ହିମେଶଙ୍କ ପରେ ସଲମାନ : ରାନୁଙ୍କୁ ଆଉ ଏକ ବଡ଼ ଅଫର୍!

ମୁମ୍ବଇ : ଷ୍ଟେଶନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ ହିମେଶ ରେଶମିୟାଙ୍କ ପରେ ସଲମାନ୍ ଖାନ୍ ସାହାଯ୍ୟର ହାତ ବଢାଇଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁସାରେ, ହିମେଶ ରେଶମିୟାଙ୍କ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିବା ପରେ ଏବେ ସଲମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ରେ ଗୀତ ଗାଇବାକୁ ରାନୁଙ୍କୁ ସୁଯୋଗ ଦେଇଛନ୍ତି। ଏହାସହିତ ସେ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଏକ ଘର ଦେଇଥିବା ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏନେଇ ସଲମାନଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ରେଳ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ଏକ ଗୀତ ଗାଇ ରାନୁ ଚର୍ଚ୍ଚାକୁ ଆସିଥିଲେ। ରାନୁଙ୍କ ଏହି ଗୀତକୁ ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ରେକର୍ଡ଼ିଂ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିବା ପରେ ଏହି ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ବଲିଉଡ଼ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେଶମିୟା ତାଙ୍କର ଏହି ପ୍ରତିଭା ଦେଖି ତାଙ୍କୁ ନିଜ ଆଗାମୀ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଦେଇଥିଲେ।

Comments are closed.