ବଳି ପଡ଼ିଲେ ସାଆନ୍ତେ
ସବୁ ଶାସନରେ ‘ମାର୍ ମାର୍ ଭଣ୍ଡାରିଆକୁ ମାର୍’ରେ ବିଚରା ଭଣ୍ଡାରିଆ ଖାଲରେ ପଡ଼ିଥାନ୍ତି; ମାତ୍ର ଏଥର ଭଣ୍ଡାରି ନୁହଁ ସାଆନ୍ତେ ପଡ଼ିଯାଇଛନ୍ତି।
‘ଆଶୀର୍ବାଦ’ ଓ ‘ଅଭିଶାପ’, ସଦିଚ୍ଛା, ଶିଷ୍ଟାଚାର ଓ ଆଖିଲୁହର ଏକ ଅସହାୟ ବା ଅନ୍ତରଙ୍ଗ ପରିପ୍ରକାଶ। ମାତ୍ର ଆଜିର ବହୁ ଜନତାଙ୍କର ବିଶେଷତଃ ଯୁବ ସମାଜର ଧାରଣା। ‘ଶବ୍ଦ’ କ’ଣ ତା’ ବୁଝି ନଥିବା ଲୋକେ ଏମିତି ଅନଭିଜ୍ଞ ଓ ନିର୍ବୋଧ ଭାବାନୁଗତ ଥାଆନ୍ତି। ହେଲେ ବନ୍ଧୁକ ଗୁଳି ବା ବୋମାଠାରୁ କମ୍ ଶକ୍ତିଶାଳୀ ଏ ଅଭିଶାପ ନୁହଁ ଅଥବା ଅଭେଦ୍ୟ ଦୁର୍ଗଠାରୁ ସୁରକ୍ଷା ଓ ନିରାପତ୍ତାରେ ଓ ବିକାଶରେ ଟିକିଏ ବି କମ୍ ନୁହେଁ। ଆମ ଦେଶରେ ଶକ୍ତିଦାତ୍ରୀ ଦେବୀ ଆରାଧନାବେଳେ କୁହାଯାଏ, ‘ଅଥାନନ୍ଦମୟୀ ସାକ୍ଷାତ୍ ସର୍ବବ୍ରହ୍ମ ସ୍ବରୂପିଣୀ’। ସର୍ବଶକ୍ତିମତି ମା’ ଶବ୍ଦ-ବ୍ରହ୍ମ ସ୍ବରୂପ ମାତ୍ର। ଏହାର ବିଶେଷ ଅବତାରଣାର ପରିସର ଏଠାରେ ନାହିଁ। ତେବେ ଆମ ଶାସ୍ତ୍ରପୁରାଣ, ମନ୍ତ୍ରତନ୍ତ୍ରରେ ଓ ସଂସ୍କୃତିରେ ଶବ୍ଦ ବ୍ରହ୍ମର ରୂପାନ୍ତରିତ ଭାଷା ବା ଶବ୍ଦ ହେଉଛି ଆଶୀର୍ବାଦ ଓ ଅଭିଶାପ। ତେଣୁ ଶବ୍ଦ ପ୍ରୟୋଗ ତା’ର ଶକ୍ତି ଆହରଣ ଓ ପ୍ରୟୋଗ ପାଇଁ ‘ମୌନବ୍ରତ’ ଆଦି ପ୍ରଚଳିତ ଥିଲା। କମ୍ କହୁଥିବା ଲୋକ ଜୀବନରେ ଅପମାନ ଅପଦସ୍ତରୁ ଯେମିତି ରକ୍ଷା ପାଉଥିଲା ତା’ର ପଟାନ୍ତର ନାହିଁ। ଗାନ୍ଧୀଙ୍କର ମୌନବ୍ରତ ଏକ ଅସାଧାରଣ ଶକ୍ତି ଥିଲା। ବହୁ ମୁନିଋଷି ବାରବର୍ଷ ମୌନବ୍ରତ ପାଳନର ଅସାଧାରଣ ଉଦାହରଣ ବନିଛନ୍ତି। ଛାଡ଼ନ୍ତୁ ସେ କଥା, ଏଣୁତେଣୁ ଲଗାମଛଡ଼ା ଭାଷା ପ୍ରୟୋଗ କଲେ ତା’ କି କୁପରିଣତି ମେଣ୍ଢେଇ ଥାଏ, ଏକ ଆଧୁନିକ ଓ ଉତ୍ତୁଙ୍ଗ ବୁନିଆଦିର ଶ୍ରୀ ରାହୁଳ ଗାନ୍ଧୀଙ୍କୁ ଜେଲ୍ ଦଣ୍ଡାଦେଶରୁ ପ୍ରମାଣିତ ହୋଇଯାଇଛି। ନେହେରୁ, ଇନ୍ଦିରା ଗାନ୍ଧୀ ପରିବାରର ଏ ଝଲସିଆ ନେତାଙ୍କ ନିର୍ବାଚନ ସଫଳତା ପାଇଁ ତାଙ୍କ ଭାଷଣ ଶୈଳୀ ଅପେକ୍ଷା ତାଙ୍କ ତ୍ୟାଗପୂତ ବୁନିଆଦିର ପ୍ରଭାବ ବୋଲି କୁହାଯିବ। ବୈପ୍ଳବିକ ପରିବର୍ତ୍ତନ ବା ବିକାଶ ପାଇଁ ଢେର ଇତିହାସ ରଚିଥିବା ଏ ଦୁଇ ଦିବଂଗତ ନେତା ତାଙ୍କ ଜିହ୍ବା ସ୍ଖଳନର ଗୋଟିଏର ଦୋଷୀ ବନି ନ ଥିଲେ। ମାତ୍ର ରାହୁଳଙ୍କ ଦାଢ଼ୁଆ ଓ ଅଶିଷ୍ଟାଚାର ଆକ୍ଷେପ ଏଇ ଶବ୍ଦ ବ୍ରହ୍ମର ଅପପ୍ରୟୋଗ ମାତ୍ର ଥିଲା। ଶବ୍ଦବ୍ରହ୍ମ ତ ଅଯଥାର୍ଥ ହେଲେ ବୁମେରାଂ ବନିଥାଏ। ଏ କଥା ବି ବହୁ ଭାବେ ଅତୀତରେ ଯେମିତି ପ୍ରମାଣିତ ହୋଇଛି ଆଜି ବି ସେ ପ୍ରମାଣର ରାହୁଳଙ୍କ ପରି ବହୁ ଉଦାହରଣ ଅଛି। ରାହୁଳଜୀ କାହାକୁ ମାରିନାହାନ୍ତି, ଧକ୍କା, ପେଲା ବି କରିନାହାନ୍ତି। ଅତି ବଡ଼ରେ ତାତିଲା ପାଣି। ତାହା କ’ଣ ଘରକୁ ପୋଡ଼ିପାରିବ? ମାତ୍ର ଶବ୍ଦ ବ୍ରହ୍ମ, ବିନା ବାରୁଦ, ରଞ୍ଜକରେ ନିଆଁ ଲଗେଇ ଦିଏ। ଅଦାଲତୀୟ ରାୟରେ ବହୁଚର୍ଚ୍ଚିତା ମୁଖ୍ୟମନ୍ତ୍ରୀ ଜୟଲଳିତା ୨୦୦୦ ମସିହାରେ ଦୁର୍ନୀତି ମାମଲାରେ ଜେଲ୍ ଯାଇଥିଲେ। ତା’ପରଠୁ ପ୍ରାୟ ୨୦ଜଣ ବିଧାୟକ ଓ ଶାସକ ଅଦାଲତି ରାଏରେ ସ୍ବ ସ୍ବ ସଭ୍ୟପଦ ହରାଇ ବଡ଼ଲୋକଙ୍କୁ ଉତ୍ତର ନାହିଁ କଥାର ଶାଣ ଭାଙ୍ଗି ଦେଇଛନ୍ତି। ମାତ୍ର ଖାଲି କଥାରେ କୋଉ ଜ୍ଞାନୀ, ମାନୀ କି ନିର୍ବୋଧ ଜେଲ୍ ଯାଇଛି? ମାନହାନି ମୋକଦ୍ଦମାରେ ଗାଳିଫଜିତ ଭଳି ଘଟଣା ଅାଇନରେ ଢେର ଗୁରୁତ୍ବ ଲଭେ। କୁହାଯାଇଛି, ‘ଟଙ୍ଗ୍ ଇଜ୍ ସାର୍ପର ଦାନ୍ ସୋର୍ଡ’। ସେ ଯାହାହେଉ ହିଡ଼ଭଙ୍ଗା ଏ ଦୋଷ ପାଇଁ ବଡ଼ବଡ଼ିଆ କେବେ ଦଣ୍ଡିତ ହୁଅନ୍ତି? ବଡ଼ବଡ଼ିଆଙ୍କ ସମ୍ପୃକ୍ତ ସବୁ ଘଟଣାକୁ ଅନ୍ୟ ଆଡ଼େ ମୁହାଁଇ ଦିଆଯାଏ। ତେଣୁ ଢଗ ଅଛି, ‘ମାର୍ ମାର୍ ଭଣ୍ଡାରିଆକୁ ମାର୍’। ଆଗରୁ ମୋଦିଜୀ ନିଜକୁ ଦେଶର ଚୌକିଦାର କହିଥିବାବେଳେ ରାହୁଳ ତାଙ୍କ ଆକ୍ଷେପରେ ସବୁ ଚୌକିଦାର ଚୋର ବୋଲି କହିଥିଲେ। ଏହା ସାମ୍ବିଧାନିକ ବାକ୍ ସ୍ବାଧୀନତାର ବିରୁଦ୍ଧାଚରଣ କରେ। ତେବେ ଏଥର ସେ ‘ସବୁ ମୋଦୀ ଚୋର’ ସହ ପ୍ରଧାନମନ୍ତ୍ରୀଙ୍କୁ ବି ମିଶେଇ ଦେଇଥିଲେ। ଫଳରେ ଆଉ ଜଣେ ମୋଦୀ ଅଦାଲତରେ ଆଶ୍ରୟ ନେଲେ। ଲାଲୁ ଯାଦବଙ୍କୁ ଜେଲ୍ ଦଣ୍ଡାଦେଶ ବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେବାକୁ ଏକ ଚିଠା ଅଧ୍ୟାଦେଶ ପ୍ରସ୍ତାବ ପାର୍ଲାମେଣ୍ଟରେ ଆଣିଥିଲେ। ମାତ୍ର ରାହୁଳ ଏହାକୁ ଚିରି ଦେଇ ଦଳୀୟ ସମ୍ମାନକୁ କ୍ଷତ ପହଞ୍ଚାଇଥିଲେ। ତେବେ ତାଙ୍କୁ କହିବ କିଏ? ମନମୋହନଙ୍କ ସେ ଅଧ୍ୟାଦେଶ ଚିଠା ପ୍ରସ୍ତାବକୁ ରାହୁଳଜୀ ସେତେବେଳେ ଚିରି ନଥିଲେ ଅଦାଲତ ରାଏରେ ଜଣେ ଲୋକପ୍ରତିନିଧି ତା’ ସଭ୍ୟପଦ ହରାଇ ନଥାନ୍ତା। ମାତ୍ର ତାଙ୍କ ସମର୍ଥିତ ପୂର୍ବ ବ୍ୟବସ୍ଥା ଅନୁସାରେ ସେ ଏଥିରେ ଜେଲ୍ ଯିବାର ଦଣ୍ଡାଦେଶ ପାଇଲେ ଓ ପାର୍ଲାମେଣ୍ଟ ସଚିବାଳୟ ତାଙ୍କ ସଭ୍ୟପଦ ନାକଚ କରିଦେଲେ। ‘ଆପଣା ହସ୍ତେ ଜିହ୍ବାଛେଦି’, ଏ ଦଣ୍ଡକୁ ଅଦାଲତରେ ରୋକିବାକୁ ସେ ତୁରନ୍ତ ପ୍ରତିଶୋଧାତ୍ମକ ଆଦେଶ ଆଣିପାରିଥାନ୍ତେ ବା ଅଦାଲତ ପ୍ରଦତ୍ତ ସୁଯୋଗରେ ଏହା ଆକସ୍ମିକ କହି ଦୁଃଖ ପ୍ରକାଶ କରି ଏ ସବୁ ବାତ୍ୟାକୁ ଫୁରୁସାଇ ଦେଇପାରିଥାନ୍ତେ। କାଉଁରିଆ କାଠି ସେ ଭାଙ୍ଗିବେ ପଛେ ନଇଁବେ ନାଇଁ, ତେବେ ଏମିତି ସବୁ ଗହନ ଶାସନରେ ‘ମାର୍ ମାର୍ ଭଣ୍ଡାରିଆକୁ ମାର୍’ରେ ବିଚରା ଭଣ୍ଡାରିଆ ଖାଲରେ ପଡ଼ିଥାନ୍ତି, ମାତ୍ର ଏଥର ଭଣ୍ଡାରି ନୁହଁ ଖୋଦ୍ ସାଆନ୍ତେ ମାଡ଼ ଖାଇଯାଇଛନ୍ତି।
Comments are closed.