ତୋର ମୋର ଯୋଡ଼ି ସୁନ୍ଦର : ଆଜି ସବ୍ୟ-ଅର୍ଚ୍ଚିତାଙ୍କ ବାହାଘର

ଭୁବନେଶ୍ବର : ୨୦୧୦ରେ ପ୍ରେକ୍ଷାଳୟକୁ ଆସିଥିଲା ରୋମାଣ୍ଟିକ୍‌ ଓଡ଼ିଆ ଚିତ୍ର ‘ତୋର ମୋର ଯୋଡ଼ି ସୁନ୍ଦର’। ଯେଉଁଥିରେ ଓଲିଉଡର ସଫଳ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ଏକାଠି ଅଭିନୟ କରି ଦର୍ଶକଙ୍କୁ ଛୁଇଁଥିଲେ। ଦେବୁ ପଟ୍ଟନାୟକଙ୍କ ନିର୍ଦେଶନାରେ ଏହି ଚିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହା ପରେ – ହେଲା ମତେ ପ୍ରେମଜର, ସ୍ମାଇଲ ପ୍ଲିଜ୍‌, କେବେ ତୁମେ ନାହଁ କେବେ ମୁଁ ନାହିଁ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ମୁଁ ଏକା ତୁମର, ମୁଁ ସପନର ସୌଦାଗର, ପାଗଳ କରିଚି ପାଉଁଜି ତୋର, ପିଲାଟା ବିଗିଡ଼ିଗଲା ପ୍ରଭୃତି ଏକାଧିକ ଚିତ୍ରରେ ସବ୍ୟ-ଅର୍ଚ୍ଚିତା ଯୋଡ଼ି ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଛନ୍ତି। ଏହି ଯୋଡ଼ିଙ୍କୁ ନେଇ ବେଶ୍‌ କିଛି ବର୍ଷ ଧରି ଚର୍ଚ୍ଚା ହେଉଥିବାବେଳେ ଶେଷରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ସୁଦୂର ରାଜସ୍ଥାନରେ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏଥିରେ ୫୦ରୁ ୭୦ ପରିବାର ସଦସ୍ୟ ଓ ସମ୍ପର୍କୀୟ ସାମିଲ ହେବା କାର୍ଯ୍ୟକ୍ରମ ରହିଛି। ସେହିପରି ରବିବାର ରାତିରେ ଉଭୟଙ୍କର ରିଂ ସେରିମନି ମଧ୍ୟ ସେଠାରେ ସମ୍ପନ୍ନ ହୋଇଛି।
ସବ୍ୟସାଚୀ ସାମାଜିକ ଗଣମାଧ୍ୟମରେ ବିବାହ ସମ୍ପର୍କରେ ଉଲ୍ଲେଖ କରିଛନ୍ତି, ‘ଶ୍ରୀଜଗନ୍ନାଥ ଓ ଆମ ପରିବାରର ଆଶୀର୍ବାଦରୁ ଆସନ୍ତାକାଲି ଆମେ ଦୁହେଁ ଏକାଠି ହେବାକୁ ଯାଉଛୁ।’ ଏହି ଶୁଭ ଅବସରରେ ସେ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି। ସବ୍ୟସାଚୀ ପ୍ରଥମେ ଆଲବମ୍‌ ଜରିଆରେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ନିର୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମ କରି ‘ପାଗଳପ୍ରେମୀ’ ଚିତ୍ରରେ ସୁଯୋଗ ଦେଇଥିଲେ। ଏହି ଚିତ୍ର ୨୦୦୭ରେ ପ୍ରେକ୍ଷାଳୟକୁ ଆସିଥିଲା। ୟା’ ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଅଭିନୟ ସହ ସେ ସମାଜସେବାରେ ନିଜକୁ ସାମିଲ କରିଛନ୍ତି। ବିଶେଷକରି କରୋନା ମହାମାରୀ ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ ସହଯୋଗର ହାତ ବଢ଼ାଇ ସେ ଜଣେ ରିଅଲ ହିରୋର ପରିଚୟ ଦେଇଛନ୍ତି। ଓଡ଼ିଆ ସହ ସେ ମଧ୍ୟ ତେଲୁଗୁ ଚିତ୍ରରେ ବି ଅଭିନୟ କରିଛନ୍ତି।
ଅନ୍ୟପକ୍ଷରେ ନାୟିକା ଅର୍ଚ୍ଚିତା ୨୦୦୫ରେ ପ୍ରଥମ କରି ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ଓ ମାଇଁ ଲଭ୍‌’ ଚିତ୍ର ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। କିଟ୍‌ରୁ ଶିକ୍ଷାପ୍ରାପ୍ତ ଏହି ଅଭିନେତ୍ରୀ ମଡେଲିଂ ସହ ଓଡ଼ିଶୀ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି। ପଣ୍ଡ୍‌ସ ଫେମିନା ମିସ୍‌ ଇଣ୍ଡିଆ କଲକାତାରେ ସେ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ। ସେହିପରି ଲେକ୍‌ମି ଆବସଲ୍ୟୁଟ୍‌ ଫେମିନା ମିସ୍‌ ଆଇକନିକ୍‌ ଆଇଜ୍‌, ମିସ୍‌ ଟାଲେଣ୍ଟେଡ଼ ଓ ମିସ୍‌ ଷ୍ଟାଇଲିସ୍‌ ହେୟାର ଟାଇଟଲ ବିଜୟିନୀ ହୋଇଥିଲେ। ସବ୍ୟଙ୍କ ପରି ଅର୍ଚ୍ଚିତା ମଧ୍ୟ ସାମାଜିକ କାର୍ଯ୍ୟକ୍ରମ​‌େ​‌ର ସାମିଲ ହୋଇ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଉଭୟଙ୍କ ବିବାହ ଖବର ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ ଥିବାବେଳେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇ ସେମାନଙ୍କ ସଫଳ ଦାମ୍ପତ୍ୟ ଜୀବନ କାମନା କରିଛନ୍ତି।

Comments are closed.