ବିଜେପିର ବାହୁଡ଼ା ବିଜୟ

ଚାରିଟି ରାଜ୍ୟରେ ବିଜେପି ଓ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିର ଐତିହାସିକ ବିଜୟ ଭାରତୀୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିବ

prayash

ଗୁରୁବାର ପ୍ରକାଶ ପାଇଥିବା ପାଞ୍ଚଟି ରାଜ୍ୟର ଫଳାଫଳ ପ୍ରାୟତଃ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ୍‌ ବାହୁଡ଼ା ମତ ଆଧାରରେ କରାଯାଇଥିବା ପୂର୍ବାନୁମାନ ଅନୁରୂପ ହୋଇଛି। ପାଞ୍ଚଟି ରାଜ୍ୟ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି) ଚାରିଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ଚମତ୍କାର ପ୍ରଦର୍ଶନ ସହ ବାହୁଡ଼ା ବିଜୟ ହାସଲ କରି ପୁନଃ କ୍ଷମତାସୀନ ହେବା ନିଶ୍ଚିତ। କଂଗ୍ରେସ ହାତରୁ ପଞ୍ଜାବକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଛଡ଼ାଇ ଆଣି ଦିଲ୍ଲୀ ପରେ ଯଥାର୍ଥରେ ଏକ ଐତିହାସିକ ବିଜୟ (୧୧୭ରୁ ୯୨ଟି ଆସନ) ଲାଭ କରିଛି ଏବଂ ନିଜକୁ ସବୁଠୁ ଶକ୍ତିଶାଳୀ ଅଣ-ବିଜେପି ଓ ଅଣ-କଂଗ୍ରେସ ବିରୋଧୀ ଦଳ ଭାବେ ପ୍ରତିପାଦିତ କରିବା ସହ ଜାତୀୟ ସ୍ତରରେ ନିଜର ପ୍ରତିଷ୍ଠାକୁ ଆଉ ପାଦେ ଆଗେଇନେବାରେ ସଫଳ ହୋଇଛି। ଦରବୃଦ୍ଧି, ବେକାରୀ, କୋଭିଡ଼ ମହାମାରୀର ଅନୁଚିତ ପରିଚାଳନା, କୃଷି ସଙ୍କଟ ଓ କୃଷକ ଆନ୍ଦୋଳନ ଇତ୍ୟାଦି ସତ୍ତ୍ବେ ବିଜେପି ସପକ୍ଷରେ ଚାରି ରାଜ୍ୟର ଜନାଦେଶ, ଭାରତୀୟ ରାଜନୀତି ଦକ୍ଷିଣପନ୍ଥ ଆଡ଼କୁ ଢଳିବାର ଯେ ସ୍ପଷ୍ଟ ସନ୍ଦେଶ ଦେଇଛି ସେଥିରେ ଆଉ ସନ୍ଦେହ ନାହିଁ। ବିଗତ ଆଠ ବର୍ଷ ମଧ୍ୟରେ ଏହି ଗୈରିକ ଦଳ ନିଜର ସମସ୍ତ ବିରୋଧୀ ଦଳଙ୍କୁ, ବିଶେଷତଃ ସର୍ବପୁରାତନ ଜାତୀୟ ଦଳ କଂଗ୍ରେସକୁ ରସାତଳକୁ ଠେଲିଦେଇ ଅର୍ଥ ଓ ଲୋକବଳ ଉଭୟରେ ବଳୀୟାନ ହେବା ସହ ଜନମତକୁ ନିଜ ସପକ୍ଷକୁ ନେବାରେ ସମର୍ଥ ହୋଇଛି। ଏହାର ବିପରୀତ, କଂଗ୍ରେସ ତା’ର ତ୍ରୁଟିବିଚ୍ୟୁତିରୁ ଶିଖିବା ପରିବର୍ତ୍ତେ ନିଜ ସଂଗଠନକୁ ଅଧିକ ଦୁର୍ବଳ କରିଚାଲିଛି ଏବଂ ଆଦର୍ଶଗତ ଅସ୍ପଷ୍ଟତା, ନୈତିକ ସାହସର ଅଭାବ ଓ ଦୁର୍ବଳ ନେତୃତ୍ବ ତାକୁ ନିଶ୍ଚିତ ପରାଜୟ ଆଡ଼କୁ ଟାଣି ନେଉଛି। ପୂର୍ବରୁ ଆପ୍‌ ଓ ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍‌ପି) ବିଜେପି ସହ ଲଢ଼ିବାର ସାହସ ପ୍ରଦର୍ଶନ କରିବାରୁ ସେମାନଙ୍କୁ ତା’ର ସୁଫଳ ମିଳିଛି। ଏଥର ନିର୍ବାଚନରେ ସମାଜବାଦୀ ପାର୍ଟି ବିଜେପିଠାରୁ ପଛରେ ପଡ଼ିଛି ସତ; କିନ୍ତୁ ଭୁଲିଯିବା ଅନୁଚିତ ଯେ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଓ ତା’ର ସହଯୋଗୀ ଦଳ ଏକ ବୃହତ୍‌ ବିଜୟ ସହ ସରକାର ଗଢ଼ିଥିଲେ ଏବଂ ଏଥର ୪୮ଟି ଆସନ କମିଥିବାବେଳେ ଏସ୍‌ପିର ଭୋଟ ଭାଗ ଗତ ନିର୍ବାଚନଠାରୁ ପ୍ରାୟ ଦୁଇଗୁଣ ହୋଇଛି।
ଉତ୍ତର ପ୍ରଦେଶ ଓ ଅନ୍ୟ ତିନି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜୟ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିକୁ ଅଧିକ ବଳ ଯୋଗାଇବ ନିଶ୍ଚିତ। ବିଶେଷତଃ, ଉତ୍ତରପ୍ରଦେଶରେ ଏହି ଦଳର କ୍ରମାଗତ ବିଜୟ ଏଇଥିପାଇଁ ମଧ୍ୟ ଉଲ୍ଲେଖନୀୟ ଯେ ଗତ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ କାଳ କୌଣସି ଦଳ ଏପରି କରିପାରି ନଥିବାବେଳେ ସେହି ଧାରାକୁ ଏହା ଭାଙ୍ଗିଦେଇଛି। ସମାଜବାଦୀ ପାର୍ଟି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ମଧ୍ୟବର୍ଗକୁ ନେଇ ଏକ ବଡ଼ ସଂଗଠନ ଗଢ଼ିବା ସହ ଜନସାଧାରଣଙ୍କୁ ଯେପରି ନିଜର ନିର୍ବାଚନ ସଭାକୁ ଆକର୍ଷିତ କରିପାରିଥିଲା, ସେଥିରୁ ଅନେକ ଭାବୁଥିଲେ ​‌େ​‌ଯ ୨୦୧୪, ୨୦୧୭ ଓ ୨୦୧୯ ପରି ଏଥର ବିଜେପିର ଭୋଟଭାଗ କମିଯିବ; କିନ୍ତୁ ତାହା ହୋଇନାହିଁ; ବରଂ ଏହା ବଢ଼ିଛି। ବିଗତ ଆଠ ବର୍ଷ ମଧ୍ୟରେ ଦଳ ଚାରିଥର ୪୦ ଶତାଂଶ ଭୋଟ ହାସଲ କରିବା କମ୍‌ ବିସ୍ମୟକର ନୁହେଁ। ୧୯୮୯ ପରେ ଆଉ କୌଣସି ଦଳ ଏପରି ସଫଳତା ପାଇନାହାନ୍ତି। ଏପରିକି ବିଏସ୍‌ପି-ଏସ୍‌ପି ମେଣ୍ଟ ମଧ୍ୟ ୩୦ ଶତାଂଶରୁ ଅଧିକ ଭୋଟ ପାଇନଥିଲା। ବିଜେପିର ସଫଳତା ପଛରେ ଯୋଗୀ-ମୋଦୀ ପ୍ରଭାବକୁ ଅଣଦେଖା କରିହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସ୍ତରରେ ନିଜର ଭାବମୂର୍ତ୍ତିକୁ ସର୍ବୋଚ୍ଚ ସ୍ଥାନରେ ସ୍ଥାପିତ କରିସାରିଥିବାବେଳେ ଯୋଗୀ ଆଦିତ୍ୟନାଥ ବିଜେପିର ରାଜନୈତିକ ଆକାଶରେ ଏକ ଉଳମୟ ତାରକା ରୂପେ ଉଭା ହୋଇଛନ୍ତି। ତାଙ୍କ ଶାସନ ପଦ୍ଧତି ବିବାଦୀୟ ହେଲେ ହେଁ ଲୋକମତକୁ ନିଜ ପଟକୁ ଆଣିବାରେ ଶ୍ରୀ ମୋଦୀଙ୍କ ସମକକ୍ଷ ହୋଇପାରି​ବେ‌ ବୋଲି ପ୍ରମାଣିତ କରିଛନ୍ତି। ଅନେକ ଦୁର୍ବଳତା ସତ୍ତ୍ବେ ହିନ୍ଦୁତ୍ବବାଦୀ ବିଚାରକୁ କଠୋର ଭାବେ କାର୍ଯ୍ୟକାରୀ କରାଇବା ଓ ଜନତାଙ୍କୁ ​‌େ​‌ରସନ ପ୍ରଦାନ ପରି ଜନମଙ୍ଗଳ କାର୍ଯ୍ୟକ୍ରମ ପ୍ରଣୟନ ତାଙ୍କ ବିଜୟର ପଥକୁ ପ୍ରଶସ୍ତ କରିଛି। ସର୍ବୋପରି ଗଣମାଧ୍ୟମରେ ନୈତିକ-ଅନୈତିକ ଭାବେ ନିଜ ସପକ୍ଷରେ ଏବଂ ବିରୋଧୀଙ୍କ ବିରୋଧରେ ଅହରହ ପ୍ରଚାର କରି ଜନମତକୁ ନିଜ ସପକ୍ଷକୁ ନେବାରେ ବିଜେପିର କୌଶଳ ଅପ୍ରତିରୋଧ୍ୟ। ଉତ୍ତରାଖଣ୍ଡରେ ବିଜେପି ତିନି-ଚତୁର୍ଥାଂଶ ଆସନ (୭୦ରୁ ୪୮) ଜିଣି ଇତିହାସ ରଚିବା ସହ ଉତ୍ତରପ୍ରଦେଶ ପରି କ୍ରମାଗତ କ୍ଷମତାସୀନ ହେବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିର୍ବାଚନରେ ପରାଜିତ ହୋଇଥିଲେ ହେଁ ଏହି ବିପୁଳ ବିଜୟର ପୂର୍ବାନୁମାନ କେହି କରିପାରିନଥିଲେ।
ଅପରପକ୍ଷେ, ଏଥର ନିର୍ବାଚନରେ କଂଗ୍ରେସ ଓ ଅନ୍ୟ ଦଳର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଗଣ ତଥା ପୁରୁଖା ନେତୃବୃନ୍ଦ ପରାଜୟ ବରଣ କରିଥିବାରୁ ଭାରତୀୟ ରାଜନୀତିର ସମୀକରଣ ଯେ ବଦଳିବାରେ ଲାଗିଛି, ତାହା ନିଃସନ୍ଦେହ। ପଞ୍ଜାବର ବାଦଲ ପରିବାରର ସମସ୍ତେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଧୁ, ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ପ୍ରମୁଖଙ୍କ ପରାଜୟ ଦେଶର ନୂଆ ରାଜନୀତି ଆଡ଼କୁ ଇଙ୍ଗିତ କରୁଛି।

Comments are closed.