ରସାଦ ମାନସିକ ସ୍ତରରେ ଭାଙ୍ଗି ପଡ଼ିଲେ। କଲମ ଭାଙ୍ଗିଯିବା ଅପେକ୍ଷା ତୁଳସୀଙ୍କୁ ବିଦା କରିଦେବା ପାଇଁ ନିର୍ଦେଶ ଦେବାଟା ତାଙ୍କ ମାନସିକ ଅଶାନ୍ତିକୁ ବଢ଼ାଇ ଦେଇଥିଲା। ମନେମନେ ଭାବିବାକୁ ଲାଗିଲେ ତୁଳସୀ କେବେ ବି କୌଣସି ଗଲତି କାମ କରିନଥିଲେ। ଅସାବଧାନତାବଶତଃ ହୁଏତ ଏହା ଭାଙ୍ଗି ଯାଇଛି। ଏ ନିମନ୍ତେ ତାଙ୍କୁ ମୁଁ ଏଠୁ ହଟାଇ ଦେଇ ଗୁରୁତର ଭୁଲ କରିଛି। ଏହି ଭୁଲ ସୁଧାରିବା ଉଦ୍ଦେଶ୍ୟରେ ତୁଳସୀଙ୍କୁ ଡକାଇ ପଠାଇଥିଲେ। ଡରିଡରି ତୁଳସୀ ତାଙ୍କ ନିକଟକୁ ଆସି ମୁଣ୍ଡ ତଳକୁ କରି ଠିଆ ହେଲେ। ଭୟ ଆଶଙ୍କାରେ ମ୍ରିୟମାଣ ଥିଲେ ତୁଳସୀ। ମନକୁ ଆସିଲା ବୋଧହୁଏ କଠୋର ଦଣ୍ଡ ଦେଇ ଚାକିରିରୁ ବହିଷ୍କାର କରିଦେବେ। ତାଙ୍କୁ ଚକିତ କରି ରାଜେନ୍ଦ୍ର ପ୍ରସାଦ କହିଥିଲେ- ‘ତୁମକୁ ଏଠାରୁ ହଟାଇ ମୁଁ ବଡ଼ ଭୁଲ୍ କରିଛି। ଏହି ଭୁଲ ନିମନ୍ତେ ତୁମକୁ ମୋତେ କ୍ଷମା ଦେବାକୁ ପଡ଼ିବ। ତୁମେ ଏହିଠାରେ ହିଁ କାମ କରିବ। ଏବେ ମୋତେ କୁହ ଯେ- ମୁଁ ତୁମକୁ କ୍ଷମା କରିଦେଲି।’
ଏହା ଶୁଣି ତୁଳସୀ ସ୍ତବ୍ଧ ହୋଇ ଯାଇଥିଲେ। ତାଙ୍କର ଦୁଇ ଆଖି ଲୁହ ଛଳଛଳ ହୋଇଯାଇଥିଲା । ଭାବପ୍ରବଣ ହୋଇ ତାଙ୍କର ପାଦ ଦୁଇଟିକୁ ଧରିବାକୁ ଯାଉଥିଲାବେଳେ ରାଜେନ୍ଦ୍ର ପ୍ରସାଦ ତାଙ୍କୁ ଧରି ପକାଇ କହିଥିଲେ- ‘ଆରେ ଏ କ’ଣ କରୁଛ? ମୁଁ ତୁମ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ତୁମେ ଓଲଟା ମୋତେ ଦୋଷୀ କରିବାକୁ ଯାଉଛ? ଯେ ପର୍ଯ୍ୟନ୍ତ ମୋତେ କ୍ଷମା ନ ଦେଇଛ ମୁଁ ଏଇଠାରେ ଛିଡ଼ା ହୋଇ ରହିବି। ଅଗତ୍ୟା ତୁଳସୀଙ୍କୁ କହିବାକୁ ହୋଇଥିଲା- ‘ମୁଁ ଆପଣଙ୍କୁ କ୍ଷମା କରିଦେଲି।’ ରାଜେନ୍ଦ୍ର ବାବୁ ଏହା ଶୁଣି ଆଶ୍ବସ୍ତ ହୋଇ ତାଙ୍କୁ ଗଳାରେ ଲଗାଇ ଆଲିଙ୍ଗନ କରିଥିଲେ। ରାଷ୍ଟ୍ରପତିଙ୍କଠାରେ ଏଭଳି ମହାନୁଭବତାର ଶ୍ରେଷ୍ଠ ନିଦର୍ଶନ ଦେଖି ସେବକ ତୁଳସୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।



