www.samajalive.in
Wednesday, December 10, 2025
18.1 C
Bhubaneswar

ପତିଆରା ଲଢ଼େଇର ନୂଆ ରୂପ

ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଲା। ଆଗକୁ ପୁଣି ଏକ ଲମ୍ବା ଖେଳ ଖେଳିବା ପାଇଁ ଆମେରିକା ଓ ରୁଷର କୂଟନୈତିକ ଗୋଟି ଚାଳନାରୁ ସ୍ପଷ୍ଟ ହୋଇଛି। ହଠାତ୍‌ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ କିବ୍‌ରେ ଉପସ୍ଥିତି ଓ ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ନିର୍ଣ୍ଣାୟକ ଯୁଦ୍ଧ ଘୋଷଣା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ୟୁକ୍ରେନ୍‌କୁ ବାଇଡେନଙ୍କ ୫୦କୋଟି ଡଲାର ସହାୟତା ଘୋଷଣା ସାଙ୍ଗକୁ ରୁଷର ଶକ୍ତି ଓ ସାମର୍ଥ୍ୟକୁ ଆହ୍ବାନ ଦେଲାଭଳି ନକାରାତ୍ମକ ଟିପ୍‌ପଣୀ ବାତାବରଣକୁ ସରଗରମ କରିଦେଇଛି। ଏହାର ତୁରନ୍ତ ପ୍ରତିଫଳନ ହେଲା, ଆମେରିକା ସହ ପରମାଣୁ ଚୁକ୍ତି ରୁଷ ରଦ୍ଦ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଓହରି ଯିବନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇ ରାଷ୍ଟ୍ର ମଧ୍ୟରେ ୨୦୧୦ରେ ସ୍ବାକ୍ଷରିତ ହୋଇଥିବା ‘ନ୍ୟୁ ଷ୍ଟାର୍ଟ ଟ୍ରିଟି’ର ମିଆଦ ୨୦୨୧ରେ ଆଉ ୫ବର୍ଷ ଉଭୟ ପକ୍ଷଙ୍କ ସହମତିରେ ବୃଦ୍ଧି ପାଇଥିଲା। ଶୀତଳଯୁଦ୍ଧର ଅବସାନ ପରେ ପାରମାଣବିକ ପରୀକ୍ଷଣ ଉପରେ ଏହି ଚୁକ୍ତିର ଯେଉଁ କଟକଣା ଥିଲା ତାହା ଅକାମୀ ହୋଇଗଲା। ଆମେରିକା ପରମାଣୁ ପରୀକ୍ଷା କଲେ ରୁଷ ମଧ୍ୟ ଅନୁରୂପ ପଦକ୍ଷେପ ନେବ ବୋଲି ପୁଟିନ୍‌ କହିଛନ୍ତି। ସେ ଯାହା ହେଉ ଏହା ଫଳରେ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ପୁଣି ଏକ ନୂଆ ରୂପ ନେବ। କିବ୍‌ରେ ବାଇଡେନ୍‌ଙ୍କ ଉପସ୍ଥିତି ଓ ପୁଟିନ୍‌ଙ୍କ ପ୍ରତିକ୍ରିୟା ତଥା ପଦକ୍ଷେପ ସମଗ୍ର ବିଶ୍ବକୁ ପୁଣି ଏକ ମହାବିପଦ ଆଡ଼କୁ ଟାଣିନେଉଛି। ଏହି ଯୁଦ୍ଧର ପରିଣାମ ଓ ପରିଣତି ଯାହାହେଉ ନା କାହିଁକି ୟୁକ୍ରେନ୍‌ର ବିସ୍ତୃତ ଅଞ୍ଚଳ ଯେ ଧ୍ବଂସସ୍ତୂପରେ ପରିଣତ ହୋଇଛି ତାହା ସ୍ବୀକାର କରିବାକୁ ହେବ। ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଆର୍ଥିକ କଟକଣା ପ୍ରୟୋଗ ସତ୍ତ୍ବେ ରୁଷର ଆର୍ଥିକ ଶକ୍ତି ଓ ସାମର୍ଥ୍ୟ ଉପରେ ସେଭଳି ପ୍ରତିକୂଳ ପ୍ରଭାବ ପକାଇପାରିନାହିଁ। ଅନ୍ୟ ପକ୍ଷରେ ସମଗ୍ର ବିଶ୍ବରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥାର ଶିକାର ହୋଇଛନ୍ତି ଆମେରିକା ଓ ତାହାର ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରସମୂହ। ତେଣୁ ଯୁଦ୍ଧର ଅବସାନ ବା ସମାଧାନ ଯେତେ ଶୀଘ୍ର ହେବ ତାହାର ପାର୍ଶ୍ବ ପ୍ରତିକ୍ରିୟାରୁ ସବୁ ପକ୍ଷ ବର୍ତ୍ତିଯିବେ ବୋଲି ପର୍ଯ୍ୟବେକ୍ଷକ ମହଲ ମତବ୍ୟକ୍ତ କରିଆସିଛନ୍ତି।
ବାଇଡେନଙ୍କ ଏହି କୂଟନୈତିକ ପଦକ୍ଷେପର ସୁଯୋଗ ନେବା ସକାଶେ ଚୀନ ତାହାର ବରିଷ୍ଠ କୂଟନୀତିଜ୍ଞଙ୍କୁ କ୍ରେମଲିନ୍‌ଙ୍କୁ ପ୍ରେରଣ କରିଛି। କୂଟନୀତିଜ୍ଞ ୱାଙ୍ଗ ୱିଙ୍କ ସହ ପୁଟିନ୍‌ଙ୍କ ସାକ୍ଷାତ ଆଲୋଚନା ବେଶ୍‌ ଅର୍ଥପୂର୍ଣ୍ଣ। କୋଭିଡ୍‌ କାରଣରୁ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଚୀନ ସେଥିରୁ ମୁକୁଳିବା ସକାଶେ ରୁଷ ସହ ତାହାର ବାଣିଜ୍ୟିକ ସମ୍ପର୍କ ବୃଦ୍ଧି କରିବାକୁ ଚାହେଁ। ତାହା ୨୦୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୟୁକ୍ରେନ୍‌ ସହ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷକୁ ସାମରିକ ସହାୟତା ଚୀନ ଯୋଗାଇବାର ସୂଚନା ହସ୍ତଗତ ହୋଇଛି। ଆମେରିକାର ଚେତାବନୀ ସତ୍ତ୍ବେ ଖୁବ୍‌ଶୀଘ୍ର ଜିନ୍‌ପିଙ୍ଗ୍‌ ରୁଷ ଗସ୍ତରେ ଯାଇ ଏ ସଂକ୍ରାନ୍ତ କଥାବାର୍ତ୍ତାକୁ ଚୂଡ଼ାନ୍ତ ରୂପ ଦେବାର ସମ୍ଭାବନା ଅଛି। ଏଥିମଧ୍ୟରେ ପୁଟିନ୍‌ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ୍‌ ବିରୋଧରେ ଯୋଜନାବଦ୍ଧ ଆକ୍ରମଣ ଜାରି ରହିବ। ଯୁଦ୍ଧ କ୍ଷେତ୍ରରେ ରୁଷକୁ ହରାଇବା ଅସମ୍ଭବ ବୋଲି ମନ୍ତବ୍ୟ ଦେଇ ସେ କହିଛନ୍ତି, ଯେକୌଣସି ପ୍ରକାର ସ୍ଥିତିର ସମ୍ମୁଖୀନ ହେବାର ସାମର୍ଥ୍ୟ ରୁଷ୍‌ର ଅଛି। ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରୁଷର ଉଦ୍ୟମ ବ୍ୟର୍ଥ ହୋଇଛି ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟ ସକାଶେ। ସେମାନେ କ୍ରିମିଆକୁ ଆକ୍ରମଣ କରିବାର ଯେଉଁ ଯୋଜନା କରିଥିଲେ ତାହାକୁ ୟୁକ୍ରେନ୍‌ ବିରୋଧୀ କଠୋର ଆଭିମୁଖ୍ୟ ମାଧ୍ୟମରେ ବ୍ୟର୍ଥ କରିଛନ୍ତି ବୋଲି ପୁଟିନ୍‌ ମନ୍ତବ୍ୟ ଦେଇଛନ୍ତି।
ଗତ କିଛିଦିନରେ ଘଟଣାବଳୀରୁ ଏ କଥା ସ୍ପଷ୍ଟ ଯେ ରୁଷ-ୟୁକ୍ରେନ୍‌ ବିବାଦ ଏକ ବୈଶ୍ବିକ ରୂପ ନେବାକୁ ଯାଉଛି। ସମଗ୍ର ବିଶ୍ବ ଜନସମୁଦାୟକୁ ବାଜିରେ ଲଗାଇ ଏହି ଯେଉଁ ଅହଂକାର ଲଢ଼େଇ ଚାଲିଛି ସେଥିରେ ଯାହାର ହାରଜିତ୍‌ ହେଉନା କାହିଁକି ତୃତୀୟ ବିଶ୍ବ ଭୟଙ୍କର ଦୁର୍ଗତିର ସମ୍ମୁଖୀନ ହେବା ଏକପ୍ରକାର ନିଶ୍ଚିତ। ବାଇଡେନ୍‌ଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ପରେ କୂଟନୈତିକ ଭାରସାମ୍ୟରେ ବଡ଼ଧରଣର ପଟ ପରିବର୍ତ୍ତନ ହେବା କିଛି ବିଚିତ୍ର ନୁହେଁ। ଯେଉଁ ଶକ୍ତି ନିରବରେ ବସି ଯୁଦ୍ଧ ଘନଘଟାକୁ ଅନୁଧ୍ୟାନ କରୁଥିଲେ ଶେଷରେ ସେମାନେ କୌଣସି ଗୋଟିଏ ପକ୍ଷକୁ ଆଦରି ନେଇପାରନ୍ତି। ଆମର ଏଠାରେ କହିବାର କଥା ଦୁଇପକ୍ଷ ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ଅନ୍ୟମାନେ ପକ୍ଷଭୁକ୍ତ ହୋଇ ପରିସ୍ଥିତିକୁ ଅଧିକ ଜଟିଳ ନ କରନ୍ତୁ। ସୋଭିଏତ ବିଭାଜନ ଓ ପୂର୍ବ ୟୁରୋପର କମ୍ୟୁନିଷ୍ଟ ଦୁର୍ଗ ପତନ ପରେ ଶୀତଳଯୁଦ୍ଧର ଅବସାନ ଘଟିଲା। ନାଟୋର ପ୍ରତିଦ୍ବନ୍ଦ୍ବୀ ୱାର୍ସ ମେଣ୍ଟ ନିଶ୍ଚିହ୍ନ ହୋଇଗଲା। ଏତେ କଥା ପରେ ବି ଅହଂକାରର ପାଉଁଶ ତଳ ନିଆଁ ଏବେ ବି ବିଘଟନ ଘଟାଇବାକୁ ଦିକ୍‌ଦିକ୍‌ ହୋଇ ଜଳିବା ଆରମ୍ଭ କରିଛି। ଏହା ସମଗ୍ର ବିଶ୍ବକୁ ନ ବ୍ୟାପୁ। ବିଶ୍ବ ଅର୍ଥନୀତିରେ ନୂଆ ଖେଳାଳିଙ୍କ ଆବିର୍ଭାବ ପରେ ବଜାର ଅକ୍ତିଆର ପାଇଁ ବେପାର ବଣିଜର ପ୍ରତିଯୋଗିତା ଚାଲିଥିବାବେଳେ କାହାକୁ ନାଲିଆଖି ଦେଖାଇ କରାୟତ୍ତ କରିବା ସମ୍ଭବ ନୁହେଁ। ବଜାରର ଆବଶ୍ୟକତାକୁ ଚାହିଁ ଉତ୍ପାଦ ପ୍ରସ୍ତୁତି ମାଧ୍ୟମରେ ବିଭିନ୍ନ ବଜାରକୁ ଦଖଲ କରିବା ହେଉଛି ସମୟର ଆବଶ୍ୟକତା। ସେହି ଦୃଷ୍ଟିରୁ ବିଚାର କଲେ ମାନ୍ଦା ପଡ଼ିଥିବା ଯୁଦ୍ଧାସ୍ତ୍ରବଜାରର ଆବଶ୍ୟକତାକୁ ଲକ୍ଷ୍ୟ କରି ଏହି ଯୁଦ୍ଧ ଚାଲିନାହିଁ ତ! ତେବେ ଏଠାରେ ଏତିକି କୁହାଯାଇପାରେ, ବହୁତ ହୋଇଗଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ୁ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories